ଅଦିନିଆ ବର୍ଷାରେ ଚାଷୀ କଲବଲ
ପାଣିକୋଇଲି: ଲାଗିରହିଛି ଅଦିନିଆ ବର୍ଷା ଲଘୁଚାପ ଯୋଗୁ ଗତକାଲି ବିଳମ୍ବିତ ରାତିରୁ ଲଗାଣ ବର୍ଷା ଫଳରେ ଚାଷୀଙ୍କୁ କଲବଲ ହେବାକୁ ପଡୁଛି । ଧାନ କରିଥିବା ଅନେକ ଚାଷୀ ଅମଳ କରି ନଥିବା ବେଳେ, ଅନେକ ଖଳାରେ ଧାନ ପକାଇ ରଖିଥିଲେ । ଯାହା ବର୍ଷାରେ ପ୍ରଭାବିତ ହୋଇଛି । ଧାନ ଅମଳ ସମୟରେ ଲଗାଣ ବର୍ଷା ଯୋଗୁ ଧାନ କିଆରିରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି । ଆଉ ତା ଭିତରେ ହେକ୍ଟର ହେକ୍ଟର ଚାଷ ଜମିରେ ପଡି ରହିଛି ବର୍ଷକର ଧାନ । ତେବେ ବିଲରେ ପାଣି ଯୋଗୁ ଧାନ ଫସଲକୁ ଖଳାକୁ ନେଇବା ପାଇଁ ଚାଷୀଙ୍କ ପାଇଁ ଅସମ୍ଭବ ହେଇପଡ଼ିଛି । ଏଭଳି ଦୃଶ୍ୟ କୋରେଇ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ଶହଶହ ଚାଷୀଙ୍କ ଏକର ଏକର ଜମିରେ ସ୍ୱର୍ଣ୍ଣ କନକ, ପୁଷ୍ପା, ସାଧନା, ସାବିତ୍ରୀ, ପଦ୍ମଜା ଆଦି କିସମର ଧାନ ପଡ଼ିରହିଛି । ଚଳିତବର୍ଷ ଭଲ ଚାଷ ହେଇଥିଲେ ବି ଲଗାଣ ବର୍ଷ ଧାନ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି । ଅଧିକାଂଶ ବିଲରେ ଚାଷୀ ଧାନ ଫସଲ କାଟି ନଥିବା ବେଳେ ବର୍ଷା ଯୋଗୁ ପାଣି ଭିତରେ ଶୋଇଯାଇ ପଚିବା ଅବସ୍ଥାକୁ ଆସି ଯାଇଥିବା ଦେଖିବାକୁ ମିଳିଛି ।