ନିର୍ମାଣର ୫ବର୍ଷ ପରେ ବି ; ସେବାରେ ଆସୁନି ବିଜୁ ସେତୁ

ବୈତରଣୀ ରୋଡ଼ : ଗୋଟିଏ ଜିଲାକୁ ଆଉ ଗୋଟିଏ ଜିଲା ସହ ସଂଯୋଗ କରିବାକୁ ସରକାର ସଡ଼କ ପଥ ନିର୍ମାଣ କରୁଛନ୍ତି । ସଡ଼କପଥରେ ନଦୀନାଳ ପଡ଼ିଲେ ପୋଲିଆ କିମ୍ବା ସେତୁ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି । କିନ୍ତୁ କିଛି ସ୍ଥାନେ ବ୍ୟକ୍ତିଗତ ମାଲିକାରେ ଥିବା ସତ୍ୱେ ପାଇଁ ସଡ଼କପଥ ଲୋକଙ୍କ କାମରେ ଲାଗୁନି । ବର୍ଷ ପରେ ବର୍ଷ ବିତିଯାଉଥିଲେ ବି ବିଭାଗ ଏହାର ସମାଧାନ କରିପାରୁନି । ଯାହା ଫଳରେ ସରକାରୀ ଅର୍ଥ ପାଣିରେ ପଡ଼ିିବା ସଦୃଶ ହେଉଛି । କୋରେଇ ବ୍ଲକର ବନ୍ଦାଳ ପଞ୍ଚାୟତ ଅନ୍ତର୍ଗତ ବୈତରଣୀ ନଦୀ ଉପରେ ନିର୍ମିତ ବିଜୁ ସେତୁ ହେଉଛି ଏହାର ବଡ଼ ପ୍ରମାଣ । ବ୍ଲକର ବନ୍ଦାଳ ନିକଟ ଦେଇ ବହି ଯାଇଥିବା ବୈତରଣୀ ନଦୀ ଉପରେ ସେତୁ ନିର୍ମାଣ କରାଯାଇ ଯାଜପୁରକୁ ଭଦ୍ରକ ଜିଲ୍ଲା ସହ ସଂଯୋଗ କରିବାକୁ ସେତୁ ନିର୍ମାଣର ପରିକଳ୍ପନା ୨୦୧୯ ମସିହାରେ କରାଯାଇଥିଲା । ଏଥିନିମନ୍ତେ ସେସମୟ ବା ଏବର କୋରେଇ ବିଧାୟକ ଆକାଶ ଦାସନାୟଙ୍କ ଉଦ୍ୟମରୁ ମଞ୍ଜୁରୀ ମିଳିବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ଏବଂ ସେତୁ ନିର୍ମାଣ ମଞ୍ଜୁରୀ ମିଳିଥିଲା । ପରେ ସେତୁର ଶିଳାନ୍ୟାସ ବି କରାଯାଇଥିଲା । ୨୫କୋଟି ପାଖାପାଖି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୧ରେ ଶେଷ ହେଲା । ହେଲେ ବିଡ଼ମ୍ବନା ସେତୁ ନିର୍ମାଣକୁ ପାଞ୍ଚବର୍ଷ ବିତିଯାଇଥିଲେ ବି ତାହା ଜନତାଙ୍କ ସେବାରେ ଆସିପାରୁନି । ସଂଯୋଗ ରାସ୍ତା ନିର୍ମାଣ ହୋଇପାରୁନଥିବାରୁ ସେତୁର ଗୋଟିଏ ପାଶ୍ୱର୍ କାର୍ଯ୍ୟ ଏଯାବଦ ଅଧୁରା ହୋଇପଡ଼ିଛି । ଅସଂପୂର୍ଣ୍ଣତା କାରଣରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ସେତୁରେ ଏକ ବାଉଁଶ ବାନ୍ଧି ବନ୍ଦ ରଖିଛି । ସଂଯୋଗ ରାସ୍ତା ନିର୍ମାଣ ଦିିଗରେ ବିଭାଗ ଯେଭଳି ଉଦ୍ୟମ କରିବା କଥା ତାହା କରୁନି । ଯାହା ଫଳରେ ୫ବର୍ଷ ହେଲା ଯାଜପୁରରୁ ଭଦ୍ରକକୁ ସଡ଼କପଥ ସଂଯୋଗ ଅଧୁରା ହୋଇପଡ଼ିଛି ।

  • ହୋଇପାରୁନି ସଂଯୋଗ ରାସ୍ତା
  • ବାଉଁଶ ବାନ୍ଧି ବନ୍ଦ କରିଛି ପ୍ରଶାସନ

ଏହି ସେତୁ ଉପରେ ନିର୍ଭରଶୀଳ ଲୋକ ଯାତାୟତ ପାଇଁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଭୌଗଳିକ ଦୃଷ୍ଟି କୋଣରୁ ସଂଯୋଗ ରାସ୍ତା ଗୁରୁତ୍ୱ ବହନ କରୁଛି । ସଂଯୋଗ ରାସ୍ତା ଭଦ୍ରକ ଜିଲାର ବନ୍ଦାଳ, ମଢ଼ିଆଲି, ଖପୁରିଆପଦା, ବଳିପୂର୍ବ ମଞ୍ଜୁରୀରୋଡ ଆଦି ଗ୍ରାମ ଗୁଡ଼ିର ପ୍ରାୟ୧୫ହଜାର ଲୋକ ସେତୁ ଦେଇ କୋରେଇ ବ୍ଲକର ବୈତରଣୀ ରୋଡ଼କୁ ଆରାମରେ ଯିବା ଆସିବା କରିପାରିଥାନ୍ତେ । ହେଲେ ସେତୁର ଅପର ପାର୍ଶ୍ୱରେ ବ୍ୟକ୍ତିଗତ ଜାଗା କାରଣରୁ ସେତୁ ରାସ୍ତା ପ୍ରତିବନ୍ଧକ ସୃଷ୍ଟି କରିଛି । ଯଦି ଏହା ସତ୍ୟ ହୋଇଥାଏ ଜନସାଧାରଣଙ୍କ ଟିକସ ଅର୍ଥରେ ନିର୍ମିତ ସେତୁ ଏକ ପ୍ରକାର ଅଚଳ ବୋଲି କୁହାଯାଇପାରିବ ସେତୁ ସେବାରେ ନ ଆସିବା ଅଞ୍ଚଳବାସୀଙ୍କ ମନରେ ନୈରାଶ୍ୟ ଦେଖାଦେଇଛି । ସରକାରୀ ବାବୁଙ୍କ ଖାମଖିଆଲି ନୀତିରେ ପ୍ରକଳ୍ପ କାର୍ଯ୍ୟ ସରିଥିଲେ ବି କୌଣସି କାମରେ ଆସୁନି । ଯାହା ଆଲୋଚନାର ବିଷୟ ପାଲଟିଛି । ବିଭାଗୀୟ ଅଧିକାରୀ ତୁରନ୍ତ ଏହାକୁ କାର୍ଯ୍ୟକ୍ରମ କରିବା ପାଇଁ ବନ୍ଦାଳ ସରପଞ୍ଚ ବିଷ୍ଣୁ ଚରଣ ରଥ ଦାବି ରଖିଛନ୍ତି । ଏହି କ୍ରମରେ ଗ୍ରାମବାସୀଙ୍କ ଦ୍ୱାରା ସମୂହ କୋରେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।