ଉଦ୍ଘାଟନକୁ ପୂରିଲା ଦୁଇମାସ : ଫିଟୁନି ସରୋବର ପ୍ରକଳ୍ପ କି ବ୍ୟାସଦେବ ଟାଉନ ହଲ୍ରୁ ତାଲା

 ବ୍ୟାସନଗର: ମୁଖ୍ୟମନ୍ତ୍ରୀଙ୍କ କରକମଳରେ ବହୁ ଆଡ଼ମ୍ବରରେ ହେଲା ଲୋକାର୍ପଣ । ହେଲେ ଲୋକାର୍ପଣକୁ ଦୁଇମାସ ଅତିକ୍ରାନ୍ତ ହୋଇଗଲା । କିନ୍ତୁ ବ୍ୟାସ ସରୋବର ପ୍ରକଳ୍ପ କି ବ୍ୟାସଦେବ ଟାଉନ୍ ହଲରୁ ତାଲା ଫିଟୁନି । ଯେଉଁ ଆଶା ଓ ଆକାଂକ୍ଷା ଦୁଇ ପ୍ରକଳ୍ପକୁ ନେଇ ବ୍ୟାସନଗରବାସୀଙ୍କ ମନରେ ଥିଲା ତାହା ଉଭେଇ ଗଲାଣି । କୋଟି କୋଟି ଟଙ୍କାର ଦୁଇ ପ୍ରକଳ୍ପ କାର୍ଯ୍ୟ ଯଦି ଶେଷ ହୋଇନଥିଲା, ତେବେ କାହିଁକି ଲୋକାର୍ପଣ କରାଗଲା ବୋଲି ବ୍ୟାସନଗରବାସୀଙ୍କ ମନରେ ସ୍ୱତ ପ୍ରଶ୍ନ ଉଠୁଛି । ଆଉ ଏଭଳି ପ୍ରଶ୍ନକୁ ଖିଅ କରିଥିବା ସିଭିଲ ସୋସାଇଟ ପକ୍ଷରୁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡାଯାଇଛି । ସିଭିଲ ସୋସାଇଟର ବିବେକାନନ୍ଦ ମହାନ୍ତି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି କି ୮ା୨ା୨୫ ତାରିଖରେ ବହୁ ପ୍ରତିକ୍ଷିତ ବ୍ୟାସ ସରୋବର ପ୍ରକଳ୍ପ ଏବଂ ବ୍ୟାସଦେବ ଟାଉନ ହଲ୍ ପ୍ରକଳ୍ପ ଲୋକାର୍ପିତ ହୋଇଥିଲା । ହେଲେ ଲୋକାର୍ପରଣକୁ ଦୁଇମାସ ବିତିଯାଇଥିଲେ ବି ନାଁ ବ୍ୟାସ ସରୋବର ପ୍ରକଳ୍ପକୁ କାହାରିବାକୁ ବୁଲିବାକୁ ଛାଡ଼ି ଦିଆଯାଉଛି ନାଁ ବ୍ୟାସଦେବ ଟାଉନହଲରୁ ତାଲା ଫିଟୁଛି । କାହିଁକି ଦୁଇ ପ୍ରକଳ୍ପ ଲୋକଙ୍କ ସେବାରେ ଲାଗୁନି, ଅନୁଧ୍ୟାନ କରିବା ପୂର୍ବକ ତୁରନ୍ତ ପଦକ୍ଷେପ ନେବାକୁ ସିଭିଲ ସୋସାଇଟ ପକ୍ଷରୁ ଦାବି କରାଯାଇଛି । କେବଳ ସିଭିଲ ସୋସାଇଟ ନୁହେଁ ସାଧାରଣ ଜନତା ଏବଂ ଜିଲାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ବ୍ୟାସ ସରୋବାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ମନରେ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଙ୍କି ମାରିଛି । ଯାଜପୁର ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳ ହେଉଛି ବ୍ୟାସ ସରୋବର । କିନ୍ତୁ ସରୋବରକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସେଭଳି କିଛି ଉପଭୋଗ୍ୟ କରିବା ପରି ନଥିଲା । ବ୍ୟାସ ସରୋବରକୁ ଆକର୍ଷଣୀୟ କରିବାକୁ ୨୦୨୦ରେ ସେସମୟର ସରକାର ପଦକ୍ଷେପ ନେଇଥିଲେ । ବ୍ୟାସନଗରକୁ ଡିଏମ୍ଏଫ୍ରେ ସାମିଲ ପରେ ସରୋବର ପୀଠର ଉନ୍ନତିକରଣ ନିମନ୍ତେ ଡ଼ିଏମଏଫରୁ ୬୦ କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା । ଉକ୍ତ ଅନୁଦାନ ଅର୍ଥରେ ମହାଭାରତର ଭିତିଭୂମି ଆଧାରରେ ସରୋବର ପୀଠକୁ ବିକଶିତ ପାଇଁ ନକ୍ସା ପ୍ରସ୍ତୁତ କରାଯାଇଥିଲା । ସରୋବରରେ ଦ୍ୱାପର ଯୁଗର ମହାଭାରତକୁ ଉଦ୍ଜୀବିତ କରାଯାଇଛି । ୨୯୪ ଏକର ଜମିରେ ସରୋବରର କାୟାକୁ ଉନ୍ନତିକରଣରେ ବଦଳାଇ ଦିଆଯାଇଛି । ହେଲେ କାୟା ବଦଳାଇଥିବା ବ୍ୟାସ ସରୋରବ ଆକର୍ଷଣକୁ ଦୂରରୁ ଛଡ଼ା ପାଖରୁ ଦେଖିବା ସମ୍ଭବପର ହୋଇନି । ପ୍ରକଳ୍ପକୁ ତାରବାଡ଼ ଓ କରକଟିରେ ଘେରାବନ୍ଦି କରି ରଖାଯିବା ସହ ସୁରକ୍ଷାବଳୟରେ ରଖାଯାଇଛି । ପର୍ଯ୍ୟଟକ କେବଳ ରାଘୁଜୀ ଗୋସ୍ୱାମୀଙ୍କ ଦର୍ଶନ କରି ଫେରୁଥିଲେ ହେଁ ନାଁ ଡ଼ାହାଣକୁ ନାଁ ବାଁକୁ ଯାଇପାରୁଛନ୍ତି । ସେହିପରି ଦଳବାଇପାସ ଠାରେ ୧୩କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ବ୍ୟାସଦେବ ଟାଉନ୍ ହଲ୍ରୁ କେବେ ତାଲାଫିଟିବ ତାହା ମଧ୍ୟ ସନେ୍ଦହ ଉପୁଜିଛି । କିନ୍ତୁ ଏ ସମ୍ପର୍କରେ କାହା ପାଖରେ କିଛି ଉତ୍ତର ନାହିଁ । ସିଭିଲ ସୋସାଇଟ ଦାବିକୁ ଜିିଲ୍ଲାପାଳ କେତେଦୂର ଗ୍ରହଣ କରି କି ପ୍ରକାର ପଦକ୍ଷେପ ନେଉଛନ୍ତି, ତାହା ଦେଖିବାର ଅଛି ।