ଅଣୁ ଖତ କେନ୍ଦ୍ର ଉଦ୍ଘାଟିତ

 ପାରାଦୀପ: ପାରାଦୀପ ଉପକଣ୍ଠ ସ୍ଥିତ ରଙ୍ଗିଆଗଡ ଅଞ୍ଚଳରେ ପୌରପାଳିକା ପକ୍ଷରୁ ପ୍ରସ୍ତୁତ ଏକ ମଳ ଉପଚାର, ବସ୍ତୁ ପୁନର୍ଲାଭ ଏବଂ ଅଣୁ ଖତ କେନ୍ଦ୍ରକୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉଦ୍ଘାଟନ କରିଛନ୍ତି । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ମଳ ଉପଚାର କେନ୍ଦ୍ରରେ ମଳକୁ ବିନିଯୋଗ କରାଯାଇ ତାହାକୁ ଖତ ଉପଯୋଗୀ କରାଯିବା ସହ ସେଥିରୁ ବାହାରୁଥିବା ପାଣିକୁ ପୁ୍ୟରିଫାଇ କରି ବିଭିନ୍ନ ଉଦ୍ୟାନରେ  ବ୍ୟବହାର କରାଯିବ । ସେହିପରି, ବସ୍ତୁ ପୁନର୍ଲାଭ କେନ୍ଦ୍ର ଦ୍ୱାରା ବର୍ଜ୍ୟବସ୍ତୁରୁ ପୁନଃ ବ୍ୟବହାର ଯୋଗ୍ୟ ସାମଗ୍ରୀ ବାହାରି ପାରିବ ଏବଂ ଅଣୁ ଖତ କେନ୍ଦ୍ର ଦ୍ୱାରା ମୁନିସିପାଲିଟି ଅଞ୍ଚଳର ବର୍ଜ୍ୟବସ୍ତୁ, ବିଶେଷ କରି ଓଦା ବର୍ଜ୍ୟବସ୍ତୁରୁ ବ୍ୟବହାର ଉପୋଯୋଗୀ କର୍ପୋଷ୍ଟ ଖତ ପ୍ରସ୍ତୁତ କରାଯାଇପାରିବ । ଏହାଦ୍ୱାରା ପାରାଦ୍ୱୀପ ସହରର ପରିମଳ ବ୍ୟବସ୍ଥା ସୁଦୃଢ଼ ହେବା ସହିତ ପରିବେଶ ପ୍ରଦୂଷଣ ରୋକିବାରେ ସହାୟକ ହୋଇ ପାରିବ ।  ଏଥି ସହିତ ସେଠାରେ ‘ଏକ ପେଡ ମା କେ ନାମ' ଅଭିଯାନ ଅଧୀନରେ ଏକ ବୃକ୍ଷରୋପଣ କରାଯାଇ ପରିବେଶକୁ ସବୁଜ ସୁନ୍ଦର ରଖିବା ଲାଗି ବ୍ୟାପକ ଗଛ ଲଗାଇ ତା'ର ଯତ୍ନ ନେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପାରାଦୀପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ମନ୍ତ୍ରୀଙ୍କ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂହ, ପାରିଷଦ ସୁବ୍ରତ ପ୍ରଧାନଙ୍କ ସମେତ ପୌରପାଳିକାର  ଅଧିକାରୀ, କର୍ମଚାରୀ ଓ ପୌର ପାରିଷଦ  ଉପସ୍ଥିତ ଥିଲେ ।