ଅସରାଏ ବର୍ଷାରେ ରାସ୍ତାରେ ଜମୁଛି ପାଣି

ତାଳଚେର, ୨୯ା୯ : ତାଳଚେର ସହରରେ ଅସାରାଏ ବର୍ଷା  ହେବା ଫଳରେ ଛକ, ବଜାର, ମାର୍କେଟ, ରାସ୍ତାଘାଟରେ ବର୍ଷା ପାଣି ଜମି  ରହୁଛି । ଏପରିକି ମୁଖ୍ୟ ଟ୍ରାଫିକ୍‌ ଛକ ବାଇପାସ୍‌ ରାସ୍ତାର ଉଭୟ ପାଶ୍ୱର୍ରେ ବର୍ଷାଜଳ ଲହଡି ମାରୁଥିବା ଦେଖିବାକୁ ମିଳିଥିଲା । ଯାହାଫଳରେ ଲୋକେ ଯାତାୟତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବାଇପାସ୍‌ ରାସ୍ତାର ଉଭୟପାଶ୍ୱର୍ରେ ବର୍ଷାପାଣି ସହିତ ଡ୍ରେନ ଜାମ ହେବା ଫଳରେ ପଚାଷଢାପାଣି ରାସ୍ତା ଉପରେ ଭାସୁଥିବାରୁ ପଥଚାରୀ, ବାଟୋଇ ଦାଣ୍ଡୋଇ, ସ୍କୁଟର, ମଟରସାଇକେଲ, ସାଇକେଲ ପାଣି ଭିତରେ ଗଲାବେଳେ ଅସନା ପାଣି ଦେହକୁ ଛିଟିକାମାରି ଅପ୍ରିତୀକର ପରିସ୍ଥିତ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି ।

ପାଣି କାଦୁଅରୁ ପୋଷାକକୁ ସୁରକ୍ଷା ଦେବାନେଇ ପଥଚାରୀମାନେ ଗୋଡ ଟେକି ଟେକି ଯାଉଥିବା ଦୃଶ୍ୟ ମଧ୍ୟ ପରିଲକ୍ଷିତ ହୋଇଛି  । ବାଇପାସ୍‌ ଟ୍ରାଫିକ ଛକ ରାସ୍ତା ଓ ନିକଟରେ ରହିଥିବା ୟୁକୋବ୍ୟାଙ୍କ ସମ୍ମୁଖ ରାସ୍ତା ହାଲୁକା ବର୍ଷା ହେଲେ କୁତ୍ରିମହ୍ରଦ ସୃଷ୍ଟି ହୋଇଥାଏ ଓ ଦୁର୍ଗନ୍ଧରେ ସେହି ଅଞ୍ଚଳଟି ପରିତ୍ୟକ୍ତ ଅବସ୍ଥା ସୃଷ୍ଟି କରିଥାଏ  । ତେବେ ପୌରପରିଷଦ ପକ୍ଷରୁ ମୋଟା ଅଙ୍କର ଟ୍ୟାକ୍ସ ନେଇ ଚାଲିଥିଲେ ମଧ୍ୟ ଏ ବାବଦରେ ସାମାନ୍ୟତମ ଦୃଷ୍ଟି ଦେଉନଥିବା ଦୁର୍ଭାଗ୍ୟର ବିଷୟ ହୋଇଛି । ଏଠି ଲୋକପ୍ରତିନଧି ନା ପ୍ରଶାସନ କେହି ହେଲେ ଏଥିପ୍ରତି ସାମାନ୍ୟତମ ଦୃଷ୍ଟି ଦେଉନଥିବା ତାଳଚେର ପାଇଁ ଏକ ଅଭିଶପ୍ତ ପାଲଟିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ମଧ୍ୟ ଏନଏଚଆଇ, ସ୍ଥାନୀୟ ପୂର୍ତବିଭାଗ, ଉପଜିଲ୍ଲାପାଳ ଓ ପୌରପରିଷଦ କେହି ହେଲେ ଏଥିପ୍ରତି ଧ୍ୟାନ ଦେଉନଥିବା ଦୁର୍ଭାଗ୍ୟଜନକ ବିଷୟ ହୋଇଛି ।