ଟାଟା ଷ୍ଟିଲରୁ ନୁ୍ୟ-ଭୀଷ୍ଠା ସିମେଣ୍ଟ କାରଖାନା ଖୋଲାରେ ପରିବହନ ହେଉଛି ପାଉଁଶ ଗୁଣ୍ଡ
ଦାନଗଦୀ: କଳିଙ୍ଗନଗର ଶିଳ୍ପାଞ୍ଚଳରେ ପରିବେଶ ବାୟୁ ପ୍ରଦୂଷଣ ଏତେ ମାତ୍ରାରେ ଦିନକୁ ଦିନ ବୃଦ୍ଧି ହେଲାଣି ଲୋକମାନେ ବଞ୍ଚିବା ପାଇଁ ତ୍ରାହିତ୍ରାହି ଡାକିଲେଣି । ଆଞ୍ଚଳିକ ପ୍ରଦୂଷଣ ବିଭାଗରେ ନୂଆ ଦାୟିତ୍ୱ ପାଇଥିବା ଅଧିକାରୀ ଏହାକୁ ଅନୁଭବ କରି ସମସ୍ତଙ୍କୁ ନୋଟିସ କରୁଥିବା ବେଳେ ରାସ୍ତାରେ କଞ୍ଚାମାଲ ପରିବହନ କରୁଥିବା ଭାରୀଯାନ ଗୁଡିକ ପ୍ରତି ଦୃଷ୍ଟି ଦେଇନାହାନ୍ତି । ପରିବହନ ବିଭାଗ ଓ ପ୍ରଦୂଷଣ ବିଭାଗ ଓ ପୁଲିସ ପ୍ରଶାସନ ଆଖିରେ ଆଙ୍ଗୁଳି ଗେଞ୍ଜି ଦିନ ଦ୍ୱି-ପ୍ରହରରେ ଏକ ଟ୍ରାନ୍ସପୋର୍ଟ କମ୍ପାନୀର ବଡ଼ବଡ଼ ଭାରୀଯାନ ଗୁଡିକ ବିନା ପାଲରେ ଟାଟା କାରଖାନାରୁ ଆଶ(ପାଉଁଶ)ଗୁଣ୍ଡ, କ୍ଲିଙ୍କର ଆଦି ନୁ୍ୟ-ଭୀଷ୍ଠା ନୁଭୁକ କାରଖାନାକୁ ପରିବହନ କରୁଛନ୍ତି । ଟାଟା କାରଖାନାରୁ ପଙ୍କପାଳ ବଙ୍ଗଳା ଦେଇ ଶାସନ, ଦିଗାମ୍ବରପୁର, ଅସନବାହାଳୀ ମାନତୀରା ଗାଁ ଦେଇ ଦୈନିକ ଶତାଧିକ ଟ୍ରିପ ଆସୁଛି । କୌଣସି ଗୋଟିଏ ଗାଡ଼ିରେ ପାଲ ନପକାଇ କଞ୍ଚାମାଲ ଆଣୁଥିବାରୁ ଛକ, ଗାଁରେ ଥିବା ଦୋକାନ ଓ ବିଜୁ ପଟ୍ଟନାୟକ ମାର୍ଗରେ ବାଇକରେ ଯାତାୟାତ କରୁଥିବା ପଥଚାରୀ ଦୁର୍ଘଟଣାର ଶିକାର ହେଉଛନ୍ତି । ଖୋଲା ଡାଲାରେ ବିନା ପାଲରେ ଏହି ଭାରୀଯାନ ଗୁଡିକ ପାଉଁଶ ଗୁଣ୍ଡ ଆଣୁଥିବାରୁ ରାସ୍ତାରେ ଉଡି ବିପଦ ସୃଷ୍ଟି କରୁଛି । ସେ ଭାରି ଯାନ ଗୁଡିକ ଲୋଡ଼ିଂ ନେଇ ଆସୁଥିବା ବେଳେ ପଛରେ ବାଇକରେ ଆସି ହେଉନାହିଁ । ରାସ୍ତାରେ ଏହି ଗୁଣ୍ଡପଡି ବାୟୁ ପ୍ରଦୂଷଣ ବଢିବା ସହ ଛୋଟ ମୋଟ ଦୁର୍ଘଟଣା ମାନ ଘଟୁଛି । ଏହି ବାହୁବଳୀ ପରିବହନ ଠିକାଦାର ଶହଶହ ଭାରୀଯାନ ଦୈନିକ ଏହି ପରିବହନ କାମରେ ଲାଗିଛନ୍ତି । କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ସିମେଣ୍ଟ କାରଖାନା ଗୁଡିକ ବାୟୁ ପ୍ରଦୂଷଣ ମାତ୍ରାଧିକ କରୁଛନ୍ତି । ସେଥିମଧ୍ୟରୁ ନୁ୍ୟ-ଭୀଷ୍ଠା ନୁଭୁକ ଅନ୍ୟତମ । ଏହି କାରଖାନା ସମ୍ମୁଖ ରାସ୍ତାରେ ଗାଡି ପାର୍କିଂ କରି ଭିଡ଼ କରୁଛି । କାରଖାନାକୁ ଆସୁଥିବା ଶତାଧିକ ଗାଡି ମାନଙ୍କ ପାଇଁ ପାର୍କିଂ କରିବା ପାଇଁ କୌଣସି ସୁବିଧାନାହିଁ । ସବୁଠାରୁ ବଡ଼ କଥା ହେଲା ଏହି କାରଖାନା ଥିବା ସୁରକ୍ଷାକର୍ମୀ ମାନଙ୍କ ନାଲିଆଖି । କେହି ଏହାକୁ ପ୍ରତିବାଦ୍ କଲେ ସେମାନେ ଧମକ ଦେବା ସହ ଦାଦାଗିରି କରିବା ପରି କଥା କହୁଛନ୍ତି । ରାସ୍ତା ଉପରେ ବେଆଇନ ପାର୍କିଂ ଜଳଜଳ ହେଇ ପୁଲିସ ଠାରୁ ଆରମ୍ଭ କରି ପ୍ରଶାସନୀକ ଅଧିକାରୀ ଦେଖୁଥିଲେ ହେଁ କେହି ବି ପାଟି ଖୋଲୁ ନାହାନ୍ତି । ଏହି ଖୋଲା ଡାଲାରେ ବିନା ପାଲରେ କଞ୍ଚାମାଲ ପରିବହନ ପାଇଁ ପ୍ରଦୂଷଣ ବଢୁଛି ଓ ରାସ୍ତାରେପଡି ବିପଦ ସୃଷ୍ଟି ହେଉଛି । ଏଥିପ୍ରତି କେବେ ପ୍ରଶାସନ ଦୃଷ୍ଟି ପଡ଼ିବ, ତାହା ଦେଖିବାର ଅଛି ।