ଅପରାଧ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଜନା

 ଜୟପୁର : ଜୟପୁର ପୁଲିସ ଏକ ସାମ୍ୱାଦିକ ସମ୍ମିଳନୀରେ ଜୟପୁରକୁ ଅପରାଧ ମୁକ୍ତ କରିବାର ଏକ ଯୋଜନା କରିଥିବା ପ୍ରକାଶ କରିଛନ୍ତି । ଜାମିନରେ ଥିବା ଅପରାଧୀମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଏବଂ ଜାମିନ ସର୍ତ୍ତାବଳୀ ଉଲ୍ଲଂଘନ କରୁଥିବା ଅପରାଧୀଙ୍କ ତାଲିକା କରି ସେମାନଙ୍କ ଜାମିନ ରଦ୍ଦ କରିବାକୁ କୋର୍ଟ ନିବେଦନ, ପଳାତକ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଦଳ ଗଠନ, ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ ନଜର ରଖିବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବ ଇତିହାସ  ଯାଞ୍ଚ କରିବା, ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ ୧୨୯ ବିଏନଏସଏସ୍ ଧାରାରେ ଦଣ୍ଡ ଦେବା ଏବଂ ଜିଲ୍ଲାସ୍ତରରେ ଏହାକୁ ନିୟମିତ ଅନୁସରଣ କରିବା । କିଛି ନିର୍ଦ୍ଦିଷ୍ଟ ମାମଲାରେ ବେଆଇନ ଉପାୟରେ ପ୍ରାପ୍ତ ସମ୍ପତ୍ତିର ଚିହ୍ନଟ ଏବଂ ଜବତ ଉପରେ ସ୍ୱତନ୍ତ୍ର ଦୃଷ୍ଟି, ଅପରାଧିକ ଧମକ ଏବଂ ବେଆଇନ ଅର୍ଥ ଦାବି ସମ୍ବନ୍ଧୀୟ ଅଭିଯୋଗ ଗୁଡ଼ିକର ସମାଧାନ ପାଇଁ  ଜୟପୁର ଉପଖଣ୍ଡରେ ଏକ  ହେଲପ୍ଲାଇନ୍ ନମ୍ବର ୯୪୩୮୯ ୧୬୯୧୮ଆରମ୍ଭ କରାଯାଇଛି । ନାଗରିକମାନେ ଉଚ୍ଚ ଅଧିକାରୀଙ୍କ ବ୍ୟକ୍ତିଗତ ନମ୍ବର ବ୍ୟତୀତ ଏହି ହେଲପ୍ଲାଇନ୍ ମାଧ୍ୟମରେ ସିଧାସଳଖ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଯୋଗାଯୋଗ କରିପାରିବେ କୁହାଯାଇଛି । ଏହି ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ. ରାହିତ ବର୍ମା, ଉପଖଣ୍ଡ ପୋଲିସ ଅଧିକାରୀ ପାର୍ଥ ଜଗଦୀଶ କାଶ୍ୟପ, ସଦର ଥାନା ଅଧିକାରୀ ସଚିନ୍ଦ୍ର କୁମାର ପ୍ରଧାନ ଏବଂ ଟାଉନ ଥାନା ଅଧିକାରୀ ଉପସ୍ଥିତ ଥିଲେ ।