ଟ୍ରେନ ୪ ବାଳିକା ଉଦ୍ଧାର

 ଜଟଣୀ : ଗୁଣୁପୁର-ରାଉରକେଲା "ରାଜାରାଣୀ’ ଏକ୍ସପ୍ରେସ ଟ୍ରେନରୁ ଖୋର୍ଦ୍ଧାରୋଡ଼ ଜିଆରପି ଓ ଆରପିଏଫ କର୍ମଚାରୀଙ୍କ ଉପସ୍ଥିତିରେ ଖ୍ରୀଷ୍ଟ ଧର୍ମର ସିଷ୍ଟରଙ୍କ ସମେତ ଚାରି ବାଳିକାଙ୍କୁୁ ଉଦ୍ଧାର କରାଯାଇଛି  ।
ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ଗୁଣୁପୁର ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାରି ନିରୀହ ବାଳିକାଙ୍କୁ ଧରି ମଧ୍ୟପ୍ରଦେଶ ଭୋପାଳର ହୋଲି ଫ୍ୟାମିଲି କନଭେଣ୍ଟ ସ୍କୁଲ ପରିସରରେ ରହୁଥିବା ଖ୍ରୀଷ୍ଟିଆନ ସିଷ୍ଟର ରଚନା ନାୟକ ଛତିଶଗଡ଼କୁ ଯାଉଥିଲେ  । ଗୁଣୁପୁର-ରଉରକେଲା "ରାଜ୍ୟରାଣୀ’ ଏକ୍ସପ୍ରେସ୍ ଟ୍ରେନର ଏସ୍ ୫ ବଗିରେ ଛତିଶଗଡକୁ ଚାଲାଣ ହେଉଥିବା ନେଇ ଖବର ମିଳିଥିଲା  । ଖୋର୍ଦ୍ଧା ଜିଲ୍ଲା "ବଜରଙ୍ଗ ଦଳ’ ପକ୍ଷରୁ ରାତ୍ର ୧୦ ଘଟିକା ୪୫ ମିନିଟ ସମୟରେ ଖୋର୍ଦ୍ଧାରୋଡ଼ ଷ୍ଟେସନ ୧ ନଂ ପ୍ଲାଟଫର୍ମରେ ଟ୍ରେନ ଅଟକିବା ପରେ ରେଲୱେ ସୁରକ୍ଷା ବଳ ସାହାଯ୍ୟରେ ବଜରଙ୍ଗ ଦଳର କିଛି ଯୁବକଙ୍କ ସାହାଯ୍ୟରେ ଆଦିବାସୀ ସମ୍ପ୍ରଦାୟର ୪ ବାଳିକା ରାଜଶ୍ରୀ ପରିଛା, ସୁନେଲି ମଳିକ, ଏଲିଶା ନାୟକ, ସ୍ୱାଗତିକା ଶବର ୪ ବାଳିକାମାନଙ୍କୁ ଉଦ୍ଧାର କରାଯାଇଥିଲା  । ସେମାନଙ୍କର ବୟସ ୧୮ ବର୍ଷରୁ ୨୦ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି  । ସେହି ସମୟରେ ପୁଲିସକୁ ଚକମା ଦେଖାଇ ଖସିଯିବାକୁ ସେମାନେ ଚେଷ୍ଟା କରିଥିଲେ ହେଁ ସଫଳ ହୋଇନଥିଲେ  । ଉଦ୍ଧାର ପରେ ରେଲୱେ ସୁରକ୍ଷା ବଳ ଏବଂ ଜିଆରପି ତରଫରୁ ବିଭିନ୍ନ ଦିଗରୁ ଅନୁଧ୍ୟାନ କରି ୪ ଯୁବତୀଙ୍କ ବୟାନ ଏବଂ ସିଷ୍ଟରଙ୍କ ବୟାନ ନିଆଯାଇଥିଲା  । କିନ୍ତୁ ସେମାନଙ୍କ ମତରେ ତାରତମ୍ୟ ନଥିଲା  । ଧନ ଲୋଭ ଦେଖାଇ ଖ୍ରୀଷ୍ଟିଆନ ଧର୍ମାନ୍ତରୀକରଣ କରିବା ସହ ଉଚ୍ଚ ଶିକ୍ଷିତ କରିବା ବାହାନାରେ ବିଦେଶ ଚାଲାଣ ପାଇଁ ଯୋଜନା କରାଯାଉଥିବା ଚର୍ଚ୍ଚା ହେଉଛି  । କିଛି ଦଲାଲ ସଂସ୍ଥାର ଏହା କାର୍ଯ୍ୟ ବୋଲି କୁହାଯାଉଛି  । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବଜରଙ୍ଗ ଦଳର ସଂଯୋଜକ ଉଦିତ ନାରାୟଣ ପ୍ରହରାଜ ଉପସ୍ଥିତିରେ ସହ ସଂଯୋଜକ ଦିବ୍ୟ ପ୍ରକାଶ, ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସଂଯୋଜକ ନିତ୍ୟଜିତ ଚମ୍ପତ୍ତି ପ୍ରମୁଖ ଖୋର୍ଦ୍ଧାରୋଡ଼ର ଜିଆରପି ଭାରପ୍ରାପ୍ତ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ  । ଉଦ୍ଧାର କରାଯାଇଥିବା ନାବାଳିକାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯାଇ ପରିବାର ସଦସ୍ୟଙ୍କ ନିକଟକୁ ହସ୍ତାନ୍ତର କରିବା ପାଇଁ କୁହାଯାଇଥିଲା  । ତେବେ ବଜରଙ୍ଗ ଦଳର କର୍ମକର୍ତ୍ତାଙ୍କ କହିବା ଅନୁସାରେ ସେମାନଙ୍କ ଗୁଇନ୍ଦା ସଂସ୍ଥା ଜରିଆରେ ୧୫ରୁ ଅଧିକ ଯୁବତୀ ଏହି ଗାଡିରେ ସ୍ୱତନ୍ତ୍ର ଦଲାଲଙ୍କ ମଧ୍ୟସ୍ଥିରେ ଯାତ୍ରା କରୁଥିଲେ  । ତେବେ ଅନ୍ୟମାନେ ସେହି ଟ୍ରେନ୍ରେ ବଗି ମଧ୍ୟରେ ହୋଇଥିବା ଅନ୍ଧକାର ସୁଯୋଗରେ ଖସି ପଳାଇଥାଇପାରନ୍ତି  । ଜେରା ସମୟରେ ନାବାଳିକାମାନଙ୍କ ସମ୍ପର୍କୀୟମାନଙ୍କୁ ଦୁଇ ଲକ୍ଷ ଟଙ୍କାର ଲୋଭ ଦେଖାଇ ଖ୍ରୀଷ୍ଟିଆନ ଧର୍ମାନ୍ତରୀକରଣ କରାଯାଇଥିଲା  । ଉଚ୍ଚଶିକ୍ଷାର ମିଛ କଥାକହି ନିରୀହ ଯୁବତୀମାନଙ୍କୁ ନିଆଯାଉଥିଲା  । ଏନେଇ ଅଧିକରୁ ଅଧିକ ତଦନ୍ତ କରି ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ବୋଲି ରେଲୱେ ଜିଆରପି ଅଧିକାରୀ ପ୍ରକାଶ କରିଛନ୍ତି  ।