ଅବତାର ଓ ସୃଷ୍ଟି

ଇଂ.ସଚ୍ଚିଦାନନ୍ଦ ନନ୍ଦ : ଯେଉଁ ଅବତାର ନ ଆସିଥିଲେ ଆଜିର ମାନବ ସମାଜ ଦାନବ ସମାଜ ପାଲଟିଯାଇଥାନ୍ତା ଯିଏ ଅବତରୀ ନଥିଲେ ମାନବ ଜାତିର ଉତ୍ତରଣ ସମ୍ଭବ ହୋଇନଥାନ୍ତା, ଯିଏ ଆର୍ବିଭାବ ହୋଇନଥିଲେ ଧର୍ମଗୁରୁମାନେ ତାଙ୍କ ଶିଷ୍ୟବର୍ଗଙ୍କୁ ମାର୍ଗ ଦର୍ଶନ କରାଇପାରି ନଥାନ୍ତେ, ଯିଏ ଉଚିତ ସମୟରେ ଉପଯୁକ୍ତ ଶକ୍ତି ସାମର୍ଥ୍ୟସମ୍ପନ୍ନ ଐଶ୍ୱର୍ଯ୍ୟ ଧାରଣ କରି ଯଦି ଆସିନଥାନ୍ତେ ଅନୈତିକ ଚାକଚକ୍ୟରେ ଆକର୍ଷିତ ହୋଇଯାଉଥିବା ଜନମାନସକୁ ପୁନଃ ଧର୍ମାନୁମୋଦିତ ସଂସ୍କୃତି ସମ୍ପନ୍ନ କରାଇବା ଅସମ୍ଭବ ହୋଇଥାନ୍ତା । ଯିଏ ନ ଆସିଥିଲେ ସମଗ୍ର ବିଶ୍ୱର ଅବସ୍ଥା ହିଂସ୍ରଜନ୍ତୁପୂର୍ଣ୍ଣ ଜଙ୍ଗଲରେ ପରିଣତ ହୋଇଯାଇଥାନ୍ତା । ଯିଏ ନ ଆସିଥିଲେ ପରିବାରର ସଦସ୍ୟମାନେ ସେମାନଙ୍କ ସମୁଚିତ କର୍ତ୍ତବ୍ୟ କ'ଣ ଜାଣିପାରି ନଥାନ୍ତେ । ଯିଏ ନ ଆସିଥିଲେ ତଥାକଥିତ ପଣ୍ଡିତମାନେ ଆପ୍ତବାକ୍ୟର ପ୍ରକୃତ ଅର୍ଥ ବ୍ୟାଖ୍ୟା କରି ନପାରି ତାହାକୁ କଦର୍ଥ କରୁଥାନ୍ତେ । ଯାହାଙ୍କ ଅନୁପସ୍ଥିତିରେ ମଣିଷ କେବଳ ଆକାର ମଣିଷ ହୋଇ ଅମଣିଷ ଭଳି ଅପକର୍ମ ଗୁଡ଼ିଏ କରୁଥାନ୍ତା । ଯାହାଙ୍କ ବିନା ଭାରତୀୟ ସଂସ୍କୃତି ମଧ୍ୟ ତାହାର ମହତ୍ୱ ହରାଇ ପୁରାଣ ଇତିହାସ ଭଳି ଅଲୋଡ଼ା ହୋଇପଡ଼ିଥାନ୍ତା । ଯାହାଙ୍କ ଆଗମନ ହୋଇ ନଥିଲେ ଏ ଭୂଖଣ୍ଡରେ ଥିବା ସହସ୍ର ସହସ୍ର ଦେବଦେବୀ ମନ୍ଦିରରେ ଦିଅଁମାନେ ସେମାନଙ୍କର ପ୍ରାପ୍ୟ ପୂଜା ଆରାଧନା ହରାଇ ବସିଥାନ୍ତେ । ଦିଅଁ ଦେବତା ଜ୍ଞାନ ନଥିବା ସମାଜର ଗତି ଯେଉଁଆଡ଼କୁ ଯାଉଥାନ୍ତା ତାକୁ ବାଧା ଦେଇ ପୁନଃ ପ୍ରତିଷ୍ଠା କରାଇବାରେ କିଏ ସମର୍ଥ ହୋଇଥାନ୍ତା? ଗୃହସ୍ଥ ମାନେ ତାଙ୍କ ଜୀବନର ସମସ୍ତ କିଛି ଦେଇ ଯେଉଁ ବାସଗୃହ ଖଣ୍ଡେ ନିର୍ମାଣ କରିଥିଲେ ସନ୍ତାନମାନେ ତାହାକୁ କରାୟତ୍ତ କରିନେଇ ବୃଦ୍ଧ ବୟସ୍କ ମାନଙ୍କୁ ସିଡିଘର ତଳକୁ ପଠାଇ ଦେଇଥାନ୍ତେ । ଅବତାର ତାଙ୍କର ଅଲୌକିକ ଶକ୍ତି ବଳରେ ଆଖି ଥାଇ ଅନ୍ଧ ପାଲଟିଥିବା ମାନବ ସମାଜକୁ ପୁନଃ ଦୃଷ୍ଟିଶକ୍ତି ପ୍ରଦାନ କରି ତାଙ୍କର କର୍ତ୍ତବ୍ୟ ପ୍ରତି ସଚେତନ କରାଇ ପୁରୁଷ ପରେ ପୁରୁଷ ଧରି ଯେଉଁ ସଦୟ କୃପା ପ୍ରଦାନ କରନ୍ତି ତାହା ଅଚିନ୍ତନୀୟ ।  ପରିବାରର ପବିତ୍ରତା, ମାନବ ବସତିର ନିରୋଳ ଭକ୍ତିପୂର୍ଣ୍ଣ ବାତାବରଣ, ଗୁରୁଜନ ମାନଙ୍କର ସ୍ନେହପୂର୍ଣ୍ଣ ଶାସନ, ଯୁବକମାନଙ୍କ ଦାବି ସହିତ ସେମାନଙ୍କର ଦାୟିତ୍ୱ ଜ୍ଞାନ, ମହିଳା ମାନଙ୍କ ଠାରେ ଥିବା ସହଜାତ କୋମଳତା, ସେବା ଭାବ, ଅତିଥି ପରାୟଣତା, ଗୃହାଙ୍ଗନକୁ ସ୍ୱର୍ଗରେ ପରିଣତ କରିବାର ଦକ୍ଷତା, ଶିଶୁମାନଙ୍କ ଠାରେ ଆଜ୍ଞାନୁବର୍ତ୍ତିତା, ଅଧ୍ୟବସାୟ, ଶିକ୍ଷା ଆହରଣ କରିବାର ଉତ୍ସୁକତା, ବନ୍ଧୁମାନଙ୍କ ଠାରେ ପାରସ୍ପରିକ ସ୍ନେହ, ବଡ଼ାଣିଆ ଭାବ ପରିବେର୍ତ୍ତ ପ୍ରେମାର୍ଦ୍ରଭାବ ଅବତାରଙ୍କ ବ୍ୟତୀତ କିଏ ପୁନସ୍ଥାପିତ କରାଇପାରନ୍ତା?
ପୃଥିବୀରେ ଯେତେ ଭିନ୍ନ ଭିନ୍ନ ଦେଶ ଅଛି, ସେଠାକାର ପୂର୍ବଜ ମାନଙ୍କ ସାଧନା ବଳରେ ତାଙ୍କ ଭୂଖଣ୍ଡର ଯେ ଗୋଟାଏ ସଂସ୍କୃତି ଅଛି ଏବଂ ତାହାର ପାଳନ ଓ ଅନୁସରଣ ସେ ଦେଶବାସୀଙ୍କୁ ନିଜ ପିତାଙ୍କ ଭଳି ସୁରକ୍ଷା ପ୍ରଦାନ କରେ ତାହାର ବିପରୀତ ହେଲେ ତାହା ପରିଣାମ କିପରି ବିଷମୟ ହୁଏ ସେ ଶିକ୍ଷା କିଏ ଦେଇଥାନ୍ତା? ନିଜ ନିଜର ସଂସ୍କୃତିକୁ ଭଲ ଭାଇବା ଓ ତାହାର ପ୍ରଭାବରେ ନିଜେ ସଂସ୍କାରିତ ହେବାର ଦୀକ୍ଷା ଦେବାଭଳି କଠିନତମ ଦାୟିତ୍ୱ ଅବତାରଙ୍କ ବ୍ୟତୀତ କିଏ ଆପଣା ଛାଏଁ ବହନ କରନ୍ତା? 
ଭଗବାନଙ୍କର ଏ ସୃଷ୍ଟି ଏହାର ଅନ୍ତରାଳରେ ନିହିତ ଥିବା ସେ ସତ୍ୟକୁ ଜାଣିବା ଓ ବୁଝିବାର ଶକ୍ତି, ସତ୍ୟକୁ ବୁଝି ତାହାକୁ ଦୈନନ୍ଦିନ ଜୀବନରେ ପାଳି ସେଥିରୁ ଲାଭବାନ ହେବା ପରିଶେଷରେ ଏକ ଲାଭପ୍ରଦ ମୃତୁ୍ୟ ହାସଲ କରିବାର କଳା ଅବତାରଙ୍କ ଭିନ୍ନ ଆଉ କିଏ ଆମ ହାତ ଧରି ଶିଖାଇ ଦେଉଥାନ୍ତା?  ପୁରାକାଳର ଦିବ୍ୟଦ୍ରଷ୍ଟା ଯୋଗୀଋଷିମାନେ ତାଙ୍କ ତପସ୍ୟା ବଳରେ ଯେଉଁ ଦୁର୍ଲଭ ଅଭିଜ୍ଞତା ହାସଲ କରିଥିଲେ, ଯେଉଁ ଅବ୍ୟର୍ଥ ମନ୍ତ୍ରମାନ ହାସଲ କରିଥିଲେ, ମାନବ ସମାଜର ଉପକାର ପାଇଁ ଅକାତରେ ନିଃସ୍ୱାର୍ଥ ଭାବ ସହ ପ୍ରଦାନ କରିଦେଇ ଯାଇଛନ୍ତି । ତାହାସବୁ ଅବମାନିତ ହୋଇ ଅନାବଶ୍ୟକ ତତ୍ତ୍ୱ ହିସାବରେ ମାନବ ସମାଜର ଅଗୋଚରରେ ନଷ୍ଟ ହୋଇଯିବାକୁ ବସିଥିଲାବେଳେ ଅବତାର ପୁରୁଷମାନେ ଆସି ତାହାର ପୁନରୁତ୍ଥାନ କରାଇ ମଣିଷର ଅଶେଷ ଉପକାର ସାଧନ କରାଇଥାନ୍ତି । ଉପନିଷଦ, ସଂହିତା, ସ୍ମୃତିଶାସ୍ତ୍ର ଓ ବିଭିନ୍ନ ସ୍ଥାନୀୟ ଭାଷାରେ ଲିଖିତ ବହୁ ଅମୂଲ୍ୟରତ୍ନମାନ ସାଉଁଟି ଆଣି ପୁର୍ନବାର ଲୋକ ସମାଜରେ ପ୍ରବର୍ତ୍ତନ କରାଇ ଲୋକ ମର୍ଯ୍ୟାଦା, ଋଷି ମର୍ଯ୍ୟାଦା, କବି ମର୍ଯ୍ୟାଦା, ଶାସ୍ତ୍ର ମର୍ଯ୍ୟାଦା, ମନ୍ତ୍ର ମର୍ଯ୍ୟାଦାକୁ ଫେରାଇ ଆଣି ପୁରାତନକୁ ସନାତନ କରାଇବାର କ୍ଷମତା କେବଳ ଅବତାରଙ୍କର ହିଁ ଥାଏ । ଏହାଦ୍ୱାରା ସେ ତାଙ୍କ ନିଜ ସୃଷ୍ଟିର ପରମ ମଙ୍ଗଳ ସାଧନ କରିବା ସହ ଯୁଗ ଯୁଗ ପାଇଁ ପୂଜନୀୟ ଓ ସ୍ମରଣୀୟ ହୋଇ ଅମରତ୍ୱ ପ୍ରାପ୍ତ ହୋଇଯାଆନ୍ତି । ପର୍ବପର୍ବାଣି ପାଳନ ଅନ୍ତରାଳରେ ଥିବା ନିହିତ ତାତ୍ପର୍ଯ୍ୟ ଜ୍ଞାପନ କରାଇ ଲୋକମାନଙ୍କର ଜୀବନଯାପନର ଶୈଳୀ ତ୍ୱରାନ୍ୱିତ କରାଇ ପର୍ବପର୍ବାଣିକୁ ପାଳନ ପୂର୍ବକ ତାହାର ଆଧ୍ୟାତ୍ମିକ ଉତ୍ତରଣକୁ ସୁନଶ୍ଚିତ କରାଇ ମର୍ତ୍ତ୍ୟଲୋକ ତଥା ଦେବଲୋକରେ ଭଗବାନଙ୍କ ପ୍ରିୟ ହେବାର କଳାକୌଶଳ ଅବତାରଙ୍କ ବିନା କିଏ ବା ଶିଖାଇ ପାରିଥାନ୍ତା । ପର୍ବପର୍ବାଣି ଦୂରେ ଥାଉ ପ୍ରତ୍ୟେକଟି ଦିବସକୁ କିପରି ପାଳନ କରିବାକୁ ହୁଏ ତାହା ଶିଖାଇବା ମଧ୍ୟ ଅବତାର ଛାଡ଼ନ୍ତି ନାହିଁ । ପରସ୍ପର ଭିତରେ କଥାବାର୍ତ୍ତାରେ, ସଂଯମ ଅଭାବରୁ କେବଳ ପରିବାର ଭାଙ୍ଗି ଯାଉନାହିଁ, ଗାଁ ଗାଁ, ସାହି ସାହି ଏପରିକି ଦେଶ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଯାଉଛି । ଏହାର ସମାଧାନ କୌଣସି ରାଷ୍ଟ୍ରମୁଖ୍ୟଙ୍କ ଦ୍ୱାରା ସମ୍ଭବ ହେଉନାହିଁ । କେବଳ ଅବତାରଙ୍କ ପ୍ରଦତ୍ତ ଶିକ୍ଷା ଅବଲମ୍ବନରେ ହିଁ ତାହାର ପ୍ରଶମନ ସମ୍ଭବ । ସର୍ବୋପରି ସବୁଠାର ଦୁର୍ବୋଧ୍ୟ ତତ୍ତ୍ୱ (ଈଶ୍ୱର, ପ୍ରକୃତି, ଜୀବଜଗତ) ଯାହାକୁ ଏ ପର୍ଯ୍ୟନ୍ତ କେହି ପରିଷ୍କାର ଭାବେ ବୁଝି ବୁଝାଇ ପାରିନାହାନ୍ତି ତାହା ମଧ୍ୟ କେବଳ ଅବତାର କରିପାରନ୍ତି । ଭଗବାନ ଶ୍ରୀସତ୍ୟସାଇ ବାବା ସେଭଳି ଜଣେ ଅବତାର ଭାରତ ଭୂଖଣ୍ଡରେ ଜନ୍ମି ଭାରତକୁ ଚିର ଗୌରବାନ୍ୱିତ କରି ଏହି ମାତ୍ର ନିକଟ ଅତୀତରେ ଇହଲୀଳା ସମ୍ଭରଣ କରି ପାରଲୌକିକ ଲୀଳାରେ ନିୟୋଜିତ । ସେ ତାଙ୍କ ପ୍ରେମଶକ୍ତି ବଳରେ ଉପଯୁକ୍ତ ସାଧକମାନଙ୍କୁ ଦୈବତ୍ୱ ମଣ୍ଡିତ କରି ତାଙ୍କ ନିଜ ସଂକଳ୍ପକୁ ସାକାର କରିବାରେ ଦିବ୍ୟାନନ୍ଦ ଉପଭୋଗ କରୁଛନ୍ତି । 
ମୋ : ୯୩୩୭୨୪୨୯୫୫