ଅଧ୍ୟାପକ କରିଛନ୍ତି ଜମି ଜବଦଦଖଲ, ପୁଲିସ ନିଷ୍କ୍ରିୟ 

ବାଲିକୁଦା : ଦର୍ପଣ ତହସିଲ ଅନ୍ତର୍ଗତ ପତରାଜପୁର ମୌଜାରେ ଜଣେ ଅବସରପ୍ରାପ୍ତ ଅଧ୍ୟାପକଙ୍କ ଜମିକୁ ଯୋର ଜବରଦସ୍ତ ଦଖଲ କରି ଘର ନିର୍ମାଣକୁ ନେଇ ଥାନାରେ ଅଭିଯୋଗ ହୋଇଛି । ହେଲେ ପୁଲିସ ପକ୍ଷରୁ ନିରାଶ ହେବା ପରେ ଅବସରପ୍ରାପ୍ତ ଅଧ୍ୟାପକ କୋର୍ଟରେ ଆଶ୍ରୟ ନେଇଛନ୍ତି । ବେନିୟମ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ କୋର୍ଟର ନିର୍ଦ୍ଦେଶ ସତ୍ତେ୍ୱ ନିର୍ମାଣ କାମ ବନ୍ଦ ପାଇଁ ପୁଲିସର ନୀରବତା ଅଧ୍ୟାପକଙ୍କୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଅଧ୍ୟାପକ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରକାଶ ଥାଉକି ବାଲିଚନ୍ଦ୍ରପୁର ସ୍ଥିତ ସାହାସପୁର ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଚାକିରୀ ଜୀବନ ଆରମ୍ଭ କରିଥିବା ମଦନ ମୋହନ ସାମଲଙ୍କ ଘର ହେଉଛି କେନ୍ଦ୍ରାପଡ଼ା ଜିଲା ଚାନ୍ଦୋଳ ନିକଟ କୋଷିଦା ଗ୍ରାମରେ । ସେ ସାହାସପୁର କଲେଜରେ ଚାକିରି କରିଥିବା ଅବସ୍ଥାରେ ୨୦୦୪ ମସିହାରେ ନିକଟସ୍ଥ ପତରାଜପୁର ମୌଜାରେ ଖଣ୍ଡେ ଜମି କିଣିଥିଲେ । ଯାହାର ଖାନ ନଂ୧୪୭ ଓ ପ୍ଲଟ ନଂ ୧୮୦୮ଅଟେ ଏବଂ ସମୁଦାୟ ୧୪ଡ଼ିସିମିଲ ଅଟେ । ଜମିଟି ଦୀର୍ଘ ୨୦ବର୍ଷ ହେବ ଚାଷ ହେଉଥିଲା । କିନ୍ତୁ ଗତ ମେ ମାସରେ ଜମିରେ ପତରାଜପୁର ଗ୍ରାମର ଶୁକଦେବ ସେନାପତିଙ୍କ ତିନି ପୁଅ ଯଦୁନାଥ, ପଦ୍ମନାଭ ଓ ଉଦୟନାଥ ଜବର ଦଖଲ କଲେ । ଯାହାକୁ ନେଇ ମଦନ ସାମଲ ପ୍ରଥମେ ବାଲିଚନ୍ଦ୍ରପୁର ଥାନା ଓ ପରେ ଯାଜପୁର ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଓ ୧୪୪ ଧାରା ଜାରି ହେବା ସତ୍ୱେ ମଧ୍ୟ ସମ୍ପୃକ୍ତ ୩ଭାଇ ପୁନର୍ବାର ସେ ଜମି ଉପରେ ସ୍ଥାୟୀ ଗୃହ ନିର୍ମାଣ ଆରମ୍ଭ କଲେ । ଏହି ଗୃହ ଆରମ୍ଭ କରିବା ପରେ ମଦନ ଯାଜପୁର କୋର୍ଟର ଦ୍ୱାରସ୍ଥ ହେଲେ । ଭାରତୀୟ ନାଗରିକ ସୁରକ୍ଷା ସଂହିତା ୧୬୩ରେ କୋର୍ଟ ବାଲିଚନ୍ଦ୍ରପୁର ପୁଲିସକୁ ଏହାର ତଦନ୍ତ କରି ରିପୋର୍ଟ ଦେବା ସହ ସ୍ଥାୟୀ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ସ୍ଥାୟୀ ଗୃହ ନିର୍ମାଣ କାର୍ଯ୍ୟ ଚାଲୁରହିଛି । ଏବିଷୟରେ ଥାନାଧିକାରୀ ସମରଜିତ୍‌ ନାୟକଙ୍କୁ ଯୋଗାଯୋଗ କରିବାରେ ସେ କୁହନ୍ତି ଯେ ଦୀର୍ଘ ୬ମାସ ପୂର୍ବରୁ ଏବଂ ୧ସପ୍ତାହ ପୂର୍ବରୁ ମୁଁ ଅଧ୍ୟାପକ ଶ୍ରୀ ସାମଲଙ୍କୁ ଜମି ମାପ ଚୁପ କରାଇ ବାଡ଼ ବସାଇବାକୁ କହିଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ଅମିନ ଡ଼କାଇ ମାପ ଚୁପ କରୁନାହାଁନ୍ତି ।