ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର

ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ତନ୍ତ୍ରର ଅଭୁ୍ୟଦୟ, କ୍ରମବିକାଶଧାରା ଓ ସଂବୋଧି ଆରାଧିତ ଅନେକ ପ୍ରବନ୍ଧ ମୁଁ ବିଭିନ୍ନ ପତ୍ର ପତ୍ରିକାରେ ଲେଖିଛି  । ଓଡ଼ିଶା ଏକ ପ୍ରାଚୀନ ତନ୍ତ୍ରପୀଠ ହୋଇଥିବାରୁ ମୁଁ ‘ଓଡ଼ିଶାର ତନ୍ତ୍ରଧାରା’ ନାମକ ଖଣ୍ଡିଏ ଗ୍ରନ୍ଥ ରଚନା କରିଅଛି, ଯାହା ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଦ୍ୱାରା  ବିଶେଷ ପାଠକୀୟ ଆଦୃତି ଲାଭ କରିଛି  । ଶ୍ରୋତାଙ୍କ ଅନୁରୋଧ କ୍ରମେ ମୁଁ ଭାରତ ତଥା ଓଡ଼ିଶାର ବିଭିନ୍ନ ସ୍ଥାନରେ ତନ୍ତ୍ର ଆଧାରିତ ଆଲୋଚନା ମଧ୍ୟ କରିଛି  ।  କିନ୍ତୁ, ଲୋକଙ୍କ ଭିତରେ ତନ୍ତ୍ର ସଂପର୍କରେ କିମ୍ଭୂତ କିମାକାର ଧାରଣା ରହିଛି ତଥା ତନ୍ତ୍ର ନାମରେ କେତେକ ପ୍ରବଞ୍ଚକ ସମାଜରେ ମିଥ୍ୟାଚାର ସୃଷ୍ଟି କରୁଛନ୍ତି  । ପୂଜ୍ୟ ଅଘୋରାନନ୍ଦ ସରସ୍ୱତୀ, ଭୈରବାନନ୍ଦ ବ୍ରହ୍ମଚାରୀ ଓ ସ୍ୱାମୀ ଆଜ୍ଞାନନ୍ଦ ସରସ୍ୱତୀଙ୍କ ଠାରୁ ମୁଁ ତନ୍ତ୍ର ଶିକ୍ଷା କରିଥିଲି  । ସେହି ନିମିତ୍ତ ମୋତେ ଦୀର୍ଘକାଳ ସାଧନା କରିବାକୁ ପଡିଥିଲା  । ପୂଜ୍ୟ ଗୁରୁଦେବଙ୍କ କୃପାରୁ ମୁଁ ସାଧନାରେ ସଫଳ ହେଲି ଏବଂ ସ୍ୱକୀୟ ସୂକ୍ଷ୍ମ ଅନ୍ତର୍ଦୃଷ୍ଟିରେ ତନ୍ତ୍ରର ବିଭିନ୍ନ ପ୍ରକରଣ ସଂପର୍କରେ ଜ୍ଞାନ ଲାଭ କଲି  । ମୁଁ କେବଳ ଅର୍ଥ, ଯଶ, ଖ୍ୟାତି ଲାଭ ନିମିତ୍ତ ତନ୍ତ୍ରର ପ୍ରୟୋଗ କରିନାହିଁ  । ସବୁ ପୂଜ୍ୟ ଗୁରୁଦେବଙ୍କ କରୁଣା  । ତନ୍ତ୍ର ସଂପର୍କରେ ଅଗଣିତ ପାଠକଙ୍କ ଅବଗତ ନିମିତ୍ତ ମୁଁ ନିମ୍ନୋକ୍ତ ‘ତନ୍ତ୍ର ତତ୍ତ୍ୱାମୃତ’ ପରିବେଷଣ କରୁଛି  ।
“ତନ୍ତ୍ର” ଏକ ବ୍ୟାପକ ଶବ୍ଦ  । ଶାସ୍ତ୍ରରେ କୁହାଯାଇଛି, ‘ତନ୍ୟତେ ବିସ୍ତାର୍ଯ୍ୟତେ ଜ୍ଞାନ ମନେନ, ଇତି ତନ୍ତ୍ରମ୍’ ଅର୍ଥାତ୍ ଯାହା ଅଧ୍ୟୟନ କଲେ ଜ୍ଞାନର ବିସ୍ତାର ଘଟେ ତାହାହିଁ ତନ୍ତ୍ର  । ପାଣିନି, ପତଞ୍ଜଳି, କୋଟିଲ୍ୟ ଓ ଶଙ୍କରାଚାର୍ଯ୍ୟ ପ୍ରଭୃତି ପ୍ରଚେତାବୃନ୍ଦ ତନ୍ତ୍ରର ଅର୍ଥ ଶାସ୍ତ୍ର ବା ସିଦ୍ଧାନ୍ତ ବୋଲି ଗ୍ରହଣ କରିଛନ୍ତି  । ତନ୍ତ୍ର ଶବ୍ଦ ତନୁ ବିସ୍ତାର ଧାତୁ ଏବଂ ଷ୍ଟନ ପ୍ରତ୍ୟୟରୁ ଉପନ୍ନ  । ଏହାର ଅର୍ଥ ହେଉଛି  ଯେଉଁ ଉପାସନା ପଦ୍ଧତି ବା ଶାସ୍ତ୍ର ଅଧ୍ୟୟନ ଦ୍ୱାରା  ଜ୍ଞାନର ବିସ୍ତାର ଘଟେ ଓ ସାଧନା ବ୍ୟାପକ ହୁଏ ତାହାହିଁ ‘ତନ୍ତ୍ର’  । ‘ଅମରକୋଷ’ରେ ତନ୍ତ୍ରର ଅର୍ଥ ମୁଖ୍ୟବିଷୟ, ସିଦ୍ଧାନ୍ତ ଅଥବା ଶାସ୍ତ୍ର ବୋଲି କୁହାଯାଇଛି  । ମହାଭାରତରେ ନ୍ୟାୟ, ଧର୍ମଶାସ୍ତ୍ର, ଯୋଗଶାସ୍ତ୍ର ଆଦିର ପ୍ରୟୋଗ ନିମିତ୍ତ ତନ୍ତ୍ର ଶବ୍ଦ ବ୍ୟବହାର କରାଯାଇଛି  ।
ନ୍ୟାୟ ତନ୍ତ୍ରାଗ୍ୟ ନେକାନି ତେସ୍ତେଅରୁକ୍ତାନି ବାଦିଭିଃ,
ଯତୟୋ ଯୋଗତନ୍ତ୍ରେଷୁ ଯାନ୍ସ୍ତୁବନ୍ତି ଦ୍ୱିଜାତୟଃ  ।
ମହାଭାରତ ସିଦ୍ଧାନ୍ତ ଅନୁଯାୟୀ, ଯେଉଁ ଗ୍ରନ୍ଥ ସମୂହରେ ଯନ୍ତ୍ରମନ୍ତ୍ରାଦି ସମନ୍ୱିତ ଏକ ବିଶିଷ୍ଟ ମାର୍ଗର ଉପଦେଶ ପ୍ରଦତ୍ତ ସେହି ଗ୍ରନ୍ଥ ହିଁ ତନ୍ତ୍ର  । ତନ୍ତ୍ରର ଅପରନାମ ‘ଆଗମ’ । ତନ୍ତ୍ରାଚାର୍ଯ୍ୟ ବାଚସ୍ପତି ମିଶ୍ର ସ୍ୱରଚିତ ‘ତତ୍ତ୍ୱ ବୈଶାରଦୀ’ରେ ଆଗମର ବ୍ୟାଖ୍ୟା କରିବାକୁ ଯାଇ ଉଲ୍ଲେଖ କରିଛନ୍ତି:- ‘ଆଗଛନ୍ତି ବୁଦ୍ଧି ମାରୋହନ୍ତି ଯସ୍ମାଦ୍ ଅଭୁ୍ୟଦୟ ନିଃଶ୍ରେସୋପାୟଃ ସ ଆଗମଃ  । ଅର୍ଥାତ୍ ଯେଉଁ ଶାସ୍ତ୍ର ଦ୍ୱାରା ଭୋଗ ଓ ମୋକ୍ଷ ଉଭୟର ଉପାୟ ବୁଦ୍ଧିକୁ ଆସେ ତାହାକୁ ଆଗମ କହନ୍ତି  । ଏଥିରୁ ହୃଦ୍ବୋଧ ହୁଏ, କର୍ମ, ଉପାସନା ଓ ଜ୍ଞାନର ସ୍ୱରୂପ ହେଉଛି ବେଦ ବା ନିଗମ ଏବଂ ଏହାର ସାଧନ ଭୂତ ଉପାୟ ହିଁ ତନ୍ତ୍ର ବା ଆଗମ  । ସୂକ୍ଷ୍ମ ଦୃଷ୍ଟିକୋଣରୁ ବିଚାର କଲେ ତନ୍ତ୍ର ବ୍ୟାପକ ଅର୍ଥରେ ବ୍ୟବହୃତ  । ତାନ୍ତ୍ରିକ ବିଚାରବୋଧରେ ତନ୍ତ୍ରକୁ ମୋକ୍ଷଦାତା ରୂପେ ମାନ୍ୟତା ପ୍ରଦାନ କରାଯାଇଛି  । ଶୈବ ସିଦ୍ଧାନ୍ତର ତନ୍ତ୍ରଶାସ୍ତ୍ର ‘କାମିକ ଆଗମ’ରେ କୁହାଯାଇଛି:-
ତନୋତି ବିପୁଳାନର୍ଥାନ ତତ୍ତ୍ୱମନ୍ତ୍ର ସମନ୍ୱିତାନ
ତ୍ରାଣଂ ଚ କୁରୁତେ ଯସ୍ମ୍ମାତ୍ ତନ୍ତ୍ର ମିତ୍ୟଭିଧୀୟତେ  ।
ଭାରତୀୟ ଆଧ୍ୟାତ୍ମିକ ସାହିତ୍ୟଠାରୁ ତନ୍ତ୍ରର ପ୍ରାଚୀନତା ସୁସ୍ପଷ୍ଟ, ବିଶ୍ୱର ସର୍ବପ୍ରାଚୀନ ଗ୍ରନ୍ଥ ଋଗ୍ବେଦରେ ତନ୍ତ୍ର ଶବ୍ଦର ଉଲ୍ଲେଖ ରହିଛି  ।
ଇମେ ୟେ ନାର୍ବାଙନ ପରଶ୍ଚରନ୍ତି ନ ବ୍ରାହ୍ମଣା  ସୋ, ନ ସୁତେକରାସଃ  ।
ତଏତେ ବାଚମଭିପଦ୍ୟ ପାପୟା ସିରୀସ୍ତତନ୍ତ୍ରଂ ତନ୍ୱତେ ଅପ୍ରଜୟଃ (ଋ.ବେ. ୧୦ ।୭୧ ।୯)
ଋଗବେଦ ବ୍ୟତୀତ ‘ଅଥର୍ବବେଦ’ ଓ ‘ବ୍ରାହ୍ମଣ ଗ୍ରନ୍ଥମାନଙ୍କରେ ତନ୍ତ୍ରର ଉଲ୍ଲେଖ ରହିଛି  । ଜୈମିନୀଙ୍କ ପୂର୍ବମୀମାଂସା ସୂତ୍ର ଉପରେ କୁମାରୀଲଭଟ୍ଟଙ୍କର ରଚିତ ଶାବର ଭାଷାରେ ତନ୍ତ୍ରବାର୍ତ୍ତିକ ପ୍ରକରଣ ବିଦ୍ୟମାନ  । ଏଥିରୁ ଉପଲବ୍ଧି ହେଉଛି ବହୁ ପ୍ରାଚୀନ କାଳରୁ ତନ୍ତ୍ରର ମହତ୍ତ୍ୱ ରହିଛି  । ବେଦବର୍ଣ୍ଣିତ ଜ୍ଞାନ, ଭକ୍ତି ଓ କର୍ମର ସାଧନ ପ୍ରଣାଳୀ ହିଁ ପ୍ରାଚୀନ ଯୁଗରୁ ‘ତନ୍ତ୍ର’ ନାମରେ ଅଭିବ୍ୟକ୍ତ   । ଅର୍ଥାତ୍ ବେଦ ବା ନିଗମରେ ଯାହା ତତ୍ତ୍ୱ, ତାହା ତନ୍ତ୍ର ବା ଆଗମରେ ସାଧନମାର୍ଗ, ସରଳ ଭାଷାରେ ଉଲ୍ଲେଖ କଲେ, ‘ବୈଦିକ ତତ୍ତ୍ୱର ବ୍ୟାବହାରିକ ଧାରା ହେଉଛି ତନ୍ତ୍ର’  । ସାଂସାରିକ ଦୁଃଖବିନାଶ ଓ ମୁକ୍ତି ନିମିତ୍ତ ମନୁଷ୍ୟ ଅନାଦି କାଳରୁ ଆଶା ପୋଷଣ କରିଆସିଛି  । ସତ୍ୟଯୁଗରେ ସତ୍ୟ, ଶାନ୍ତି, ଦୟା କ୍ଷମା ପ୍ରଭୃତି ସଦ୍ଗୁଣାବଳୀର ପ୍ରାବଲ୍ୟ ଯୋଗୁଁ  ଦୁଃଖର ମାତ୍ରା କମ ଥିଲା  । ତେଣୁ ମାନବଗଣ ବୈଦିକ ଉପାସନା ଅର୍ଥାତ୍ କେବଳ ତତ୍ତ୍ୱାନୁସନ୍ଧାନ ମୂଳକ ଉପାସନା ମାଧ୍ୟମରେ ମୁକ୍ତି ଲାଭ କରୁଥିଲେ  । ତ୍ରେତା ଯୁଗରେ ଅନେକ ସ୍ମୃତି ଶାସ୍ତ୍ର ରଚନା ହେଲା  । ଏହି ଯୁଗରେ ବୈଦିକ ଉପସନାର ବିରୋଧ କରୁଥିବା ଦାର୍ଶନିକ ସତ୍ତା ସୃଷ୍ଟି ହେବାରୁ ବୈଦିକ ମତ ପ୍ରତିଷ୍ଠା ନିମିତ୍ତ କେତେକ ପ୍ରଚେତା ସ୍ମୃତିଶାସ୍ତ୍ର ରଚନା କଲେ ତଥା ସମାଜରେ ସ୍ମୃତି ସମ୍ମତ ଉପାସନାର ଧାରା ପ୍ରବାହିତ ହେଲା  । ଦ୍ୱାପର ଯୁଗ ସମୟକୁ ବେଦର ପ୍ରତିପାଦ୍ୟ ତତ୍ତ୍ୱକୁ ସାର୍ବଜନୀନ କରିବା ନିମିତ୍ତ ମହର୍ଷି ବ୍ୟାସଦେବ ବହୁ ପୁରାଣ ସହିତ ମହାଭାରତ ରଚନା କଲେ  । ଫଳରେ ସମାଜରେ  ପୁରାଣୋକ୍ତ ଉପାସନାର ପ୍ରାବଲ୍ୟ ବୃଦ୍ଧି ପାଇଲା  । କଳି ଯୁଗରେ ଧର୍ମର ଅଧୋଗତି ଫଳରେ ମାନବିକତାର ଅବକ୍ଷୟ ଘଟିଲା  । ସଂସାରରୁ ଧର୍ମ, ସତ୍ୟ, ନ୍ୟାୟ, ସଦ୍ଭାବ, ସହାନୁଭୂତି, ଶାନ୍ତି, ପ୍ରୀତି, ଶ୍ରଦ୍ଧା, ବିଶ୍ୱାସ ଓ ସମନ୍ୱୟ ଧୀରେ ଧୀରେ ବିଲୁପ୍ତ ହେବାକୁ ଲାଗିଲା  । ଏହି ପରିପ୍ରେକ୍ଷୀରେ କଳିଯୁଗରେ ତନ୍ତ୍ରଶାସ୍ତ୍ର ନିଦେ୍ର୍ଦଶିତ ଉପାସନା ପ୍ରାଧାନ୍ୟ ଲାଭ କଲା  । ଏହି ପୁରୋଦୃଷ୍ଟିରେ ‘କୁଳାର୍ଣ୍ଣବ ତନ୍ତ୍ର’ରେ ଉଲ୍ଲେଖ ରହିଛି  ।
କୃତେ ଶ୍ରୁତ୍ୟକ୍ତି ଆଚାର ସ୍ରେତାୟାଂ ସ୍ମୃତିସମ୍ଭବଃ
ଦ୍ୱାପରେ ତୁ ପୁରାଣୋକ୍ତଃ କଳାବାଗମ ସମ୍ମତଃ  ।
ତନ୍ତ୍ରଶାସ୍ତ୍ର ସମୂହରେ ଶିବଙ୍କୁ ତନ୍ତ୍ରର ଉଦ୍ଗାତା ବୋଲି କୁହାଯାଇଛି  । ମହାନିର୍ବାଣ ତନ୍ତ୍ର କଥନ ଅନୁଯାୟୀ କଳିହତ ମାନବ ଜାତିର କଲ୍ୟାଣ କାମନାରେ ତାଙ୍କର ପାଞ୍ଚମୁଖରେ ପାର୍ବତୀଙ୍କୁ ତନ୍ତ୍ରର ଉପଦେଶ ପ୍ରଦାନ କରିଥିଲେ  । ଭଗବାନ ଶଙ୍କରଙ୍କ ପଞ୍ଚମୁଖରୁ ନିର୍ଗତ ହୋଇଥିବାରୁ ତନ୍ତ୍ର ପାଞ୍ଚଭାଗରେ ବିଭକ୍ତ  । ସେଗୁଡିକ ହେଉଛି ପୂର୍ବାମ୍ନୀୟ, ଦକ୍ଷିଣାମ୍ନାୟ, ପଶ୍ଚିମାମ୍ନ୍ନାୟ, ଉତ୍ତରାମ୍ନାୟ ଓ ଊଦ୍ଧ୍ୱର୍ାମ୍ନାୟ  । ନିମ୍ନତ୍ତର ଓ ଗୁପ୍ତମୁଖରୁ ଉତ୍ପନ୍ନ ଅର୍ଦ୍ଧାମ୍ନାୟକୁ ଷଷ୍ଠ ଆଗମ କୁହାଯାଏ  । କୁଳାର୍ଣ୍ଣବ ତନ୍ତ୍ରର ତୃତୀୟ ଉଲ୍ଲାସରେ ଏହି ଆମ୍ନାୟମାନଙ୍କର ବର୍ଣ୍ଣନା ରହିଛି  । ତନ୍ତ୍ରସିଦ୍ଧ ହେବା ନିମିତ୍ତ ମନ୍ତ୍ର, ସ୍ଥିତି, ଭକ୍ତି, ସଂହାର, କର୍ମ ଓ ଅନୁଗ୍ରହ ଉପରେ ବିଜୟ ଏକାନ୍ତ ଲୋଡ଼ା  । ପୂର୍ବାମ୍ନାୟ ହେଉଛି ସୃଷ୍ଟିରୂପ ତଥା ମନ୍ତ୍ରଯୋଗ, ଦକ୍ଷିଣାମ୍ନାୟ ହେଉଛି ସ୍ଥିତିରୂପ ତଥା ଭକ୍ତିଯୋଗ, ପଶ୍ଚିମାମ୍ନାୟ ସଂହାର ରୂପ ତଥା କର୍ମଯୋଗ ଓ ଉତ୍ତରାମ୍ନ୍ନାୟ ହେଉଛି ଅନୁଗ୍ରହ ରୂପ ତଥା ଜ୍ଞାନଯୋଗ  । ଏହି ଦିବ୍ୟ ଦୃଷ୍ଟିରେ ମନ୍ତ୍ର, ଭକ୍ତି, କର୍ମ ଓ ଜ୍ଞାନର ସିଦ୍ଧିନିମିତ୍ତ ଆମ୍ନାୟ ଭେଦ ଅନୁସାରେ ତନ୍ତ୍ରସାଧନା ସର୍ବାଦୋ÷ କର୍ତ୍ତବ୍ୟ  । କୋ÷ଳ ସାଧକଗଣ ଊଦ୍ଧ୍ୱର୍ାମ୍ନାୟର ଭୂୟସୀ ପ୍ରଶଂସା କରିଥାନ୍ତି  । ଶିବଙ୍କ ପଞ୍ଚବକ୍ତ୍ରରୁ ୨୮ ପ୍ରକାର ତନ୍ତ୍ର ନିର୍ଗତ ହୋଇଥିଲା  । ସଦ୍ୟୋଜାତ ମୁଖରୁ କାମିକ, ଯୋଗଜ, ଚିନ୍ତ୍ୟ, କାରଣ, ଅଜିତ, ବାମଦେବ ମୁଖରୁ ଦୀପ୍ତ, ସୂକ୍ଷ୍ମ, ସହସ୍ର, ଅଂଶୁମାନ ଓ ସୁପ୍ରଭେଦ, ଅଘୋର ମୁଖରୁ ବିଜୟ, ନିଶ୍ୱାସ, ସ୍ୱାୟମ୍ଭୁବ, ଅନଳ ଓ ବୀର, ତତ୍ ପୁରୁଷ ମୁଖରୁ ରୋ÷ରବ, ମୁକୁଟ, ବିମଳ, ଚନ୍ଦ୍ରଜ୍ଞାନ ଓ ବିଶ୍ୱ ତଥା କିଶାନ ମୁଖରୁ ପ୍ରୋଦ୍ଗୀତ, ଲଳିତ, ସିଦ୍ଧ, ସନ୍ତାନ, ସର୍ବୋତ୍ତର, ପରମେଶ୍ୱର, କିରଣ ଓ ବାହୁଳ ପ୍ରଭୃତି ଅଠାଇଶି ପ୍ରକାର ତନ୍ତ୍ର ଶିବଙ୍କ ପଞ୍ଚମୁଖରୁ ନିର୍ଗତ ହୋଇଥିଲା  ।
କଳିଯୁଗୀୟ ମାନବମାନଙ୍କ ଭୋଗ  ଓ ମୋକ୍ଷ ପ୍ରାପ୍ତି ନିମିତ୍ତ ତନ୍ତ୍ରରେ ଆରାଧ୍ୟ ଦେବତାଙ୍କ ସ୍ୱରୂପ, ସ୍ୱଭାବ, ଗୁଣ, କର୍ମ ଆଦିର ଚିନ୍ତନ ବିଷୟକ ମନ୍ତ୍ରକୁ ଯନ୍ତ୍ରରେ ସଂଯୋଜିତ କରାଯାଇ ଦେବତାଙ୍କ ଧ୍ୟାନ, ଜପ ତଥା ତାନ୍ତ୍ରିକ ଉପାସନାର ପାଞ୍ଚଟି ପଦ୍ଧତି, ଯଥା- ପଟାଳ, ପଦ୍ଧତି, କବଚ, ସହସ୍ରନାମ ଓ ସ୍ତୋତ୍ର ବ୍ୟବସ୍ଥିତ ରୂପରେ ଦେଖାଇ ଦିଆଯାଇଥାଏ  । ବାରାହୀ ତନ୍ତ୍ର ଅନୁସାରେ ସୃଷ୍ଟି, ପ୍ରଳୟ, ଦେବତାର୍ଚ୍ଚନ, ସର୍ବସାଧନ, ପୁରଶ୍ଚରଣ, ଷଟକର୍ମ ଅର୍ଥାତ୍ ଶାନ୍ତି, ବଶୀକରଣ, ସମ୍ଭବ, ବିଦ୍ୱେଷଣ, ଉଚ୍ଚାଟନ ତଥା ମାରଣର ସାଧନ ଏବଂ ଧ୍ୟାନଯୋଗ ପ୍ରଭୃତି ଲକ୍ଷଣଯୁକ୍ତ ଗ୍ରନ୍ଥମାନଙ୍କୁ ଆଗମ କୁହାଯାଏ  । ତନ୍ତ୍ରମାନଙ୍କର ବିଶେଷତା ହେଉଛି “କ୍ରିୟା’  । ବେଦରେ ଅନ୍ତର୍ନିହିତ ଥିବା ଜ୍ଞାନର କ୍ରିୟାତ୍ମକ ରୂପ ବା ବିଧାନାତନ୍ମକ ଆଚାର ହିଁ ଆଗମ ମାନଙ୍କର ମୁଖ୍ୟ ବିଷୟ  । ତାନ୍ତ୍ରିକଧାରାରେ ମନ୍ତ୍ରର ବିଧିବିତ ପ୍ରୟୋଗ ଦ୍ୱାରା ମନ୍ତ୍ରସିଦ୍ଧି ପ୍ରାପ୍ତ ହୋଇଥାଏ ତଥା ମନ୍ତ୍ରର ଦେବତା ମାନ୍ତ୍ରିକ ପ୍ରତି କୃପା କରନ୍ତି  । ଦେବତାଙ୍କ କୃପା ମିଳିଲେ ସକଳ ଅନିଷ୍ଟ ଦୂରୀଭୂତ ହୋଇ ଐଶ୍ୱର୍ଯ୍ୟ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ  । ଗୁରୁତ୍ୱପୂର୍ଣ୍ଣ ହେଉଛି, ମନ୍ତ୍ରର ପ୍ରତ୍ୟେକ ଅକ୍ଷରର ଶକ୍ତି ରହିଛି  । କାରଣ ଅକ୍ଷର ହିଁ ବ୍ରହ୍ମ  । କେଉଁ କେଉଁ ଅକ୍ଷରର ମିଳନରେ କେଉଁ ଦେବତାଙ୍କ ମନ୍ତ୍ର ଗଠନ ହୋଇଥାଏ ତାହା ଜାଣିବା ପ୍ରଥମ କର୍ତ୍ତବ୍ୟ  । ସିଦ୍ଧଗୁରୁଙ୍କ ଉପଦେଶ ବିନା ନିର୍ଦ୍ଦିଷ୍ଟ ମନ୍ତ୍ରପ୍ରାପ୍ତି ହୁଏ ନାହିଁ  । ଏହି କାରଣରୁ ତନ୍ତ୍ରରେ ଗୁରୁ ଓ ଦୀକ୍ଷା ଉଭୟକୁ ମହତ୍ୱ ପ୍ରଦାନ କରାଯାଇଛି  । ଯଥାର୍ଥ  ଗୁରୁଗ୍ରହଣ ନକରି ମନ୍ତ୍ରର ପ୍ରୟୋଗ ଦ୍ୱାରା କେହି ସିଦ୍ଧି ଲାଭ କରିପାରିବ ନାହିଁ  । ସିଦ୍ଧଗୁରୁଙ୍କ ଠାରୁ ମନ୍ତ୍ର ଦୀକ୍ଷା ନେବା ପରେ ସାଧନା କରିବା ବିଧେୟ  । ସିଦ୍ଧଗୁରୁ ବେଦବେଦାନ୍ତ ଓ ଦର୍ଶନ ଶାସ୍ତ୍ର ବିଶାରଦ ହୋଇଥିବେ ଏବଂ ଆଚରଣ ଶୁଦ୍ଧ ମହାତ୍ମା ହୋଇଥିବେ  । ‘ଶାରଦାତିଳକ’ ତନ୍ତ୍ରରେ ଦୀକ୍ଷା ଶବ୍ଦର ଉକ୍ରୃଷ୍ଟ ବ୍ୟାଖ୍ୟା କରାଯାଇ ଉଲ୍ଲେଖ ଅଛି ଯେ, ଦୀକ୍ଷା ହିଁ ସକଳ କର୍ମବାସନାକୁ କ୍ଷୀଣ କରିଦେଇ ଦିବ୍ୟଭାବ ସଞ୍ଚାର କରିଥାଏ  । ‘ବୃହତ ତନ୍ତ୍ର ସାର’ରେ ଉଲ୍ଲେଖ ଅଛି ଯେ ଦୀକ୍ଷା ତିନି ପ୍ରକାରର  । ଦୀକ୍ଷା ପ୍ରସଙ୍ଗ ଯୋଗିନୀ ତୃତୀୟ ଦୀନାରତ୍ନ, ଦୀକ୍ଷାକଳ୍ପଦ୍ରୁମ, ଦୀକ୍ଷାକୋ÷ମୁଦୀ, ଦୀକ୍ଷାଦର୍ଶ ଓ ରୁଦ୍ରଯାମଳ ପ୍ରଭୃତି ଗ୍ରନ୍ଥସମୂହରେ ବର୍ଣ୍ଣିତ  ।
ତାନ୍ତ୍ରିକ ବିଚାରବୋଧରେ ଭାବର ମହତ୍ତ୍ୱ ସର୍ବାଧିକ  । ସାଧକ ଆପଣାର ଇଷ୍ଟଙ୍କ ସହିତ ତଦାତ୍ମ୍ୟ ସ୍ଥାପନ କରିବା ନିମିତ୍ତ ଭାବର ପ୍ରୟୋଜନୀୟତା ରହିଛି  । ଭାବ ହେଉଛି ମନର ଧର୍ମ  । ଭାବରେ ସକଳ ପ୍ରାପ୍ତି ହୋଇଥାଏ  । ତପ, ହୋମ, ତର୍ପଣ, ଦେବତାଦର୍ଶନ ଓ ପରମଜ୍ଞାନ ପ୍ରାପ୍ତି ଭାବ ଦ୍ୱାରା ହିଁ ପରିପୂର୍ଣ୍ଣତା ଲାଭ କରିଥାଏ  । ତନ୍ତ୍ରଶାସ୍ତ୍ରରେ ଦିବ୍ୟ, ବୀର ଓ ପଶୁ ଏହି ତିନି ଭାବର କଥା କୁହାଯାଇଛି  । ଯେଉଁମାନେ ହିତାହିତ ଜ୍ଞାନ ବିବର୍ଜିତ  ସେମାନେ ପଶୁ ପଦବାଚ୍ୟ ତଥା ସେମାନଙ୍କର ଭାବ ପଶୁଭାବ  । ସାଧକ ପ୍ରାଥମିକ ସାଧନା କାଳରେ ତମଗୁଣ ପ୍ରଧାନ ପଶୁଭାବ ଧାରଣ କରିଥାଏ  । କ୍ରମେ ଅସଦ୍ଗୁଣ ଦୂରୀଭୂତ ହୋଇ ରଜୋଗୁଣ ପ୍ରଭାବରୁ ବୀରଭାବ ଜାଗ୍ରତ ହୋଇଥାଏ  । ଶେଷରେ ସତ୍ତ୍ୱଗୁଣ ପ୍ରଭାବରୁ ଦିବ୍ୟଭାବ ଜାଗ୍ରତ ହୁଏ  । ଦିବ୍ୟ ଭାବାପନ୍ନ ସାଧନ ହିଁ ଉଚ୍ଚକୋଟୀର ସାଧକ  । ଭାବ ସହିତ ଆଚାରର ମଧ୍ୟ ସ୍ୱକ୍ଷ୍ମତି ସୂକ୍ଷ୍ମ ସଂପର୍କ ରହିଛି  । ସାଧକର ମାନସିକ ଅବସ୍ଥାର ନାମ ଭାବ ଓ ବାହ୍ୟ ଆଚରଣର ନାମ ଆଚାର  । ତନ୍ତ୍ର ସାଧନାରେ ସାତ ପ୍ରକାର ଆଚାରକୁ ପ୍ରାଧାନ୍ୟ ଦିଆଯାଇଛି  । ସେଗୁଡିକ ହେଉଛି ବେଦାଚାର, ବୈଷ୍ଣବାଚାର, ଶୈବାଚାର, ଦକ୍ଷିଣାଚାର, ବାମାଚାର, ସିଦ୍ଧାନ୍ତାଚାର ଓ କୋ÷ଳାଚାର  । ବେଦାଚାର ଦ୍ୱାରା ବାହ୍ୟଶୁଦ୍ଧି, ବୈଷ୍ଣବାଚାରରେ ଭକ୍ତିପ୍ରାପ୍ତି, ଶୈବାଚାରରେ ବିଚାରଜ୍ଞାନ ପ୍ରାପ୍ତି, ଦକ୍ଷିଣାଚାରରେ ଆଚରଣ ପ୍ରାପ୍ତି, ବାମାଚାରରେ ପ୍ରତିକୂଳ ଆଚରଣ ଦ୍ୱାରା ପଞ୍ଚତତ୍ତ୍ୱ ପ୍ରାପ୍ତି, ସିଦ୍ଧାନ୍ତାଚାରରେ ବ୍ରହ୍ମାନନ୍ଦ ପ୍ରାପ୍ତି ଏବଂ କୋ÷ଳାଚାରରେ ପରିପୂର୍ଣ୍ଣ ବ୍ରହ୍ମଜ୍ଞାନ ପ୍ରାପ୍ତି ହୋଇଥାଏ  । ପଶୁଭାବ ସହିତ ବେଦାଚାର, ବୈଷ୍ଣବାଚାର, ଶୈବାଚାର ଓ ଦକ୍ଷିଣାଚାରର ସଂପର୍କ ରହିଛି  । ତତ୍ପରେ ବୀରଭାବ ଦ୍ୱାରା ସାଧକ ବାମାଚାରରେ ପ୍ରବୃତ୍ତ ହୋଇଥାଏ  । ବାମାଚାରର ଗୋପନୀୟ ସାଧନା ଦ୍ୱାରା ସେ ଦ୍ୱେତବାଦରୁ ଊଦ୍ଧ୍ୱର୍ରେ ସ୍ଥିତ ଅଦ୍ୱୈତାନନ୍ଦ ଆସ୍ୱାଦନ ନିମିତ୍ତ ଯୋଗ୍ୟ ହୋଇଥାଏ  । ବୀର ଭାବର ଏହି ଉଚ୍ଚାଙ୍ଗସ୍ଥିତିରେ ସାଧକ ସିଦ୍ଧାନ୍ତାଚାରରେ ପ୍ରବୃତ୍ତ ହୋଇ ବ୍ରହ୍ମାନନ୍ଦ ଲାଭ କରେ  । ପରିଶେଷରେ ସେ ଦିବ୍ୟ ଭାବରେ କୋ÷ଳାଚାରରେ ପ୍ରବେଶ କରେ ତଥା ପୂର୍ଣ୍ଣ ବ୍ରହ୍ମଜ୍ଞାନର ଅଧିକାରୀ ହୁଏ  । ଏତାଦୃଶ ତନ୍ତ୍ର ସାଧକଙ୍କ ଅନ୍ତଃକରଣ ଶାକ୍ତଭାବାପନ୍ନ, ବାହ୍ୟ ଶୈବଭାବାପନ୍ନ ଏବଂ ସର୍ବସାଧାରଣରେ ସେମାନେ ବୈଷ୍ଣବ ଭାବାପନ୍ନ  ।
ଅନ୍ତଃ ଶାକ୍ତା ବିହିତ ଶୈବାଃ ସତ୍ତା ମଧ୍ୟେ ଚ ବୈଷ୍ଣବାଃ
ନାନାରୂପଧରାଃ କୋ÷ଳା ବିଚରନ୍ତି ମହୀତଳେ  ।
ଭାରତୀୟ ଧର୍ମ ଓ ଦର୍ଶନ ନିଗମାଗମ ମୂଳକ  । ଅର୍ଥାତ୍ ଭାରତୀୟ ଧର୍ମ ଓ ଦର୍ଶନରେ ବେଦ ବା ନିଗମର ଯେତିକି ମହତ୍ତ୍ୱ ରହିଛି, ଆଗମ ବା ତନ୍ତ୍ରର ସେତିକି ଗୁରୁତ୍ୱ ରହିଛି  । ତନ୍ତ୍ରସିଦ୍ଧ ବୃନ୍ଦ ବେଦର ତତ୍ତ୍ୱ ସମୂହକୁ ତାନ୍ତ୍ରିକ ଧାରାରେ ପ୍ରତ୍ୟକ୍ଷ କରିବା ନିମିତ୍ତ ମନୋନିବେଶ କଲେ  । ବୈଦିକ ଓ ତାନ୍ତ୍ରିକ ଉଭୟ ଦର୍ଶନର ମିଳନାତ୍ମକ ପ୍ରକ୍ରିୟାରେ ଭାରତବର୍ଷରେ ନିଗମାଗମ ମୂଳକ ଧର୍ମ, ସଂସ୍କୃତି ଓ ଦର୍ଶନର ଧାରା ପ୍ରବାହିତ ହୋଇଥିଲା  । ଏପରିକି ଭାରତ ମାଟିରେ ଜନ୍ମ ନେଇଥିବା ଅବୈଦିକ ଦର୍ଶନ ଜୈନ ଓ ବୋ÷ଦ୍ଧମତବାଦୀମାନେ ମଧ୍ୟ ତନ୍ତ୍ରକୁ ଆପଣେଇ ନେଇଥିଲେ  । ସଂକ୍ଷେପରେ ଉଲ୍ଲେଖ କଲେ, ବୈଦିକ, ଶୈବ, ଶାକ୍ତ, ବୈଷ୍ଣବ, ନାଗ, ଶାବର, ଜୈନ ଓ ବୋ÷ଦ୍ଧ ପ୍ରତ୍ୟେକ ଧର୍ମ ଧାରାରେ ତନ୍ତ୍ରାଚାରର ଅନୁପ୍ରବେଶ ଘଟି ତାନ୍ତ୍ରିକ ସାଧନା ପଦ୍ଧତି ଓ ତନ୍ତ୍ରମୂଳକ ଦାର୍ଶନିକ ସିଦ୍ଧାନ୍ତ ଭାରତୀୟ ଧର୍ମ ଓ ଦର୍ଶନର ଅଙ୍ଗୀଭୂତ ହୋଇଗଲା  । ତନ୍ତ୍ରଶାସ୍ତ୍ରରେ ମଧ୍ୟ ଓଡ଼ିଶାକୁ ପ୍ରଥମ ତନ୍ତ୍ରପୀଠ ବା ‘ଓଡ୍ରାଖ୍ୟଂ ପ୍ରଥମ ପୀଠଂ କୁହାଯାଇଛି  । ପ୍ରମାଣିତ ହୁଏ ଓଡ଼ିଶାର ତନ୍ତ୍ର ସାଧକ ଗଣ ଉଚ୍ଚତର ତନ୍ତ୍ର ସଂବୋଧି ଲାଭ ପୂର୍ବକ ବହୁପୀଠ ସ୍ଥାପନ କରିଥିଲେ ତଥା ବହୁ ତନ୍ତ୍ରଶାସ୍ତ୍ର ରଚନା କରିଥିଲେ, ଯାହା ସ୍ୱତନ୍ତ୍ର ଆଲୋଚନା ପ୍ରତୀକ୍ଷା କରିଥାଏ  । ଓଡ଼ିଶା ଭୂଖଣ୍ଡରେ କୋ÷ଳସାଧକମାନଙ୍କ ପ୍ରାବଲ୍ୟକୁ ଉପଲକ୍ଷ୍ୟ ପ୍ରଦାନ କରାଯାଇ ଉଡ୍ଡୀୟାନ ତନ୍ତ୍ରରେ କୁହାଯାଇଛି  ।
ଉଡ୍ତୀୟାନ ପରଂ ପୀଠଂ ଯତ୍ର ବୈତରଣୀ ନଦୀ,
ଉଡ୍ରଭୂମିଃ ମହାକୌଳଃ ଯାବତ୍ ମହେନ୍ଦ୍ର ପର୍ବତମ୍  ।
ଆନନ୍ଦନଗର , କାଠଗଡା, ଢେଙ୍କାନାଳ,
ମୋ: ୮୮୯୫୨୩୦୭୨୨