ଚୋରଙ୍କ ଟାର୍ଗେଟରେ ଉଠା ଜଳସେଚନ ପାଣି ପମ୍ପ


 ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ବିଭିନ୍ନ ଗ୍ରାମରେ ଥିବା ଉଠା ଜଳସେଚନ ପ୍ରକଳ୍ପର ପାଣି ପମ୍ପ ଗୁଡ଼ିକ ଏବେ ଚୋରମାନଙ୍କ ଟାର୍ଗେଟରେ ରହିଛି । ଗତ ୨ ଦିନ ମଧ୍ୟରେ ଯୋରନ୍ଦା ଓ ଦଧିସିଙ୍ଗା ଗ୍ରାମର ୨ଟି ସମେତ ୩ ମାସ ମଧ୍ୟରେ ୨୨ଟି ଉଠା ଜଳସେଚନ ପ୍ରକଳ୍ପର ପାଣି ପମ୍ପ ଚୋରି ହୋଇଥିବା ବିଭାଗୀୟ କନିଷ୍ଠଯନ୍ତ୍ରୀ ସୂଚନା ଦେଇଛନ୍ତି । ଚୋରମାନେ ସମାନ ଢଙ୍ଗରେ ଉଠାଜଳସେଚନ ପ୍ରକଳ୍ପ ମେସିନ୍ ଘର ତାଲା ଭାଙ୍ଗି ପାଣିପମ୍ପରୁ କଏଲେ ଚୋରି କରୁଛନ୍ତି । ସମସ୍ତ ୨୨ଟି ପ୍ରକଳ୍ପରୁ ଏହିପରି ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଥାଉକି ସରକାର ପାଣିପଞ୍ଚାୟତ ମାଧ୍ୟମରେ ଗଁଦିଆ ବ୍ଲକରେ କୋଟି କୋଟି ଟଙ୍କା ବ୍ୟୟରେ ୧୭୮ଟି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିଥିଲେ । ସେଥିମଧ୍ୟରୁ ୫୫ଟି ପ୍ରକଳ୍ପ ବିଭିନ୍ନ କାରଣରୁ ବନ୍ଦ ଥିବା ବେଳେ ୧୨୩ ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲା । ଫଳରେ ପ୍ରାୟ ପ୍ରତ୍ୟେକ ପ୍ରକଳ୍ପରେ ୨୦ରୁ ୬୦ ପର୍ଯ୍ୟନ୍ତ ·ଷୀ ସେମାନଙ୍କର ବିଲକୁ ଜଳସେଚନ କରି ଉପକୃତ ହେଉଥିଲେ । କିନ୍ତୁ ଚୋରମାନଙ୍କ ପ୍ରକୋପ ଯୋଗୁ ୨୨ଟି ପ୍ରକଳ୍ପ ବନ୍ଦ ହୋଇଯାଇଥିବାରୁ ·ଷୀମାନେ ଚିନ୍ତାରେ ଅଛନ୍ତି । ପ୍ରତ୍ୟେକ ଗ୍ରାମରେ ଉଠାଜଳସେଚନ ପ୍ରକଳ୍ପ ଗୁଡ଼ିକ ଜନବସତି ଠାରୁ ଦୂରରେ ବିଲବାହାଳ ମଧ୍ୟରେ ଥିବାରୁ ଚୋରଙ୍କୁ ଚୋରି କରିବାକୁ ସୁଯୋଗ ମିଳୁଛି । ଗଁଦିଆ ବ୍ଲକରେ ଗତ ଦୁଇ ଦିନରେ ଦଧିସିଙ୍ଗା ଓ ଯୋରନ୍ଦା ଉଠାଜଳସେଚନ ପ୍ରକଳ୍ପ ଚୋରି ହୋଇଥିବା ଯୋରନ୍ଦା ଫାଣ୍ଡିରେ ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନର ପକ୍ଷରୁ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୋରନ୍ଦା ସେବା ସମବାୟ ସମିତି ସଭାପତି ଚତ୍ତରଞ୍ଜନନ ମହାନ୍ତି, ସମାଜସେବୀ ପୀତବାସ ରାଉତ, ବିପିନ ବିହାରୀ ସିଂହ, ନକୁଳ ରାଉତ, ଶରତ ରାଉତ, ଯଦୁନନ୍ଦନ ଦାସ, ପଞ୍ଚାନନସ୍ୱାଇଁ, ସାରଙ୍ଗଧର ପ୍ରଧାନ, ଶ୍ରୀବତ୍ସ ମହାନ୍ତି, ମଙ୍ଗୁଳି ଚରଣ ବିଶ୍ୱାଳ, ପ୍ରତାପ ମହାନ୍ତି, ଆଲୋକ ରାଉତ ପ୍ରମୁଖ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ଏପରି ସମସ୍ୟାର ସମାଧାନ କେବେ ହେବ ଏନେଇ ଆଶଙ୍କାରେ ଅଞ୍ଚଳବାସୀ ରହିଛନ୍ତି । ଏଥିପ୍ରତି ଯଥାଶୀଘ୍ର କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।