ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକରେ ଅଦିନିଆ ବର୍ଷା ଦାଉରୁ ରବି ଧାନ ନଷ୍ଟ । ଜମିରେ କରପା ପଡ଼ି ଧାନ ଗଜା ହୋଇଥିବା ଅଭିଯୋଗ ହୋଇଛି । ଚଳିତ ବର୍ଷ ରବିଧାନ ଚାଷ କରି କୃଷକ ସମାଜ ବେଶ ଆନନ୍ଦିତ ଥିଲେ । ତିଖଳି ନିମ୍ନଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ଜମି ଜଳ ସେଚନ ବ୍ୟବସ୍ଥା ଥିବାବେଳେ ଚଳିତ ବର୍ଷ ଜମିରେ ଧାନ ଅମଳ ଭଲ ହୋଇଥିଲା । ଅନେକ ଚାଷୀ ଧାନ କାଟି କରପା ବୋହିବାକୁ ବାହାରି ଥିବାବେଳେ ଅଦିନିଆ ବର୍ଷା ହୋଇଥିଲା । ବର୍ଷାରୁ ଧାନ କରପା ପାଣିରେ ରହି ଗଜା ହୋଇଛି । ବର୍ତ୍ତମାନ ଚାଷୀମାନେ କରପା ବୋହି ଖଲାକୁ ଆଣି ଶୁଖାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୁଣି ବର୍ଷା କାରଣରୁ ଧାନ କରପା ଭିଜି ଗଜା ହୋଇଛି । ବରଗାଁ, ବେନ୍ଦ୍ରାବାହାଲ, ଡୁମେରବାହାଲ, ଚଳାନପଡା, ଗୋଇମୁଣ୍ଡି, କାସିପଲା, ବରପଦର ସମେତ ୫୦ରୁ ଊର୍ଦ୍ଧ୍ୱ ଗ୍ରାମର ଚାଷୀ ଜମିରେ ଧାନ ଚାଷ କରିଥିଲେ । ଅମଳ ବେଳକୁ ଅଦିନିଆ ବର୍ଷା ଦାଉ ସାଧୁଛି । କାରଣ ଜମିରେ ଧାନ ଗଜା ହୋଇଥିବା ବେଳେ ଧାନ ବିକ୍ରି ପାଇଁ ମଧ୍ୟ ନାହିଁ ନ ଥିବା ସମସ୍ୟା ସମ୍ମୁଖୀନ ହୋଇଛନ୍ତି । ଆବଶ୍ୟକ କ୍ଷତିପୂରଣ ପାଇଁ ରାଜସ୍ୱ ଏବଂ କୃଷି ବିଭାଗ ମିଳିତ ତଦନ୍ତ କରି କ୍ଷୟକ୍ଷତି ଆକଳନ କରିବାକୁ ଚାଷୀମାନେ ଦାବି କରିଛନ୍ତି ।