ଗୋଟିଏ ଜୀବନ ଯଥେଷ୍ଟ ନୁହେଁ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା କିଛି ଶିଖିବା ପାଇଁ, ଜ୍ଞାନ ଆହରଣ ପାଇଁ ଗୋଟିଏ ଜୀବନ କେମିତି ଯଥେଷ୍ଟ ନୁହେଁ, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଜୀବନରେ ଶିଖିବାର ସଂଜ୍ଞା ଅତି ବ୍ୟାପକ । କେବଳ ପୋଥିଗତ ବିଦ୍ୟା ପ୍ରକୃତ ଏବଂ ସମ୍ପୂର୍ଣ୍ଣ ଶିକ୍ଷା ନୁହେଁ । ଅସଲ କଥାଟି ହଉଚି ପୋଥିଗତ ଶିକ୍ଷାର ପରସମାପ୍ତି ପରେ ପରେ ହିଁ ଅସଲ ଶିକ୍ଷା ଆରମ୍ଭ ହୋଇଥାଏ । ଏହା ହେଉଛି ଜୀବନ ବିଦ୍ୟାଳୟର ଶିକ୍ଷା । ଯେଉଁଠି ଜୀବନବର୍ଦ୍ଧନ ସମ୍ପର୍କିତ ନିରନ୍ତର ଶିକ୍ଷା ଲାଭ କରିବାକୁ ପଡିଥାଏ, ଲୋକ ଚିହ୍ନିବାର କଳା ଆହରଣ କରିବାକୁ ହୁଏ ଏବଂ ଆହୁରି ଅନେକ, ଅନେକ, ଅନେକ ।
ଜୀବନଟା ଗୋଟେ ବିଦ୍ୟାଳୟ । ଯେଉଁଠି ଶିଖିବାର କେବେ ଅନ୍ତ ନାହିଁ, ଶେଷ ନାହିଁ । ଜୀବନରେ ପ୍ରତ୍ୟେକଙ୍କ ଠାରୁ ଆମକୁ କିଛି ନା କିଛି ଶିଖିବାର ଅଛି । ଜୀବନରେ ଅନ୍ୟ କୋଉଥିର ବିକଳ୍ପ ଥାଇପାରେ, କିନ୍ତୁ ଶିଖିବାର ଅନ୍ୟ ବିକଳ୍ପ ନାହିଁ ।
ନିଜକୁ ଟିକେ ବିସ୍ତାର କରିକି ଦେଖିଲେ ବେଳେ ବେଳେ ଲାଗେ, ଶିଖିବା ପାଇଁ ଗୋଟିଏ ଜୀବନ ବି ଯଥେଷ୍ଟ ନୁହେଁ । ଆମେ ଯାହା, ଯେତକ ବି ଜାଣିଛେ ସେତକ କାଣିଚାଏ ବି ନୁହଁ । ଜ୍ଞାନ ହେଉଛି ସମୁଦ୍ର । ଆମ ବୁଦ୍ଧି ସେ ସମୁଦ୍ରତଟର ଗୋଟେ ବାଲୁକାରାଶି ସହିତ ବି ସମାନ ନୁହଁ । ଆମେ ସବୁ ଜାଣି ପକେଇଚୁ ବୋଲି ଭାବିଟା ହିଁ ଜୀବନର ସବୁଠାରୁ ବଡ ମୁର୍ଖାମୀ ଏବଂ ବଡ ଅଜ୍ଞାନତା ।
ଶିଖିବା ବନ୍ଦ ହେଇଗଲେ ମଣିଷ ସ୍ଥାଣୁ ପାଲଟିଯାଏ । ଜୀବନ ଆଉ ଜୀବନ ହୋଇ ରହେନା । ଆଉ ଆମକୁ ଅଜ୍ଞାନତା ଯେତେବେଳେ ଗ୍ରାସ କରିବାକୁ ଲାଗେ, ସେତେବେଳେ ଆମ ମନ, ବୁଦ୍ଧି ସବୁରେ ଘୁଣ ଲାଗିଯାଏ । ମନରେ ଘୁଣ ଜମାଟ ବାନ୍ଧି ଦେଲେ ଧୀରେ ଧୀରେ ଏହା ଜୀବନଟାକୁ ନର୍କରେ ପରିଣତ କରିପକାଏ । ଜୀବନ କେବେ ଶିଖାଇବା ବନ୍ଦ କରିଦିଏ ନାହିଁ ଆଜ୍ଞା । ଆମେ ଯାହା ଶିଖିବାର କଳା, କୌଶଳଟିକୁ ଅର୍ଜନ କରିପାରୁନାହେଁ । ଏବେ କହନ୍ତୁ ଅର୍ଜିବା କି ବର୍ଜିବା ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।