ଅଭିଯୋଗ ପରେ ବି ହେଉନି ଉଚ୍ଛେଦ
କେନ୍ଦୁଝର : କେନ୍ଦୁଝର ସହର ଉପକଣ୍ଠ ଏବଂ କେନ୍ଦୁଝରଗଡ ପୌରପାଳିକାରେ ସରକାରୀ ଜମି ଜବରଦଖଲ ଦିନକୁ ଦିନ ବଢିବାରେ ଲାଗିଛି । ସରକାରୀ ଜମିକୁ ସୁରକ୍ଷିତ ରଖାଯାଉ ନଥିବାରୁ ଏହା ସଙ୍କୁଚିତ ହେଉଛି । ଜମି ମାଫିଆ ଜଳାଶୟ, ଗୋଚର, ଖେଳ ପଡିଆ, ପାଣି ନାଳ ଇତ୍ୟାଦି ସରକାରୀ ଜମିକୁ ଜବରଦଖଲ କରୁଛନ୍ତି । ରାଜସ୍ୱ ନୀରିକ୍ଷକ କେବଳ ଜବରଦଖଲ କେସ୍ କରି ମୋଟା ଅଙ୍କର ଅର୍ଥ ନେଉଛନ୍ତି । ଫଳରେ ଜବରଦଖଲକାରୀଙ୍କୁ ଏକ ପ୍ରକାର ପ୍ରୋତ୍ସାହନ ମିଳୁଛି । ସରକାରୀ ଜମି ଜବରଦଖଲ ନେଇ ସଦର ରାଜସ୍ୱ ନୀରିକ୍ଷକଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେ ଚୁପ ରହୁଛନ୍ତି । ଏପରିକି କେଉଁ ସ୍ଥାନରେ କେତେ ସରକାରୀ ଜମି ରହିଛି ତାହା କ୍ଷେତ୍ର ପରିଦର୍ଶନ କରୁ ନଥିବାରୁ ଏଭଳି ପରିସ୍ଥିତି ଦେଖାଦେଇଛି । ସରକାରୀ ଜମିରେ ଘର କରିଥିବା ଲୋକଙ୍କୁ ପୌରପାଳିକା ଏବଂ ତହସିଲ ପକ୍ଷରୁ କେବଳ ନୋଟିସ ହେଉଛି କିନ୍ତୁ ଜବରଦଖଲ ଉଚ୍ଛେଦ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଅନେକ ସମୟରେ ଅଭିଯୋଗ ହେଲେ କେବଳ କାଗଜକଲମରେ ନୋଟିସ ହୋଇ ଉଚ୍ଛେଦ ପାଇଁ ରିପୋର୍ଟ ପ୍ରସ୍ତୁତ ହେଉଛି । ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ କେବଳ ଲୋକଦେଖାଣିଆ ବୋଲି ଏବେ ଅଭିଯୋଗ ହୋଇଛି । ରାସ୍ତା ପାଶ୍ୱର୍ର ବସୁଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ରାସ୍ତା ପାଶ୍ୱର୍ରେ ଏବଂ ଫୁଟ୍ପାଥ୍ରେ ନ ବସିବା ପାଇଁ ତାଗିଦ୍ରେ ଏହା ସୀମିତ ରହିଛି । ସେହିପରି ପାର୍କଲାଇନ ରୋଡରେ ପେଭର ବ୍ଲକ ଉପରେ ପାଚେରୀ ଏବଂ ଘର ନିର୍ମାଣ ଚାଲିଛି । ୨୦୨୩ ମସିହା ଅପ୍ରିଲ ମାସରେ କେନ୍ଦୁଝରଗଡ ପୌରପାଳିକାରେ ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ପ୍ରୋବେସନର ଆଇଏଏସ୍ ଧିମନ ଚକମା ମାପଚୁପ ପାଇଁ ନିଦେ୍ର୍ଦଶ ଦେଇଥିଲେ । ସରକାରୀ ଜମିରେ ବ୍ୟବସାୟିକ ଘର କରି ଭଡ଼ା ଦେଇଥିବା ଜାଣିବା ପରେ ୧୫୦ଜଣ ଜବରଦଖଲକାରୀଙ୍କୁ ନୋଟିସ ଦିଆଯାଇଥିଲା । ତେବେ ଅଦ୍ୟାବଧି ୧ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଜବରଦଖଲ ଉଚ୍ଛେଦ କରାଯାଇ ନଥିବା ଅଭିଯୋଗ ହୋଇଛି । ଜବରଦଖଲକାରୀ ସରକାରୀ ଜମିରେ ବେଆଇନ ଭାବେ ମାର୍କେଟ କମ୍ପେକ୍ସ କରି ଲକ୍ଷାଧିକ ଟଙ୍କା ଭଡା ପାଉଥିବାବେଳେ, ସାଧାରଣ ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି କରୁଛି । ଏପରିକି ଉକ୍ତ ରାସ୍ତାରେ ଗାଡି ଜାମ ଯୋଗୁ ଅନେକ ସମୟରେ ଆମ୍ଭୁଲାନ୍ସ, ସ୍କୁଲ ବସ, ଅଗ୍ନିଶମ ଗାଡି ଘଂଟା ଘଂଟା ଫସି ରହୁଛି । ସରକାରୀ ଜମିରେ ଉଚ୍ଛେଦ ହେଉ ନ ଥିବାରୁ ପୌର କର୍ମଚାରୀ, ତହସିଲ କର୍ମଚାରୀ ଏବଂ ଜବରଦଖଲକାରୀଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଥିବା ଆଲୋଚନା ହେଉଛି । କେନ୍ଦୁଝରଗଡ ପୌରାଞ୍ଚଳରେ ବିଭିନ୍ନ ସରକାରୀ ଅଫିସ ଏବଂ କ୍ୱାର୍ଟର ପାଇଁ ଜାଗା ଅଭାବ ଥିବାବେଳେ, ଜବରଦଖଲକାରୀ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମାଡି ବସି ଘର କରୁୁଛନ୍ତି । ଫଳରେ ସରକାରୀ ଅଫିସ ପାଇଁ କେନ୍ଦୁଝର ସହର ଜାଗା ମିଳୁନାହିଁ । ଉଭୟ ଗ୍ରାମଞ୍ଚଳ ଏବଂ ସହରାଞ୍ଚଳରେ ଜବରଦଖଲ ବଢୁଥିବାରୁ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାମ ପାଇଁ ଜମି ଦେବାରେ ଜବରଦଖଲ ବାଧକ ହେଉଛି । ସରକାରୀ ଜମି ସୁରକ୍ଷା ଲାଗି କଡ଼ା ଆଇନ ଆଣିବା ସହ ସ୍ୱତନ୍ତ୍ର ସେଲ ଦ୍ୱାରା ଶହ ଶହ କୋଟି ଟଙ୍କାର ସରକାରୀ ଜମି ଉଦ୍ଧାର କରିବା ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି । ଏ ନେଇ ସଦର ଉପ ଜିଲ୍ଲାପାଳ ଉମାଶଙ୍କର ଦଳାଇଙ୍କ ସହ ଯୋଗଯୋଗ କରିବାରୁ ସରକାରୀ ଜମିର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ । ଯେଉଁ ସ୍ଥାନରେ ସରକାରୀ ଜମି ରହିଛି ସେଠାରେ ତାର ବାଡ ଘେରାଯାଇ ସୁରକ୍ଷିତ ରଖାଯିବ ।