ଜୁନ୍ ୧ରେ କାକଟପୁର ଓ ନିମାପଡ଼ାରେ ମତଦାନ

ପୁରୀ: ଓଡ଼ିଶାର ଚତୁର୍ଥ ଓ ପୁରୀ ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଜୁନ୍ ୧ ତାରିଖରେ ଅନୁଷ୍ଠିତ ହେବ । ୧୬ ଜଗତସିଂପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୦୫ କାକଟପୁର ଓ ୧୦୬ ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ୍ ୧ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୧ଜଣ ପ୍ରାର୍ଥୀ ଥିବା ବେଳେ ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୩ଜଣ ପ୍ରାର୍ଥୀ ରହିଛନ୍ତି । ଏହି ନିର୍ବାଚନ ମଣ୍ଡଳୀ ଦ୍ୱୟର ମୋଟ ୪ଲକ୍ଷ ୯୧ହଜାର ୬ଶହ୯୮ଜଣ ଭୋଟର ୫୬୦ଟି ମତଦାନ କେନ୍ଦ୍ରରେ ମତଦାନ କରିବେ । ନିର୍ବାଚନ ହେଉଛି ଗଣତନ୍ତ୍ର ମହାପର୍ବ । ତେଣୁ ସମସ୍ତ ଭୋଟର ସେମାନଙ୍କ ନିର୍ଦ୍ଧାରିତ ବୁଥ୍ମାନଙ୍କରେ ନିଶ୍ଚିତ ମତଦାନ କରିବାକୁୁ ଜିଲ୍ଳାପାଳ ଶ୍ରୀ ସ୍ୱାଇଁ, କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଳାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଳାପାଳ ପ୍ରୋଟୋକଲ ନୀଳମାଧବ ଭୋଇ ଅନୁରୋଧ କରିଛନ୍ତି ।