ଅନ୍ତ୍ୟୋଦୟ ଗୃହ ଯୋଜନାରେ ହେରଫେର : ଭଙ୍ଗା କୁଡ଼ିଆରେ ଦିବ୍ୟାଙ୍ଗ ପରିବାର

 ବ୍ରହ୍ମବରଦା : କୌଣସି ଅସହାୟ ପରିବାର କଚା ଘରେ ରହିବେନି ସେଥିପାଇଁ ସରକାରଙ୍କ ଆବାସ ଯୋଜନା । ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଜରିଆରେ ଲକ୍ଷ ଲକ୍ଷ ଅନ୍ତ୍ୟୋଦୟ ଗୃହ ଯୋଗାଇ ଦେଉଥିବା ବେଳେ, ଆଜିବି ଅନେକ ଭଙ୍ଗା କୁଡ଼ିଆରେ ଜୀବନ କାଟୁଛନ୍ତି । 
ପଞ୍ଚାୟତ ପ୍ରତିନିଧି ଓ ପ୍ରାଶାସନିକ ଅଧିକାରୀଙ୍କ ଦୃଷ୍ଟିରେ ସବୁ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରାଯିବା ସହିତ ଅନ୍ୟ କେହି ପାଇବାକୁ ହକଦାର ନଥିବା ବୋଲି କୁହାଯାଉଥିବା ବେଳେ ଏକାଧିକ ଦିବ୍ୟାଙ୍ଗ, ବନ୍ୟାବାତ୍ୟା କ୍ଷତିଗ୍ରସ୍ତ ଓ ରୋଗାକ୍ରାନ୍ତ ପରିବାର ଭଙ୍ଗା କୁଡ଼ିଆରେ ଜୀବନ କାଟୁଥିବା ଦୃଶ୍ୟ ଯାଜପୁର ବ୍ଲକ ରୁଦ୍ରପୁର ପଂଚାୟତରେ ଦେଖିବାକୁ ମିଳିଛି । ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ ତାଲିକାରେ ବଡ଼ ହେରଫେରରୁ ଯୋଗ୍ୟ ହିତାଧିକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚôତ ହେଉଥିବା ଜିଲ୍ଲାପାଳ ଓ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ଗରିବ ପରିବାରକୁ ଏହି ଯୋଜନାରେ ଅର୍ନ୍ତଭୁକ୍ତ କରା ନ ଯାଇ ଆଗ ଧାଡିର କିଛି କୁଜି ନେତାଙ୍କ ସମ୍ପର୍କୀୟଙ୍କ ନାମରେ ଗୃହ ଯୋଗାଇ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ରୁଦ୍ରପୁର ଗ୍ରାମ ୨ନଂ ୱାର୍ଡର ଅରିକ୍ଷିତ ମଲ୍ଲିକଙ୍କ ଦିବ୍ୟାଙ୍ଗ ପୁଅ ଅମର (୩୮) ୫ଜଣ ପରିବାରକୁ ନେଇ ଦୟନୀୟ ଭାବେ ଚାଳଛପର ଜରିପାଲ ତଳେ ଜୀବନ ବିତାଉଛନ୍ତି । ଜନ୍ମରୁ ଗୋଟିଏ ହାତ କାମ କରୁ ନଥିବା ବେଳେ, ଛୋଟ ମୋଟ କାମ କରି ପରିବାର ଚଳାଉଛନ୍ତି । ୫୦ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଥିବା ବେଳେ, ଭତ୍ତା ପାଉଛନ୍ତି । ସେଥିରେ ଯାହା ହୁଏ ୩ ଝିଅଙ୍କ ସହିତ ସ୍ୱାମୀ-ସ୍ତ୍ରୀ ବଡ଼ କଷ୍ଠରେ ଜୀବନ ବିତାଇଥାନ୍ତି ।
ଅର୍ଥ ଅଭାବରୁ ଘର କରିବା ତାଙ୍କ ପାଇଁ ଏବେ ସ୍ୱପ୍ନ ପାଲଟିଛି । ସେହିପରି ଉକ୍ତ ୱାର୍ଡର ବାଇଧର ବଳଙ୍କ ଦିବ୍ୟାଙ୍ଗ ପୁଅ ବିପିନ (୪୦) ଜନ୍ମରୁ ୭୫ ପ୍ରତିଶତ ଭିନ୍ନକ୍ଷମ । ଗାଁ ମୁଣ୍ଡରେ ପାନ ଦୋକାନଟିଏ କରି ଯାହା ରୋଜଗାର କରନ୍ତି ସେଥିରେ ଗୋଟିଏ ୧୬ ବର୍ଷର ଝିଅ ସହିତ ଭଙ୍ଗା ଚାଳିଆ ଘରେ ପଡି ରହିଛନ୍ତି । ଅର୍ଥ ଅଭାବରୁ ଘର କରିବା ତାଙ୍କ ପକ୍ଷେ କଷ୍ଠକର ହୋଇପଡିଛି । ଗୋଟିଏ ବଖରା ଚାଳ ଛପର ତଳେ ଝିଅ ସହିତ ସ୍ୱାମୀ-ସ୍ତ୍ରୀ ଦିନ କାଟୁଛନ୍ତି । ସେହିପରି ପଞ୍ଚାୟତ ୫ନଂ ୱାର୍ଡର ଧିରେନ୍ଦ୍ର ସାହୁଙ୍କ ପୁଅ ଉପେନ୍ଦ୍ର ସାହୁ(୪୫)ଦିନେ ପାଣିକୋଇଲି ରାଇସ ମିଲ୍ରେ କାର୍ଯ୍ୟ କରି ଖୁସିରେ ପରିବାର ଚଳୁଥିଲେ । ହଠାତ ଦୁର୍ଘଟଣା ଘଟିବାରୁ ତାଙ୍କ ଦୁଇ ଗୋଡ, ହାତ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା । ବହୁ ଟଙ୍କା ଖର୍ଚ୍ଚ କଲା ପରେ ବି ଆଉ ସଚଳ ହୋଇ ପାରିଲେ ନାହିଁ । ସେବେଠୁ ଦିବ୍ୟାଙ୍ଗ ହୋଇ ପଡି ରହିଛନ୍ତି । ଗାଁ ମୁଣ୍ଡ ଛକରେ ଚାଳ ଛପର କରି ଦୟନୀୟ ଭାବେ ପେଟ୍ରୋଲ, ଚକଲେଟ ବିକ୍ରି କରି ଚଳୁଛନ୍ତି । ଘର ଖଣ୍ଡେ କରିବା ତାଙ୍କ ଦିବା ସ୍ୱପ୍ନ ପାଲଟିଛି । ସେହିପରି ଏହି ପଂଚାୟତ ବଡବାଗସାହି ଗ୍ରାମ ୧୦ନଂ ୱାର୍ଡର ବାବାଜି ବେହେରା ପୁଅ ରଞ୍ଜିତ ଦିନ ମଜୁରିଆ ଭାବେ ଯାହା ରୋଜଗାର କରନ୍ତି ସେଥିରେ ୩ ପ୍ରାଣୀ କୁଟୁମ୍ବ ଚଳାନ୍ତି । ଅର୍ଥାଭାବରୁ ଘର କରି ନପାରି ଚାଳ ଛପର ଘରେ ଦୟନୀୟ ଭାବେ ମୁଣ୍ଡ ଗୁଞ୍ଜିଛନ୍ତି । ଚଳିତବର୍ଷ ବାତ୍ୟାରେ ସରକାରଙ୍କ ପକ୍ଷରୁ ମିଳିଥିବା ଜରିପାଲ ତାଙ୍କ ପାଇଁ ସାହା ଭରଷା ପାଲଟିଛି । ଅର୍ଥ ଅଭାବରୁ ଘର କରି ନପାରି ଚାଳ ଛପର ଘରେ ପଡି ରହିଛନ୍ତି । ଘର ଖଣ୍ଡେ ପାଇଁ ଏମାନେ ସରପଞ୍ଚଙ୍କଠୁ ଆରମ୍ବ କରି ବ୍ଲକ୍ ଦୌଡି ଦୌଡି ନୟାନ୍ତ ହେଲେଣି ହେଲେ ଘର ଖଣ୍ଡେ ପାଇ ପାରୁନାହାନ୍ତି । ରାଜ୍ୟ ସରକାରଙ୍କ ଅନ୍ତ୍ୟୋଦୟ ଯୋଜନାରେ ଆବାସ ଯୋଗାଇ ଦେବା କ’ଣ ଉଚିତ ନୁହେଁ?