କମୁଛି ଘରେ ଘରେ ପରିଚିତ ପ୍ରମିଳାଙ୍କ ଲୋକପ୍ରିୟତା
ବିଞ୍ଝାରପୁର-ସିଂହପୁର: ନବେ ଦଶକରୁ ରାଜନୀତିରେ ପ୍ରବେଶ କରି ସଫଳତାର ପାହାଚ ଚଢି ଆସିଥିବା ପ୍ରମିଳା ମଲିକଙ୍କୁ ବିଞ୍ଝାରପୁର ଭୋଟର ୭ମ ଥର ପାଇଁ ନିର୍ବାଚିତ କରିଛନ୍ତି । ପ୍ରମିଳା ଗୋଟିଏ ବିଧାନସଭାରୁ ୭ଥର ବିଜୟ ଲାଭ କରିବା ନିଶ୍ଚିନ୍ତ ପକ୍ଷେ ଏକ ରେକର୍ଡ଼ ହୋଇରହିବ । ପୂର୍ବରୁ ଏଭଳି ରେକର୍ଡ଼ କେହି କରିନଥିବା ଏବଂ ଆଗକୁ କେହି କରିବେ ତାହା ବିଶ୍ୱାସ କରିବା ବୃଥା ହେବ । ଦୀର୍ଘ୩୫ବର୍ଷ ଧରି ବିଞ୍ଝାରପୁରବାସୀଙ୍କ ବିଶ୍ୱାସ ଜିତୁଥିବା ପ୍ରମିଳା ଘରେ ଘରେ ପରିଚିତ । ଆବାଳବୃଦ୍ଧବନୀତାଙ୍କୁ ଚିହ୍ନିଥିବା ଏବଂ ବୁଝିଥିବା ପ୍ରମିଳାଙ୍କ କିନ୍ତୁ ଲୋକପ୍ରିୟତା କମିବାରେ ଲାଗିଛି । ଯାହାର ପ୍ରମାଣ ସଦ୍ୟ ନିର୍ବାଚନ ହିଁ ସୂଚାଇ ଦେଇଛି । ବିଜୟୀ ହୋଇଯାଇଥିବା ପ୍ରମିଳାଙ୍କ ଲୋକପ୍ରିୟତା ଏତେ ମାତ୍ରାରେ କମିଯାଇଛି, ଯେ ତାଙ୍କୁ ବିଜେପିର ବବିତା ମଲିକଙ୍କ ଠାରୁ ମାତ୍ର ୧.୮୮% ମତଦାତା ଅଧିକ ମତଦାନ କରିଥିଲେ । ଯେଉଁଠିକି ବିଗତ ନିର୍ବାଚନରେ ପ୍ରମିଳାଙ୍କ ପିଛା କରିବା ପ୍ରତିପକ୍ଷଙ୍କ ପାଇଁ କଷ୍ଟକର ହୋଇପଡ଼େ । ଗୋଟେ ପଟେ ପ୍ରମିଳାଙ୍କ ଲୋକପ୍ରିୟତା ହାସଲ ହେଉଥିବା ବେଳେ ଅନ୍ୟପଟେ ବାରମ୍ବାର ପରଜୟ ମୁହଁ ଦେଖୁଥିବା ବବିତା ମଲିକ ଦୁର୍ବଳତାକୁ ଧରିବାରେ ସକ୍ଷମ ହୋଇପାରୁ ନାହାନ୍ତି । ଯେଉଁ କାରଣରୁ ନିର୍ବାଚନ ଲଢୁଥିବା ବବିତାଙ୍କୁ ପ୍ରମିଳାଙ୍କ ଠାରୁ ହାରିବାକୁ ପଡ଼ୁଛି । ନିର୍ବାଚନ ପରବର୍ତ୍ତୀ ସମୟରେ ଉଭୟ ପ୍ରମିଳା ଏବଂ ବବିତା ହାରଜିତକୁ ନେଇ ସମୀକ୍ଷା କରୁଛନ୍ତି ସତ ହେଲେ ମନରେ ସ୍ପୃହା ନଥିବା ପରି ହୋଇଛି । ବିଜୟଲାଭ କରିଥିଲେ ହେଁ ପ୍ରମିଳା ବିଜୟ ଉସôବ ପାଳନ କରୁନାହଁନ୍ତି କିମ୍ବା ବିଜେଡି କର୍ମୀଙ୍କ ମନରେ ବିଜୟକୁ ନେଇ ଉସôାହ ନାହିଁ । ନିର୍ବାଚନ ଫଳାଫଳକୁ ନେଇ ପ୍ରମିଳା କୁଆଡେ ସନ୍ତୁଷ୍ଠ ନାହଁନ୍ତି । ଛ’ ଛ’ ଥରର ବିଧାୟିକା, ମନ୍ତ୍ରୀ, ବାଚସ୍ପତି ଭଳି ଅନେକ ଦାୟିତ୍ୱରେ ଥିବା ଏବଂ ବିଞ୍ଝାରପୁର ବାସୀଙ୍କ ସୁଖ ଦୁଖରେ ସର୍ବଦା ଠିଆ ହୋଇ ଆସୁଥିବା ପ୍ରମିଳା ମାତ୍ର ୨୭୫୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହେବା ଘଟଣାକୁ ସେ ସହଜରେ ଗ୍ରହଣ କରିପାରୁନାହଁନ୍ତି । ରାଜ୍ୟରେ ହଠାତ ସରକାର ପରିବର୍ତ୍ତନ ହେବା ପରେ ଏବେ ମଧ୍ୟ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକପ୍ରିୟିତା ବଳବତ୍ତର ରହିଛି । ଲୋକେ କହୁଛନ୍ତି ଓଡିଶାବାସୀ ନବୀନ ପଟ୍ଟନାୟକଙ୍କୁ ଖୁବ ପସନ୍ଦ କରନ୍ତି । ତାଙ୍କ ଭଳି ସରଳ ଓ ଅମାୟିକ ବ୍ୟକ୍ତିତ୍ୱ ଓଡିଶାରେ ବିରଳ । ରାଜ୍ୟର ପ୍ରଗତିର ସେ ହିଁ କର୍ଣ୍ଣଧାର । କିନ୍ତୁ ନବୀନଙ୍କ ପାଖେ ପାଖେ ରହି ପାଣ୍ଡିଆନଙ୍କ ମାତ୍ରାଧିକ ହସ୍ତକ୍ଷେପ ଓ ପଛରେ ଗୃହଭେଦୀ ବିଭୀଷଣ ମାନଙ୍କ ଭୂମିକା ଯେଉଁଭଳି ନବୀନଙ୍କ ପାଇଁ ପରାଜୟର କାରଣ ପାଲଟିଲା ସେହିପରି ବିଞ୍ଝାରପୁରରେ ପଞ୍ଚାୟତସ୍ତରରେ ବିଜେଡି ନେତାଙ୍କ ଆଚରଣ ଉଚାରଣ ଓ ଶୋଷଣ ନୀତି ପ୍ରମିଳାଙ୍କ ପ୍ରତି ଥିବା ଲୋକଙ୍କ ଭଲ ପାଇବାକୁ ଚଳିତ ନିର୍ବାଚନରେ କମ କରିଥିବା ଚର୍ଚ୍ଚା ହେଉଛି । ପଞ୍ଚାୟତ ସ୍ତରର ନେତାଙ୍କ ଉପରେ ଖପ୍ପା ହୋଇ ସେମାନଙ୍କୁ ସବକ ସିଖାଇବାକୁ ଯାଇ ଲୋକେ ପ୍ରମିଳାଙ୍କୁ ଭୋଟ ଦେଇନଥିବା ମଧ୍ୟ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ବିଞ୍ଝାରପୁର ଅଞ୍ଚଳର ସଂଖ୍ୟାଲଘୁ ଭୋଟର ମାନେ ବହୁ ମାତ୍ରରେ ପ୍ରମିଳାଙ୍କୁ ସମର୍ଥନ କରିବା ଓ ଭୋଟ ଦେଇ ପ୍ରମିଳାଙ୍କ ଗଡ ସୁରକ୍ଷା ରଖିବାକୁ ସମର୍ଥ ହୋଇଛନ୍ତି । ଘରେ ଘରେ ପ୍ରମିଳା ବେଶ ପରିଚିତ ଓ ଲୋକପ୍ରିୟ ହାସଲ କରିବା ସତ୍ୱେ କେଉଁ କାରଣରୁ ଭୋଟ ହାର କମିଛି ତାହାର ତର୍ଜମା ପ୍ରମିଳା କରିବେ । ଅନ୍ୟପକ୍ଷରେ ପ୍ରମିଳାଙ୍କ ଠାରୁ ବାରମ୍ବାର ପରାଜିତ ହୋଇ ଆସୁଥିବା ବବିତା ମଲିକ ଚଳିତ ଥର ମୋଦୀ ହାୱାରେ ବିଜୟ ଲକ୍ଷ ରଖି ପ୍ରମିଳାଙ୍କ ସହିତ କଡା ଟକ୍କର ଦେଇ ଶେଷରେ ପରାଜୟ ବରଣ କରିଛନ୍ତି । ଲୋକେ ପ୍ରମିଳାଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଥିବା ବେଳେ ବବିତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବବିତା ମଧ୍ୟ ଲୋକ ମତକୁ ମଥାପାତି ସ୍ୱିକାର କରିନେଇଛନ୍ତି । ମାତ୍ର ରାଜ୍ୟରେ ମୋଦି ଲହର ଓ ବିଜେପିର ଆକସ୍ମିକ ଉଥାନ ଧାରାରେ ବବିତା ନିଜକୁ ସାମିଲ କରିପାରିଲେ ନାହିଁ । ବିଞ୍ଝାରପୁରରେ ମୋଦି ମ୍ୟାଜିକ୍ କାମ ଦେଲାନି କାହଁକି ତାର ସମୀକ୍ଷା କରିବେ ବବିତା । ନିର୍ବାଚନ ପୂର୍ବରୁ ଏକାଧିକ ବିଜେଡିର ଟାଣୁଆ ନେତା ମାନେ ବବିତାଙ୍କ ଶିବିରରେ ଯୋଗଦେଇ ବିଜେଡିକୁ ମାତ ଦେବାକୁ ଲାଗି ପଡିଥିଲେ ମଧ୍ୟ ନିର୍ବାଚନର ଦିନ କେଇଟା ପୂର୍ବରୁ ସେମାନଙ୍କ ନିରବତା ବବିତାଙ୍କ ପରାଜୟର କାରଣ ନୁହଁତ ବୋଲି ଅନେକ ଚର୍ଚ୍ଚା କରୁଛନ୍ତି । ବିଞ୍ଝାରପୁରର ସମସ୍ତ ବିଜେପି ନେତା ଦଳ ଓ ପ୍ରାର୍ଥୀଙ୍କ ବିଜୟ ପାଇଁ ଆନ୍ତରିକ ଭାବେ କାମ କିଛନ୍ତିତ ? ଆଲୋଚନା ହେଉଛି ଲୋକେ ବିଜେଡି ଉପରେ ଅସନ୍ତୁଷ୍ଟ ହୋଇ ବିକଳ୍ପ ଭାବେ ବିଜେପିକୁ ଭୋଟ ଦେଇଛନ୍ତି । ଫଳରେ ବିଜେପି ମଧ୍ୟ ଆଶା ଠାରୁ ଢେର ଅଧିକ ଭୋଟ ହାତେଇଛି । ନିକଟରେ ବବିତା ଏକ ସାମ୍ବାଦିକ ସମ୍ମିଳନୀରେ ବିଞ୍ଝାରପୁରରେ ବିଜେଡି ବୁଥ୍ ଜବରଦଖଲ କରି ଜିତିଛି ବୋଲି କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ନିର୍ବାଚନ ଫଳାଫଳ ପ୍ରକାଶ ପାଇ ସାରିବାର ଦୁଇଦିନ ପରେ ହଠାତ ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ବୁଥ୍ ଜବର ଦଖଲ ପ୍ରସଙ୍ଗ ଉଠାଇଲେ କାହିଁକି ? ବବିତା ନିର୍ବାଚନ ଦିନ ହେଉ କିମ୍ବା ଗଣତି ପୂର୍ବରୁ ବିଜେଡିର ବୁଥ୍ ଜବର ଦଖଲ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ହୁଅନ୍ତୁ କିମ୍ବା ପୁଲିସ ପ୍ରଶାସନ ନିକଟରେ ହେଉ କାହିଁକି ଅଭିଯୋଗ କରିପାରିଥାନ୍ତେ । ଯଦି ବିଜେଡି ବୁଥ୍ ଜବର ଦଖଲ କରିଥିଲା ତେବେ ବିଜେପି ଏଜେଣ୍ଟ ମାନେ ସେହି ବୁଥରେ କଣ କରୁଥିଲେ? ତେବେ ସେ ଯାହା ହେଉ କିଏ ପରିଚାଳନା କରିବାକୁ ଅସମର୍ଥ ହେଉ ବା କାହାର ଲୋକପ୍ରିୟତା କମିଯାଉ, ଯୋଜିତା ୱହି ସିକନ୍ଦର, ଏକଥାକୁ ମାନିବାକୁ ହିଁ ପଡ଼ିବ ।