ଅନ୍ଧାରରେ ପାଞ୍ଚ ପଞ୍ଚାୟତ : ବିଦୁ୍ୟତ୍ ବିଭାଗ ଖାମଖିଆଲି ନୀତି

 ବୈତରଣୀ ରୋଡ଼:  ବିଦୁ୍ୟତ ବିଭାଗର ଖାମଖିଆଲ ନୀତିରୁ କୋରେଇ ବ୍ଲକର ପାଞ୍ଚ ପଞ୍ଚାୟତ ଅନ୍ଧାରରେ ରାତି କାଟିଛନ୍ତି । ଶହଶହ ସଂଖ୍ୟାର ଉପଭୋକ୍ତା ବିଦୁ୍ୟତ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ବୈତରଣୀ ରୋଡ଼ ଆଗରେ ଏକାଠି ହୋଇ ବିଦୁ୍ୟତ ସଂଯୋଗ କରିବାକୁ ଦାବି କରିଥିଲେ ହେଁ କର୍ମଚାରୀଙ୍କ କିନ୍ତୁ ଦେଖାଦର୍ଶନ ମିଳିନଥିଲା । ବ୍ୟକ୍ତିଗତ ଘର ଉପରେ ଯାଇଥିବା୧୧କେଭି ତାର ସ୍ଥାନାନ୍ତର ଦାବିକୁ ବିଭାଗ ଗଡ଼ାଇ ଚାଲିଥିବାରୁ ପାଞ୍ଚ ପଞ୍ଚାୟତବାସୀଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଛି । ଖବର ମତେ ବରୁଣ୍ଡାଇ ଗ୍ରାମର ପ୍ରଶାନ୍ତ କୁମାର ସାହୁ  ଜମି ପ୍ଲଟ ନମ୍ବର ୯୩୫/୪୧୦୭, ଚାରି ଡିସିମିଲ ଯାଗାରେ ନୂତନ କରି ଘର ନିର୍ମାଣ କରୁଛନ୍ତି । ସେ ଘର କରିବା ନିମନ୍ତେ ଜାଗା ଉପରେ ଯାଇଥିବା ୧୧କେଭି ତାରକୁ ସ୍ଥାନାନ୍ତର କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀଙ୍କୁ ତା ୨୩ା୭ା୨୦୨୪ରେ ଆପତି ଅଭିଯୋଗ ଜଣାଇଥିଲେ । ପରବର୍ତ୍ତି ଅବସ୍ଥାରେ ତା୨୧ା୧୨ା ୨୦୨୪ ସ୍ଥାନୀୟ ସରପଞ୍ଚ ଓ ବିଧାୟକଙ୍କ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ୧୧କେଭି ବିଦୁ୍ୟତ ତାର ସ୍ଥାନାନ୍ତର କରାଗଲାନି । ଫଳତ ପ୍ରଶାନ୍ତ ଚଳିତବର୍ଷ ଜାନୁଆରି ମାସରେ ବିଭାଗକୁ ପୁଣି ଲିଖିତ ଅନୁରୋଧ କରିଥିଲେ । ବିଭାଗର ତଳୁ ଉପର ଯାଏ ଅଧିକାରୀଙ୍କୁ ନେହୁରା ହେବା ପରେ ବି ବିଭାଗ କର୍ଣ୍ଣପାତ କଲାନି । ତାଙ୍କ ସ୍ୱର୍ଗତ ପିତାଙ୍କ ବିନା ଅନୁମତିରେ ବିଭାଗ ବିଦୁ୍ୟତ ତାର ଟାଣିଥିବାରୁ ତାହାକୁ ହଟାଇବାକୁ ଅନୁରୋଧ କରିବା ସହ ମାସମାସ ଧରି ଅପେକ୍ଷା କରିବା ପରେ ତାଙ୍କ ଘର ଉପର ଦେଇ ଯାଇଥିବା ତାରକୁ ଅପରାହ୍ନ ୨ଘଟିକା ସମୟରେ ସମ୍ପୃକ୍ତ ଜାଗା ଉପରେ ଇଲେଭେନ୍ ତାରକୁ ଅଲଗା କରିଦେଇଥିଲେ । ଫଳରେ ସମଗ୍ର ଅଞ୍ଚଳରୁ ବିଦୁ୍ୟତ କାଟ୍ ହୋଇଯାଇଥିଲା । ଖବର ପାଇ ବିଭାଗୀୟ ଯନ୍ତ୍ରୀ ଘଟଣା ସ୍ଥଳରେ ପହଁଚି ପ୍ରଶାନ୍ତକୁ ବୁଝାସୁଝା କରିଥିଲେ ହେଁ ସେ ଶୁଣିନଥିଲେ । ସଂଜ ହୋଇ ରାତି ହେବା ପରେ ପାଞ୍ଚ ପଞ୍ଚାୟତ ଅନ୍ଧାରରେ କଟିଲା । ଉପଭୋକ୍ତା ଜଣେ ପରେ ଜଣେ କରି ଶହଶହ ସଂଖ୍ୟାର ପହଁଚି ବିଭାଗ କାର୍ଯ୍ୟାଳୟରେ ରୁଣ୍ଡ ହୋଇ ବିଦୁ୍ୟତ ସଂଯୋଗ କରିବାକୁ ଦାବି କରିଥିଲେ । ହେଲେ ଖବର ଲେଖା ପର୍ଯ୍ୟନ୍ତ ବିଦୁ୍ୟତ ସଂଯୋଗ ହୋଇପାରିନଥିବା ବେଳେ ବିଭାଗର ଉଚ୍ଚ ଅଧିକାରୀ ପହଁଚିନଥିଲେ ।