ମହାପ୍ରସାଦ ମହିମା

   କବୀର କୁମାର ଜେନା : 
ମହାପ୍ରସାଦ ମୁଖ୍ୟତଃ ଦୁଇ ପ୍ରକାରର ଶୁଖିଲି ଭୋଗ, ନିଃସଙ୍ଖୁଡ଼ି ଭୋଗ । ଅନ୍ନ ମହାପ୍ରସାଦକୁ ନବାଢ଼ି ଭୋଜନ କରିବା ବିଧି ଥିବାରୁ ଏହାକୁ ସ୍ଥାନୀୟ ଅଧିବାସୀମାନଙ୍କ ମଧ୍ୟରେ ଅବଢ଼ା ମଧ୍ୟ କୁହାଯାଇଥାଏ । ବ୍ରାହ୍ମଣ, ଶୂଦ୍ର ଏକତ୍ର ବସି ମହାପ୍ରସାଦ ସେବନ କରିବାର ବିଧି ରହିଛି । ତେଣୁ ମହାପ୍ରସାଦ ସ୍ପର୍ଶାସ୍ପର୍ଶ ଦୋଷ ବର୍ଜିତ । ଏହି ଦିବ୍ୟ ମହାପ୍ରସାଦ ସମଗ୍ର ଭାରତବର୍ଷର ବିଭିନ୍ନ ଧର୍ମାଚାର୍ଯ୍ୟ ମାନଙ୍କର ମାନ୍ୟତା ପାଇବା ସଙ୍ଗେ ସଙ୍ଗେ ସର୍ବ ସଂପ୍ରଦାୟର ସମନ୍ୱୟ ଓ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମ୍ମାନ ଲାଭ କରିଛି । ଏହାର କାରଣ ମୁଖ୍ୟତଃ ଛଅ ଭାଗରେ ବିଭକ୍ତ ଯଥା ମହାଲକ୍ଷ୍ମୀଙ୍କ ଦ୍ୱାରା ବୈଷ୍ଣବାଗ୍ନିରେ ଅନ୍ନାଦି ପାଚିତ ହେଉଛି । ଏ ସଂପର୍କରେ "ନୀଳାଦ୍ରିମହୋଦୟ' ଗ୍ରନ୍ଥରେ କୁହାଯାଇଛି ଯେ - "ଯଚ୍ଚାନ୍ନଂ ପଚତେଲକ୍ଷ୍ମୀ-ର୍ଭୋକ୍ତା ଚ ପୁରୁଷୋତ୍ତମଃ । ତତ୍ତୁ ଯତ୍ନେନ ଭୋକ୍ତବ୍ୟଂ ନାତ୍ରକାର୍ଯ୍ୟା ବିଚାରଣା । ।' ଅର୍ଥାତ୍ ଯେଉଁ ଅନ୍ନ ସ୍ୱୟଂ ମହାଲକ୍ଷ୍ମୀ ରନ୍ଧନ କରନ୍ତି ଓ ଭୋକ୍ତା ସ୍ୱୟଂ ପୁରୁଷୋତ୍ତମ ଜଗଦୀଶ ସେହି ମହାପ୍ରସାଦକୁ କାଳ ବିଚାର ନରଖି ଯତ୍ନର ସହ ଭୋଜନ କରିବା ବିଧେୟ । ସେହିପରି ବ୍ରହ୍ମାଣ୍ଡ ପୁରାଣର ବାକ୍ୟ ଅନୁଯାୟୀ - "ଅତ୍ର ପାଚୟତେ-ଲକ୍ଷ୍ମୀ-ର୍ଭୋକ୍ତାହଂ ଯଜ୍ଞଭୁକ୍ ସ୍ୱୟଂ । ଭୋକ୍ତବ୍ୟଂ ମୁନିଭି-ର୍ବିପୈ୍ରର୍ଯତ୍ର କାର୍ଯ୍ୟା ବିଚାରଣା । ।' ଅର୍ଥାତ୍ ସ୍ୱୟଂ ଲକ୍ଷ୍ମୀ ଏହା ରନ୍ଧନ କରନ୍ତି, ମୁଁ ସ୍ୱୟଂ ତାହା ଭୋଜନ କରେ । ସୁତରାଂ ମୁନି ଓ ବ୍ରାହ୍ମଣଗଣ ଅବଶ୍ୟ ନିର୍ବିଚାରରେ ଏହା ଭୋଜନ କରିବେ । ଶ୍ରୀଯନ୍ତ୍ର ରୂପକ ଠାଆ ବା ମୁରୁଜ ଉପରେ ନୈବେଦ୍ୟ ନିମନ୍ତେ ସ୍ୱର୍ଣ୍ଣମୟ ପାତ୍ରରେ ପରିବେଷିତ । ମନ୍ତ୍ରରାଜ ବା ଦ୍ୱାବିଂଶାକ୍ଷରୀ ନୃସିଂହତାପନୀୟ ପାତାଳ ନୃସିଂହ ମନ୍ତ୍ରରେ ପ୍ରେକ୍ଷିତ ହେଉଛି । ଗୋବିନ୍ଦଙ୍କ ଅଷ୍ଟଦଶାକ୍ଷର ଗୋପାଳ ମନ୍ତ୍ରରେ ନୈବେଦ୍ୟ ହେଉଛି । ଭୈରବୀ ଚକ୍ରର ଉଚ୍ଛିଷ୍ଟ ଭୈରବୀ ବିମଳାଙ୍କୁ ସମର୍ପଣ କରାଯାଉଛି । ଅଷ୍ଟ ସାତ୍ତ୍ୱିକ ବୈଷ୍ଣବମାନଙ୍କୁ ଅବଶେଷାନ୍ନ ବଳି ଦିଆଯାଉଛି । ଏହାକୁ ମହାପ୍ରସାଦର ଷଡ଼ଙ୍ଗ ସଂସ୍କାର କୁହାଯାଏ । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀଯନ୍ତ୍ର କାରିକାରେ ଶ୍ରୀଚକ୍ର ବା ତ୍ରିପୁର ଭୈରବୀ ଯନ୍ତ୍ର ସଂପର୍କରେ ଆସିଲେ ଚଣ୍ଡାଳ ମଧ୍ୟ ଦ୍ୱିଜତ୍ୱ ପ୍ରାପ୍ତ ହୋଇଥାନ୍ତି । ତେଣୁ ଏହି ଯନ୍ତ୍ର ଉପରେ ନୈବେଦ୍ୟ ବଢ଼ାଯାଉଥିବାରୁ ଏଠାରେ ଅନ୍ନ ହିଁ ବ୍ରହ୍ମ ପଦବାଚ୍ୟ ହୋଇଥାଏ । 
ପ୍ରାଚୀନ ଉକ୍ରଳ ଇତିହାସ ପୁସ୍ତକରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ପରଂବ୍ରହ୍ମଙ୍କର ନୀତିକୁ ବର୍ଦ୍ଧିତ କରି ସେମାବଂଶୀୟ ରାଜାମାନେ ପଣ୍ଡା, ଗରାବଡ଼ୁ, ପତ୍ରିବଡ଼ୁ, ସୁଆର, ମହାସୁଆର, ଅଖଣ୍ଡ ମେକାପ, ପ୍ରତିହାରୀ, ଭଣ୍ଡାର ମେକାପ, ଦେଉଳକରଣ, ଚୂନରା ପ୍ରଭୃତି ସେବକଙ୍କୁ ନିଯୁକ୍ତ କଲେ । ଏମାନଙ୍କ ରାଜତ୍ୱ ସମୟରେ ପରମେଶ୍ୱରଙ୍କର ତିନୋଟି ଧୂପରେ ଅନ୍ନ ମହାପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଏଥି ପୂର୍ବରୁ ସତ୍ୟଯୁଗରେ ନୀଳମାଧବଙ୍କ ନିକଟରେ ସ୍ୱର୍ଗରୁ ଦେବତାମାନେ ସହସ୍ର ଉପଚାରରେ ଦିବ୍ୟ ଅନ୍ନ ମହାପ୍ରସାଦ ନୈବେଦ୍ୟ ପୂର୍ବକ ନାନାଦି ପୁଷ୍ପମାଲ୍ୟ ଓ ଅଳଙ୍କାର ଦ୍ୱାରା ବେଶ କରାଉଥିବା ପୁରାଣମାନଙ୍କ ବର୍ଣ୍ଣନାରୁ ଜଣାଯାଏ ।  ମହାପ୍ରଭୁଙ୍କୁ ନିବେଦିତ "ରାଜଭୋଗ' ମହାପ୍ରସାଦ ରୂପେ ସମଗ୍ର ଭାରତ ବର୍ଷରେ ବିଖ୍ୟାତ ହୋଇଥିଲା । ଏହି ମହାପ୍ରସାଦ ଶୁଷ୍କ ହେଉ ବା ବାସି ହେଉ "ପ୍ରାପ୍ତି ମାତ୍ରେଣ ଭୋକ୍ତବ୍ୟମ୍' । ସେହି ହେତୁ ଶ୍ରୀମନ୍ଦିର ମହାପ୍ରସାଦର ମାହାତ୍ମ୍ୟ ଅବର୍ଣ୍ଣନୀୟ ଓ ଅନିର୍ବଚନୀୟ । ପ୍ରଚଳିତ ଜନଶ୍ରୁତି ଅନୁଯାୟୀ ଭାରତର ଚାରିଧାମ ମଧ୍ୟରୁ ଉତ୍ତରରେ ବିଷ୍ଣୁଙ୍କର ସ୍ନାନ ମୂର୍ତ୍ତି ବଦ୍ରିନାଥ, ଦକ୍ଷିଣରେ ଶୟନ ମୂର୍ତ୍ତି ରାମେଶ୍ୱର, ପଶ୍ଚିମରେ ବେଶ ମୂର୍ତ୍ତି ଦ୍ୱାରିକାନାଥ ପୂଜା ପାଉଥିବାବେଳେ ପୂର୍ବରେ ଶ୍ରୀପୁରୁଷୋତ୍ତମ ଧାମରେ ବିଷ୍ଣୁଙ୍କର ଭୋଜନ ମୂର୍ତ୍ତି ରୂପେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆରାଧିତ ହୋଇ ଆସୁଛନ୍ତି । ଏହି ଦିବ୍ୟ କ୍ଷେତ୍ର ବା ଶ୍ରୀଲକ୍ଷ୍ମୀଙ୍କର କ୍ଷେତ୍ର ହୋଇଥିବାରୁ ପ୍ରଭୁ ଏଠାରେ ସର୍ବଦା ଅବସ୍ଥାନ କରିଥାନ୍ତି । ସ୍ୱୟଂ ଲକ୍ଷ୍ମୀ ଠାକୁରାଣୀ ଏଠାରେ ପ୍ରଭୁଙ୍କ ନିମନ୍ତେ ଭୋଜନ ରନ୍ଧନ କରିଥାନ୍ତି । ଏହି ଦାରବ ବିଗ୍ରହ ବିଷ୍ଣୁଙ୍କୁ ଅର୍ପିତ ନୈବେଦ୍ୟରୁ କଣିକାଏ ପ୍ରାପ୍ତ କରିବା ବ୍ରାହ୍ମଣ ଓ ଦେବତାମାନଙ୍କ ପାଇଁ ଦୁର୍ଲଭ ହୋଇଉଠେ । ପଦ୍ମପୁରାଣରେ କୁହାଯାଇଛି ଯେ "ତତ୍ରାନ୍ନ ପାଚିକା ଲକ୍ଷ୍ମୀଃ ସ୍ୱୟଂଭୋକ୍ତାଜନାର୍ଦ୍ଦନଃ । ତସ୍ମାତ୍ତଦନ୍ନଂ ବିପ୍ରର୍ଷେ ଦୈବତୈରପି ଦୁର୍ଲଭମ୍ । ।' ସେହିପରି ସ୍କନ୍ଦ ପୁରାଣରେ ପୁରୁଷେତ୍ତମ କ୍ଷେତ୍ର ମାହାତ୍ମ୍ୟରେ ବର୍ଣ୍ଣିତ ଅଛି ଯେ, ସ୍ୱୟଂ ଲକ୍ଷ୍ମୀ ଦେବୀ ହିଁ ପାକ କାର୍ଯ୍ୟ କରନ୍ତି ଏବଂ ମୂର୍ତ୍ତିମାନେ ସାକ୍ଷାତ ନାରାୟଣ ନିତ୍ୟ କମଳାଙ୍କ ସ୍ୱହସ୍ତ ସମ୍ପାଦିତ ଅନ୍ନ ଭୋଜନାଦି ସେବନ କରିଥାନ୍ତି । ହେ ମୁନିଗଣ! ଭଗବାନଙ୍କର ସେହି ନୈବେଦ୍ୟାନ୍ନ ଅମୃତ ସ୍ୱରୂପ, ଏହାକୁ ମସ୍ତକରେ ଧାରଣ କଲେ ସମସ୍ତ ପାପ ବିନଷ୍ଟ ହୁଏ । "ଜଗଦ୍ଧାତ୍ର୍ୟା ହି ଯତପକ୍ୱଂ ବୈଷ୍ଣବୋଗ୍ନୌ ସୁସଂସ୍କୃତେ । ଭୁକ୍ତୋନ୍ୱହଂ ଚକ୍ରପାଣି ର୍ଯୁଗମନ୍ୱନ୍ତରାବିଷ୍ଣୁ । ।' ଅର୍ଥାତ୍ ଜଗଦ୍ଧାତ୍ରୀ ଲକ୍ଷ୍ମୀ ଦେବୀ ସ୍ୱୟଂ ସୁସଂସ୍କୃତ ବୈଷ୍ଣବାଗ୍ନିରେ ଏହା ପାକ କରନ୍ତି ଏବଂ ସ୍ୱୟଂ ଭଗବାନ ଚକ୍ରପାଣି ବହୁ ମନ୍ୱନ୍ତର ଓ ଯୁଗାଯୁଗାନ୍ତରୁ ଆଜି ପର୍ଯ୍ୟନ୍ତ ଭୋଜନ କରି ଆସୁଛନ୍ତି ଯାହାକି ଶ୍ରୀମହାପ୍ରାସଦ ରୂପେ ସୁପରିଚିତ ଅଟେ । ସମଗ୍ର ଭାରତ ଭୂଖଣ୍ଡରେ ସୁପ୍ରତିଷ୍ଠିତ ବିଭିନ୍ନ ବିଷ୍ଣୁମନ୍ଦିରମାନଙ୍କର ନୈବେଦ୍ୟ ଭୋଗ ପ୍ରସାଦକୁ ନେଇ ଯେଉଁ ପ୍ରସିଦ୍ଧି ରହିଛି, ତନ୍ମଧ୍ୟରୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ରସ୍ଥ ଦାରୁବ୍ରହ୍ମରୂପୀ ଶ୍ରୀଜଗନ୍ନାଥାଦି ବିଗ୍ରହ ମାନଙ୍କର ମହାପ୍ରସାଦର ମହତ୍ୱ ସର୍ବଶ୍ରେଷ୍ଠ । ବିଭିନ୍ନ ପୁରାଣ ଶାସ୍ତ୍ର ମାନଙ୍କରେ ମହାପ୍ରସାଦର ମାହାତ୍ମ୍ୟ ବର୍ଣ୍ଣନା ଦେଖିବାକୁ ମିଳେ ।
ଏ ସମ୍ବନ୍ଧରେ "ବୃହଦ୍ୱିଷ୍ଣୁପୁରାଣ'ରେ ବର୍ଣ୍ଣିତ ତଥ୍ୟ ପ୍ରକାରେ - "ନୈବେଦ୍ୟ ଜଗଦୀଶସ୍ୟ ଅନ୍ନପାନାଦିକଞ୍ଚ ଯତ୍ । ଭକ୍ଷ୍ୟାଭକ୍ଷ୍ୟ ବିଚାରସ୍ତୁ ନାସ୍ତି ତଦଭକ୍ଷଣେ ଦ୍ୱିଜଃ । ବ୍ରହ୍ମ ନିର୍ବିକାରଂ ହି ଯଥା ବ୍ରହ୍ମ ତଥୈବ ତତ୍ । ବିକାରଂ ଯେ ପ୍ରକୁର୍ବନ୍ତି ଭକ୍ଷଣେ ତୁ ଦ୍ୱିଜାତୟଃ । ।' ବ୍ରହ୍ମବୈବର୍ତ୍ତ ପୁରାଣ'ରେ ଉଲ୍ଲେଖ ଅଛି - "ବିଷ୍ୱାଳୟଗତଂ ତଦ୍ଧି ନିର୍ମାଲଂ ପ୍ରତିପାଦୟଃ । ସ୍ପୃଶନ୍ତି ଚେନ୍ନ ଦୁଷ୍ଟଂ ତଦ୍ୟଥା ବିଷ୍ଣୁସ୍ତଥୈବ ତତ୍ । ପୁନଃ ନୈବେଦ୍ୟଂ ବାସୁଦେବସ୍ୟ ମହାଭୟ ନବାରଣମ୍ । ।' ସେହିଭଳି ସ୍କନ୍ଦ ପୁରାଣରେ "ନାଭିମାନଂ ପ୍ରକୁର୍ବୀରନ୍ ନିର୍ମାଲ୍ୟସୈ୍ୟବ ଭକ୍ଷଣେ । ଭକ୍ତ୍ୟା ଲୋଭାତ୍ କୌତୁକାଦ୍ୱା କ୍ଷୁଧାସଂଯମନୋପି ବା ।'
କଟକ
ମୋ: ୮୯୧୭୩୭୭୯୮୭