ଦିଲ୍ଲୀ ଅବକାରୀ ନୀତି ସିବିଆଇ ଓ ଇଡିର ନିରପେକ୍ଷତା  ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ


ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିକୁ ନେଇ ବଡ ମତ ରଖିଛନ୍ତି ସୁପ୍ରିମକୋର୍ଟ । ଘଟଣାର ତଦନ୍ତ କରି ଇଡି ଓ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ ଆରମ୍ଭ କରି କେ କିବତାଙ୍କ ଭଳି ହେଭିୱେଟ ରାଜନେତାଙ୍କୁ ଗିରଫ କରିଛନ୍ତି । ହେଲେ ସିବିଆଇ ଓ ଇଡିର ନିରପେକ୍ଷତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିଆର ଗବାଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କେବଳ ଅଭିଯୁକ୍ତରୁ ରାଜସାକ୍ଷୀ ବନିଥିବା ବ୍ୟକ୍ତିଙ୍କ ବୟାନ ଉପରେ ନିର୍ଭର କରି ରହିପାରିବ ନାହିଁ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ସ୍ୱଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରିବାକୁ ପଡିବ । ଯେଉଁ ବ୍ୟକ୍ତିଙ୍କ ଉପରେ ଅଭିଯୋଗ ରହିଥିଲା, ସେ ନିଜେ ସାକ୍ଷୀ? ଆପଣମାନେ ନିଜ ଇଚ୍ଛାରେ ଚିହ୍ନଟ ଓ ଚୟନ କରିପାରିବେ ନାହିଁ । ଏହା କେଉଁ ପ୍ରକାରର ନିରପେକ୍ଷତା ଓ ସ୍ୱଚ୍ଛତା ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗତ ମାର୍ଚ୍ଚରେ ବିଆରଏସ୍ ନେତ୍ରୀ କେ କବିତାଙ୍କୁ ଇଡି ଗିରଫ କରିଥିଲା । ଏହାପରେ ସିବିଆଇ ଦ୍ୱାରା ମଧ୍ୟ ସେ ଗିରଫ ହୋଇଥିଲେ । ତାଙ୍କ ଜାମିନ ଆବେଦନକୁ ଇଡି ଓ ସିବିଆଇ ପକ୍ଷରୁ ବିରୋଧ ହେଉଥିବା ବେଳେ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏପରି ମତ ରଖିଛନ୍ତି । 
କବିତାଙ୍କ ଜାମିନ ଆବେଦନକୁ ବିରୋଧ କରି ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ ଅଭିଯୁକ୍ତରୁ ରାଜସାକ୍ଷୀ ବନିଥିବା ବୁଚ୍ଚି ବାବୁ ଓ ରାଘବ ମଙ୍ଗୁଟା ରେଡ୍ଡୀ ଦେଇଥିବା ତଥାକଥିତ ସ୍ୱାଧୀନ ପ୍ରମାଣ କଥା କହିଥିଲେ । ଏହି ଦୁଇ ରାଜସାକ୍ଷୀ ଦେଇଥିବା ପ୍ରମାଣ କବିତାଙ୍କ ସଂପୃକ୍ତିକୁ ଦର୍ଶାଉଛି ବୋଲି ସେ ଯୁକ୍ତି ରଖିଥିଲେ । ତେବେ କିବତାଙ୍କ ପାଇଁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କହିଥିଲେ ଯେ ଅନେକ ଥର, ସମାନ ବ୍ୟକ୍ତିଙ୍କ ସମାନ ବିବୃତିକୁ ମାମଲା ସହ ଜଡିତ ପ୍ରମାଣ ଭାବେ ଦର୍ଶାଯାଉଛି । ବିଶେଷ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବେଳେ ମଧ୍ୟ ସମାନ କଥା କୁହାଯାଇଥିଲା । କେତେବେଳେ କୁହାଯାଉଛି ଯେ କେଜ୍ରିୱାଲ କିଙ୍ଗପିନ । କେତେବେଳେ କୁହାଯାଉଛି ମନୀଷ ସିସୋଦିଆ କିଙ୍ଗ ପିନ । ଏହାପରେ କୁହା ଗଲା କବିତା କିଙ୍ଗ ପିନ । ରାଜସାକ୍ଷୀ ବନିଥିବା ଲୋକଙ୍କ ବୟାନ ଛଡା ତଦନ୍ତକାରୀ ସଂସ୍ଥା ପାଖରେ କୌଣସି ପ୍ରମାଣ ନାହିଁ । ଏହି ସମୟରେ କୋର୍ଟ ହସ୍ତକ୍ଷେପ କରିଥିଲେ । ରାଜସାକ୍ଷୀଙ୍କ ବୟାନର ସତ ସେତେବେଳେ ପ୍ରମାଣିତ ହେବ ଯେତେବେଳେ ଏନେଇ ସିଧାସଳଖ ପ୍ରମାଣ ମିଳିବ । ଆପଣଙ୍କ ପାଖରେ କ’ଣ ସବୁ ପ୍ରମାଣ ରହିଛି? ଅପରାଧରେ କବିତା ସାମିଲ ଥିବା ଆପଣ କେମିତି ଜାଣିଲେ? ପ୍ରମାଣ କେଉଁଠି ଅଛି ବୋଲି ଜଷ୍ଟିସ ଗବାଇ ଅତିରିକ୍ତ ସଲିସିଟର ଜେନେରାଲ ରାଜୁଙ୍କୁ ପ୍ରଶ୍ନ କରିଥିଲେ । କବିତା ମାମଲା ସହ ଜଡିତ ପ୍ରମାଣ ଫୋନରେ ରଖିଥିଲେ ଓ ଏହାକୁ ଫର୍ମାଟିଂ କରି ଡିଲିଟ କରି ଦେଇଥିବା ସରକାରୀ ଓକିଲ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ । ହେଲେ ଏହାକୁ ଅଗ୍ରାହ୍ୟ ହୋଇଛି ।
ଜଷ୍ଟିସ ବିଶ୍ୱନାଥନ କହିଛନ୍ତି, ଫୋନ ହେଉଛି ବ୍ୟକ୍ତିଗତ କଥା । ଲୋକମାନେ ସବୁ ବେଳେ ମେସେଜ ଡିଲିଟ କରିଥାନ୍ତି ।