ଅଚ୍ୟୁତ ସାମନ୍ତଙ୍କୁ ୬୯ ତମ ସମ୍ମାନସୂଚକ ଡକ୍ଟରେଟ

ଅଚ୍ୟୁତ ସାମନ୍ତଙ୍କୁ ୬୯ ତମ ସମ୍ମାନସୂଚକ ଡକ୍ଟରେଟ

ଭୁବନେଶ୍ୱର : ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟ, ସୋନିପତ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଇଛି । ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ ଅବସରରେ ଶୁକ୍ରବାର ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ହେଉଛି ଶ୍ରୀ ସାମନ୍ତଙ୍କ ୬୯ ତମ ସମ୍ମାନସୂଚକ ଡକ୍ଟରେଟ୍‌ । ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏସ୍‌ଆରଏମ୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା କୁଳାଧିପତି ଡ.ଟିଆର୍‌ ପାରିଭିନ୍ଦର, କୁଳପତି ପ୍ରଫେସର ପରମଜିତ୍‌ ଜୟସ୍ୱାଲ ଓ କୁଳସଚିବ ପ୍ରଫେସର ଭି ସାମୁଏଲ୍‌ ରାଜଙ୍କ ଉପସ୍ଥିତିରେ ଭାରତର ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍‌ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । 

       ଏଥିପାଇଁ ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟ, ସୋନିପତର ଶିକ୍ଷା ପରିଷଦ ଏବଂ ପରିଚାଳନା ବୋର୍ଡ ଶ୍ରୀ ସାମନ୍ତଙ୍କ ନାମ ସୁପାରିଶ କରିଥିଲେ ଏବଂ ସର୍ବସମ୍ମତି କ୍ରମେ ଶ୍ରୀ ସମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏସଆରଏମ ବିଶ୍ୱବିଦ୍ୟାଳୟ ଏହାର ପ୍ରଶଂସାପତ୍ରରେ ଶ୍ରୀ ସାମନ୍ତଙ୍କୁ ଶିକ୍ଷା ଜରିଆରେ ସେବା ଓ ମାନବିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରାଯାଇଛି । ସମାବର୍ତ୍ତନ ସମାରୋହ ଅବସରରେ ଶ୍ରୀ ସାମନ୍ତ ଏସ୍‌ଆର୍‌ଏମ୍‌ ବିଶ୍ୱବିଦ୍ୟାଳୟ, ସୋନିପତ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ କହିଲେ, ବିଗତ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ସେ ନିରନ୍ତର କାମ କରିଆସୁଛନ୍ତି । ଏହି ସମ୍ମାନ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କାମ କରିବାକୁ ଆହୁରି ପ୍ରେରଣା ଯୋଗାଇବ ।