ଖୋଲିଲା ଧାନ ମଣ୍ଡି
ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଠାରେ ଥିବା ସମବାୟ ସଂସ୍ଥା ଲ୍ୟାମ୍ପସ୍ ପକ୍ଷରୁ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ପ୍ରଥମ ଦିନରେ ୪ ଜଣ ଚାଷୀଙ୍କ ଠାରୁ ୮୮କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିଲା । ଏବଂ ସମସ୍ତ ଧାନ ଯୁଗପୁରା ସ୍ଥିତ ଅମ୍ବିକା ରାଇସ ମିଲ୍ କ୍ରୟ କରିଥିଲା । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳି ଯୋଗ ଦେଇ ମଣ୍ଡି ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସିନିୟର ଏଆରସିଏସ୍ ଅଶୋକ କୁମାର ପାଣି, ଏଆରସିଏସ୍ ତୁଷାରକାନ୍ତି ମହାନ୍ତି, ଲ୍ୟାମ୍ପସ୍ ପରିଚାଳନା ନିଦେ୍ର୍ଦଶକ ସୁଶ୍ରୀ ଶାନ୍ତା ଗୌରା ପରିଡ଼ା, ବେତନଟୀ ବ୍ଲକ ଯୋଗାଣ ନିରୀକ୍ଷକ ଅଶୋକ କୁମାର ବେହେରା, ପରିଚାଳନା କମିଟି ସଭାପତି ଶତୃଘ୍ନ ସିଂ, ରବି ନାରାୟଣ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଚତୁର୍ଭୁଜ ପୁଷ୍ଟି, ମିଟିକ ସିଂ, ସୁଦର୍ଶନ ନାୟକ, ଅନୁପ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ । ମଣ୍ଡିକୁ ଧାନ ଆଣିଥିବା ଅନ୍ନଦାତାମାନେ ଥିଲେ ପ୍ରଫୁଲ୍ଲ ପୁଷ୍ଟି, ତାପସ ବେହେରା, କାନ୍ତିମଣି ମହାନ୍ତି ଓ ପର୍ଶୁରାମ ମନ୍ତ୍ରୀ । ସୁପରଭାଇଜିଙ୍ଗ ଅଫିସର ଭାବେ ବେତନଟୀ ତହସିଲଦାର ସୁରଥ ଚନ୍ଦ୍ର ରାଉତ ଯୋଗଦେଇଥିଲେ । ତେବେ ବିଳମ୍ବରେ ସରକାରୀ ଧାନ ମଣ୍ଡି ଖୋଲାଯିବା ଘଟଣାର ବେଶ୍ ଫାଇଦା ଉଠାଇଥିଲେ ଲାଭଖୋର ବେପାରୀମାନେ । ଗତ ପ୍ରାୟ ଦୁଇ ସପ୍ତାହ ହେବ ଚାଷୀଙ୍କ ଠାରୁ ୧୮୦୦ ରୁ ୨୦୦୦ଟଙ୍କାରେ ଧାନ କିଣି ନେଉଥିବା ଅଭିଯୋଗ ହେଉଥିଲା । ଏବେ ମଧ୍ୟ ଅଧିକାଂଶ ଚାଷୀଙ୍କୁ ଟୋକନ୍ ମିଳିନଥିବା ଏବଂ ଟୋକନ ମିଳିଥିବା ଚାଷୀଙ୍କ ଅମଳ ହୋଇଥିବା ଧାନ ଠାରୁ ବହୁତ କମ୍ ପରିମାଣର ଧାନ କ୍ରୟ ନିମନ୍ତେ ଟୋକନ ମିଳିଥିବା ଯୋଗୁଁ ବଳକା ଧାନ କାହାକୁ ଦେବେ ଏସବୁ ଦ୍ୱନ୍ଦକୁ ନେଇ ଚିନ୍ତାରେ ଅଛନ୍ତି ଚାଷୀକୂଳ ।