ପ୍ରବେଶ ପଥକୁ ଖୋଳି ବାଲିଘାଟ ବନ୍ଦ କଲେ ଗ୍ରାମବାସୀ
ଯଖପୁରା : ଶେଷରେ ଅନେକ ବାଦ ବିବାଦ ପରେ ଦାନଗଦୀ ତହସିଲ ଅନ୍ତର୍ଗତ ଖପୁରିଆପଦା ପଞ୍ଚାୟତର ଚକୁଆ ବାଲିଘାଟର ପ୍ରବେଶ ପଥକୁ ଖୋଳି ଦେଇ ଗ୍ରାମବାସୀ ଘାଟକୁ ସବୁ ଦିନ ପାଇଁ ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି । ଚକୁଆ ବାଲିଘାଟଟି ପ୍ରାୟ ଦୁଇରୁ ତିନି ବର୍ଷ ହେବ ସରକାରୀ ଲିଜ ହୋଇନାହିଁ ।
ଏହାର ସୁଯୋଗ ନେଇ ଅନେକ ସମୟରେ ବାଲି ଘାଟରୁ ବାଲି ଚୋରି ହେଉଥିଲା ବୋଲି ଅନେକ ଗଣମାଧ୍ୟମ ଖବର ପ୍ରକାଶ କରୁଥିବାର ଦେଖିବାକୁ ମିଳୁଥିଲା । ସମୟେ ସମୟେ ଲଘୁ ଖଣିଜ ବିଭାଗ ପକ୍ଷରୁ ବାଲିଘାଟ ଉପରେ ଚଢାଉ କରି ବାଲି ଲୁଟ୍ କରୁଥିବା ଟ୍ରାକ୍ଟରକୁ ଜବତ କରି ପୁଲିସ ଜିମା ଦେବା ସହିତ ଜରିମାନା ମଧ୍ୟ କରିଥିବାର ଦେଖିବାକୁ ମିଳିଥିଲା । ଏହାକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ ରହିଥିଲେ । କିଛି ବାଲି ମାଫିଆ ପାଇଁ ଗାଁ ବଦନାମ ହେଉଛି ବୋଲି ଗ୍ରାମବାସୀ କହିଥିଲେ । ଏହାକୁ ଗୁରୁତ୍ୱ ଦେଇ ଗ୍ରାମବାସୀ ଆଲୋଚନା କରି ଶେଷରେ ସରକାରୀ ଲିଜ ହେଲା ପର୍ଯ୍ୟନ୍ତ ବାଲିଘାଟ ବନ୍ଦ କରିବା ପାଇଁ ନିଷ୍ପତି ହୋଇଥିଲା । ଫଳସ୍ୱରୁପ୍ ବାଲିଘାଟକୁ ପଡିଥିବା ରାସ୍ତା ବା ପ୍ରବେଶ ପଥର ରାସ୍ତାକୁ ଗାଁ ତରଫରୁ ଖୋଳି ଦିଆଯାଇ ଥିବାର ଦେଖିବାକୁ ମିଳିଛି । ଯେପରି କେହି ବାଲିଘାଟରୁ ବାଲି ଚୋରି କରି ନେବେ ନାହିଁ ।