ଭ୍ରାନ୍ତି ଓ ଶାନ୍ତି : ଦିବ୍ୟ ଶାନ୍ତିର ପଥିକ


ପ୍ରତିଦିନର ଏକ ସାଧାରଣ ଜୀବନକୁ ଦେଖନ୍ତୁ । ଆମେ ଅନେକ ସମୟରେ ଶାନ୍ତିକୁ ପ୍ରାପ୍ତ କରିପାରିନଥାଉ । କାରଣ ଆମ ଭିତରେ ଭ୍ରାନ୍ତି ଏପରି ବଦ୍ଧ ଭାବେ ବିବେକକୁ କରାୟତ୍ତ କରିଥାଏ ଯେ ଆମେ ଈଶ୍ୱର ଉପଲବ୍ଧି ଓ ଶାନ୍ତି ପାଇଁ ଧାବମାନ ହୋଇପାରିନଥାଉ । ଆମେ ଜଣେ ଈଶ୍ୱରଙ୍କ ଆଶ୍ରିତ ଏବଂ ଭଗବାନଙ୍କ ସୃଷ୍ଟିରେ ଆମେ ପ୍ରତିଟି ମଣିଷ ଜଣେ ଜଣେ ଅମୃତ ସନ୍ତାନ । ଏହି ଭ୍ରାନ୍ତି ଓ ଶାନ୍ତି ପ୍ରସଙ୍ଗରେ ଭଗବାନ ଗୌତମ ବୁଦ୍ଧଙ୍କ ଆଧ୍ୟାତ୍ମିକ ଜୀବନର ଏକ ଛୋଟିଆ ଘଟଣାଟି ମନେପଡ଼ୁଛି । ସିଦ୍ଧିପ୍ରାପ୍ତ ହେବା ପରେ ସିଦ୍ଧାର୍ଥ ଥରେ ଅନୁଗତ ତଥା ଶିଷ୍ୟମାନଙ୍କୁ କହିଲେ, "ସଂସାର ପଥରେ ବିଭିନ୍ନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଅନେକ ସମୟରେ ଏମିତି ହୋଇଥାଏ, ତୁମ୍ଭମାନଙ୍କ ମନରେ ଗୋଟିଏ ଭୁଲ ଧାରଣା ଯଦି ଦୃଢ଼ଭାବେ ରହିଥାଏ, ତେବେ ମନ ସତ୍ୟକୁ ତା ଭିତରକୁ ପ୍ରବେଶ କରିବାକୁ ଦିଏନାହିଁ । ସତ୍ୟ ଆଘାତପ୍ରାପ୍ତ ହୋଇ ବିଦାୟ ନେଇଯାଏ । ସତ୍ୟ ନ ରହିଲେ ଶାନ୍ତି ମନରେ ରହେନାହିଁ । ମନ ଅଶାନ୍ତ ହୋଇ ଦୁଃଖକଷ୍ଟ ପାଇଥାଏ । ନିଜର ଏ କଥାଟିକୁ ବୁଝାଇବାକୁ ଯାଇ ବୁଦ୍ଧଦେବ ଗଳ୍ପଟିଏ କହିଥିଲେ ।
ଗୋଟିଏ ଜନପଦରେ ବ୍ୟବସାୟୀଟିଏ ରହୁଥିଲା । ତା'ସହିତ ତା'ର ଛୋଟ ପୁଅଟିଏ ରହୁଥିଲା । ଦିନକର କଥା । ବ୍ୟବସାୟୀ କାର୍ଯେ୍ୟାପଲକ୍ଷେ ବାହାରକୁ ଯାଇଥିଲା । ଡକାୟତମାନେ ଏ ସୁବିଧା ଉଣ୍ଡି ବ୍ୟବସାୟୀଙ୍କ ଘରେ ପହଞ୍ଚô ଲୁଟ୍ କଲାପରେ ତା' ଘରେ ନିଅାଁ ଲଗାଇ ଦେଲେ ଓ ପରେ ପରେ ସାରା ଗାଁରେ ମଧ୍ୟ ନିଅାଁ ଲଗାଇ ଦେଲେ । ଗାଁ ସାରା ଜଳି ପାଉଁଶ ହୋଇଗଲା । ଡକାୟତମାନେ ବ୍ୟବସାୟୀଙ୍କ ଛୋଟ ପୁଅଟିକୁ ସାଙ୍ଗରେ ନେଇ ଚାଲିଗଲେ । ବ୍ୟବସାୟୀ ଘରକୁ ଫେରି ସାରା ଗାଁ ଓ ନିଜ ଘରର ଅବସ୍ଥା ଦେଖି ମୁଣ୍ଡରେ ହାତ ଦେଇ ବସିପଡ଼ିଲା । ତା'ର ସବୁ ଉଜୁଡ଼ିଗଲା ବୋଲି ମନ ଦୁଃଖ କଲା । ନିଅାଁରେ ତା'ପୁଅଟି ମଧ୍ୟ ପୋଡି ପାଉଁଶ ହୋଇଗଲା ବୋଳି ଦୃଢ଼ ନିଶ୍ଚିତ ହୋଇଗଲା । ଦିନ ଗଡ଼ି ଚାଲିଲା । କିଛିବର୍ଷ ପରେ ବ୍ୟବସାୟୀ ତା'ପୁରୁଣା ଘର ଜାଗାରେ ଗୋଟିଏ ସୁନ୍ଦର ନୂଆ ଘର କଲା । ଡକାୟତମାନେ ତା'ର ଯେଉଁ ପୁଅଟିକୁ ନେଇ ଯାଇଥିଲେ, ସେ ପୁଅଟି ଦିନେ ଡକାୟତଙ୍କ କବଳରୁ କୌଶଳକ୍ରମେ ଖସି ଆସିଲା । ଲୁଚି ଲୁଚି ଆସି ସେ ରାତି ଅଧରେ ବ୍ୟବସାୟୀର ନୂଆ ଘରେ ପହଞ୍ଚô କବାଟ ବାଡ଼େଇଲା । ମାତ୍ର ବ୍ୟବସାୟୀ କବାଟ ଖୋଲିଲାନି । ସେ ଭାବିଲା ନିଶ୍ଚୟ ଡକାୟତ ଆସିଛନ୍ତି । ପୁଅ କିନ୍ତୁ କହି ଚାଲିଥାଏ "ବାପା, କବାଟ ଖୋଲ । ମୁଁ ତମ ପୁଅ ଆସିଛି ।' ଭିତରୁ ଉତ୍ତର ମିଳିଲା, ‘ତୁ ଗୋଟାଏ ଡକାୟତ । ମୁଁ କେବେ କବାଟ ଖୋଲିବି ନାହିଁ । ତୁ ଏଠାରୁ ପଳା । ପୁଅ ବାରମ୍ବାର ବିକଳ ହୋଇ ବାପାକୁ ନିଜ ପରିଚୟ ଦେଇ କବାଟ ଖୋଲିବାକୁ ଯେତେ କହିଲେ ବି ବାପା କବାଟ ଖୋଲିଲାନି ।’ ଶେଷରେ ନିରାଶ ହୋଇ ପୁଅଟି ଫେରିଗଲା । ଗଳ୍ପଟି କହିସାରି ବୁଦ୍ଧ ଦେବ କହିଲେ ‘ଦେଖିଲ ତ, ମନରେ ଭ୍ରାନ୍ତ ଧାରଣା ବସା ବାନ୍ଧିଲେ ସତ୍ୟ ମଧ୍ୟ ଦୂରେଇ ଯାଏ ଓ ସେଇ ସତ୍ୟ ସହିତ ମନର ଶାନ୍ତି ମଧ୍ୟ ଦୂରେଇ ଯାଇଥାଏ ।’ ତେଣୁ ମନରେ କୌଣସି ଭ୍ରାନ୍ତ ଧାରଣାକୁ ପ୍ରଶ୍ରୟ ନ ଦେବାକୁ ବୁଦ୍ଧଦେବ ସେଦିନ ଶିଷ୍ୟମାନଙ୍କୁ ଉପଦେଶ ଦେଇଥିଲେ । ପ୍ରତିଟି ଜୀବନରେ ଆମେ ଅନେକ ଜଟିଳତମ କ୍ଷେତ୍ରକୁ ଉପଲବ୍ଧି କରୁ । ନିତିଦିନିଆ ଜୀବନରେ ଅନେକ ଘଟଣା ଆମକୁ ବ୍ୟସ୍ତ ବିବ୍ରତ କରିଦେଇଥାଏ । ଆମେ ଈଶ୍ୱରଙ୍କ ପ୍ରଦତ୍ତ ରାସ୍ତାରେ ଚାଲୁଥିଲେ ମଧ୍ୟ ଭଗବାନଙ୍କ ଦିବ୍ୟନାମାବଳୀ ଜପ କରୁଥିଲେ ମଧ୍ୟ ଅନେକ ଦାନ ଧର୍ମ, ତୀର୍ଥଯାତ୍ରା କରୁଥିଲେ ମଧ୍ୟ ଯଦି ଆମ୍ଭ ମାନଙ୍କ ଭିତରେ ଅଶାନ୍ତିର ଭ୍ରାନ୍ତ ଧାରଣା, କାମନା ଓ ବିଭିନ୍ନ କଳୁଷିତ ଭ୍ରାନ୍ତ ଚେତନା ଠାରୁ ଯଦି ଆମେ ମୁକ୍ତ ନ ହୋଇପାରିବା ତାହାହେଲେ ଶାନ୍ତି ଆମେ କେବେହେଲେ ଉପଲବ୍ଧି କରିପାରିବାନାହିଁ । ଶାନ୍ତି ପ୍ରାପ୍ତି ହେବା ପାଇଁ ଆମକୁ ଈଶ୍ୱର ଉପଲବ୍ଧି ଚେତନାକୁ ନିଜ ଭିତରେ ବୁଡ଼ାଇ ଏହାକୁ ହିଁ ଜୀବନର ଶ୍ରେଷ୍ଠ ଚେତନା ଭାବେ ଗ୍ରହଣ କରି ସଦାସର୍ବଦା ବିଭୁ ନାମ ସ୍ମରଣରେ ନିମୋଜିତ ରହିଲେ ଭ୍ରାନ୍ତ ଚେତନା ଆମଠାରୁ ନିଶ୍ଚିତ ଦୂରେଇ ଯିବ ଓ ଆମେମାନେ ଦିବ୍ୟ ଶାନ୍ତିର ପଥିକ ହୋଇପାରିବା । 
ଅଲେଖ ଚନ୍ଦ୍ର ସାମଲ,ମୋ : ୯୪୩୭୨୫୭୧୨