ଅପରାଧୀକ ମାମଲାରେ ୫କୋର୍ଟ ଚାଲାଣ
ବ୍ୟାସନଗର: ଯାଜପୁର ରୋଡ଼ ପୁଲିସ ବିଭିନ୍ନ ଅପରାଧିକ ୫ଜଣଙ୍କୁ ଗିରଫ କରି ଦୁଇଟି ମାମଲାରେ କୋର୍ଟ ଚାଲାଣ କରିଛି । ମାମଲା ନଂ ୭୬/୨୫ରେ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ପୈାରାଂଚଳ ରମ୍ପାସ ଗ୍ରାମର ନନ୍ଦ ସଏଙ୍କ ପୁଅ ବନମାଳି(୨୩) ହୋଇଥିବା ବେଳେ ଗଲା ୧୨ତାରିଖରେ ଏକ ମନ୍ଦିରରୁ ଚୋରି କରିବା ଅଭିଯୋଗରେ ପୁଲିସ ଗିରଫ କରିଥିଲା । ଖବର ମତେ ମନ୍ଦିରୁ ଚୋରି ହୋଇଥିବା ନେଇ କମିଟି ପକ୍ଷରୁ ଅଭିଯୋଗ ପରେ ପୁଲିସ ତଦନ୍ତ କରି ବନମାଳିକୁ କାବୁ କରିଥିଲା । ବନମାଳି ନାମରେ ଥାନାରେ ୯ଟି ମାମଲା ରହିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ସେହିପରି ଯାଜପୁର ରୋଡ଼ ପୁଲିସ ଦାଦାବଟି ଅଭିଯୋଗରେ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ସାପଗାଡ଼ିଆ ଅଂଚଳର କାଠିଆ ପାତ୍ରଙ୍କ ପୁଅ ସୁରେଶ(୩୪), କାଚହୁଡ଼ି ସାହିର ଚୈତନ୍ୟ ହେମ୍ବ୍ରମଙ୍କ ପୁଅ ଟିକୁ(୨୧), ଯୋଗିସାହିର ନାଣ୍ଡୁଅ ମୁଣ୍ଡାଙ୍କ ପୁଅ ଜଗା(୪୫) ଓ ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଂଚଳର ନରୁଲ ଇସଲାମଙ୍କ ପୁଅ ଅମଜାଜ ବବୁଲ(୩୮) ହୋଇଥିବା ବେଳେ ଏମାନେ ଆଜି ସକାଳେ ଧବଳଗିରିରେ ଦାଦାବାଟି ଆଦାୟ ପାଇଁ ଲୋକଙ୍କୁ ଧମକଚମକ ଦେଉଥିବା ବେଳେ ଧରାପଡ଼ିଥିଲେ । ପୁଲିସ ସୂଚନା ମତେ ପୁଲିସ ପାଟ୍ରୋଲିଂ ଗାଡ଼ି ବୁଲୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଁଚିଥିଲେ । ପାଟ୍ରୋଲିଂ ଗାଡ଼ିରେ ଥିବା ଏସଆଇ ଲକ୍ଷ୍ମୀପ୍ରିୟା ଦାସଙ୍କ ସହ କର୍ମଚାରୀ ଉପରୋକ୍ତ ୪ଜଣଙ୍କୁ କାବୁ କରିଥାନାକୁ ଆଣିଥିଲେ । ଅଭିଯୁକ୍ତଙ୍କ ନିକଟରୁ ଛୁରି, ଓଡ଼ି୩୪-୩୦୯୦ ପଲସର, ମୋବାଇଲ ଓ ନଗଦ ଟଙ୍କା ଜବଦ କରିଥିଲେ । ଏମାନଙ୍କ ନାମରେ କୋରେଇ ଏବଂ ଯାଜପୁର ରୋଡ଼ ଥାନାରେ ୧୦ଟି ମାମଲା ଥିବା ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।