ଅସୁରକ୍ଷିତ ନିର୍ମାଣସ୍ଥଳ ଠିକାସଂସ୍ଥା ପାଇଁ ଜୀବନ ମୂଲ୍ୟହୀନ
ଟମକା: ସମସ୍ତଙ୍କ ପାଇଁ ଜୀବନ ହେଉଛି ମୂଲ୍ୟବାନ । ସେଇଥିପାଇଁ ଯେ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସୁରକ୍ଷାକୁ ଗୁରୁତ୍ୱ ଦେବା ହେଉଛି ନିୟୋଜିତ ସଂସ୍ଥାର ପ୍ରାଥମିକତା । ଏଥିପାଇଁ ନୀତିନୀୟମର ବ୍ୟବସ୍ଥା ରହିଥିଲେ ମଧ୍ୟ ହେଲେ କିଛି ସଂସ୍ଥା ଏମିତି ବି ଅଛନ୍ତି ଯାହାଙ୍କ ପାଇଁ ଧନ ଜୀବନର ଅର୍ଥ ମୂଲ୍ୟହୀନ । ଯାହାର ଏକ ବଳିଷ୍ଠ ଉଦାହରଣ ହେଉଛି ରେଙ୍ଗାଳି ବାମ ପାର୍ଶ୍ୟ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥା ଡିଡି ବିଲ୍ଡର୍ସ । ଦୀର୍ଘଦିନ ହେବ ଦାନଗଦୀ ବ୍ଲକ୍ ଅନ୍ତର୍ଗତ ରଣାଗୁଣ୍ଡି ଠାରୁ ବାଙ୍ଗରକୋଟା ୧୭କି.ମି ଏହି କେନାଲ କାର୍ଯ୍ୟରେ ଡିଡି ବିଲ୍ଡର୍ସ ନାମକ ଠିକାସଂସ୍ଥା ନିୟୋଜିତ ରହିଛି । କେନାଲ ଖନନ କାର୍ଯ୍ୟ ଠାରୁ ଆରମ୍ଭ କରି ସେତୁ ନିର୍ମାଣ କାର୍ଯ୍ୟରେ ଏହି ସଂସ୍ଥା କାର୍ଯ୍ୟ କରୁଥିବା ବେଳେ ସଂସ୍ଥା ପାଇଁ ସୁରକ୍ଷାର ମାନେ କିଛି ନାହିଁ । ସେ ନିଜ କର୍ମଚାରୀଙ୍କ ସୁରକ୍ଷା କଥା ହେଉ କିମ୍ବା ସାଧାରଣ ଜନାତାଙ୍କ ଧନ ଜୀବନ କଥା ହେଉ ଅବା ଗୃହପାଳିତ ପଶୁଙ୍କ କଥା ହେଉ ସବୁ ତା ପାଇଁ ତୁଚ୍ଛ ପାଲଟିଛି । ନିଜର ଅସୁରକ୍ଷିତ କାର୍ଯ୍ୟ ପାଇଁ ଏକାଧିକ ଦୁର୍ଘଟଣା ମାନ ଘଟୁଥିଲେ ମଧ୍ୟ ସମ୍ପୃକ୍ତ ଠିକାସଂସ୍ଥାର ଜ୍ଞାନ ଉଦୟ ହେଉନଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ପ୍ରଶାସନର ସୁରକ୍ଷା ତଦାରଖରେ ଶିଥିଳତା ଏହି ସଂସ୍ଥାକୁ ଅସୁରକ୍ଷିତ କାର୍ଯ୍ୟକରିବାକୁ ଖୋରାକ୍ ଯୋଗାଉଥିବା ଅଭିଯୋଗ ହୋଇଛି । ଉଦାହରଣ ଭାବେ ଚିତ୍ରୀ-କୋଳଥପଦା ରାସ୍ତାର ଗାଁ ମୁଣ୍ଡ ପୋଖରୀ ନିକଟସ୍ଥ ରାସ୍ତାର ଦୁଇ ପାଶ୍ୱର୍ରେ କେନାଲ ଖନନ କାର୍ଯ୍ୟ ଚାଲୁଛି । ଯାହା ଏକ ବ୍ୟସ୍ଥବହୁଳ ରାସ୍ତ । ଦୈନଦିନ ହଜାର ହଜାର ଲୋକ ଗାଡି ମଟର ଉକ୍ତ ରାସ୍ତା ଦେଇ ଯାତାୟାତ କରନ୍ତି ।
ଡିଡି ବିଲ୍ଡର୍ସ ଏହି ରାସ୍ତାର ଦୁଇ ପାର୍ଶ୍ୟରେ ୬୦ରୁ ୭୦ଫୁଟ୍ ଗଭୀର କେନାଲ ଖୋଳିଥିବା ବେଳେ ରାସ୍ତା କଡରେ ସୁରକ୍ଷା ବ୍ୟବସ୍ଥା କିନ୍ତୁ ଢିଲା । ମାତ୍ର ହାତଗଣତି କେତୋଟି ବାଉଁଶ ଗାଡି ନିଜ ଦାୟିତ୍ୱରୁ ଓହରି ଯାଇଥିବା ବେଳେ ସମ୍ପୃକ୍ତ ଖୁଣ୍ଟରେ ସାମନ୍ୟ ରିଫ୍ଲେକଟିଭ୍ ସୁରକ୍ଷା ରିବନ ଲଗାଇବାକୁ ଉଚିତ୍ ମଣିନାହିଁ । ଯାହାପାଇଁ ଏହି କେନାଲ୍ରେ ଏକାଧିକ ବାର ଗୃହପାଳିତ ପଶୁ ଖସିପଡି କ୍ଷତାକ୍ତ ଓ ଗୁରୁତର ହେଉଥିବାର ନଜିର ରହିଛି । ହେଲେ ସମ୍ପୃକ୍ତ ସଂସ୍ଥା ସୁରକ୍ଷିତ ବାଡ ନିର୍ମାଣ କରୁନାହିଁ । ସେହିପରି ଭାବେ ଏହି ରାସ୍ତା ସନ୍ନିକଟ ସେତୁର ପିଲାର କାର୍ଯ୍ୟ ଚାଲୁଥିବା ବେଳେ, ଏଠାରେ ନିୟୋଜିତ ଶ୍ରମିକ ୭୦/୮୦ଫୁଟ ଉପରେ ଅସୁରକ୍ଷିତ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ସୁରକ୍ଷାକୁ ଜଗାରଖା କରିବାକୁ କେହିନଥିବା ପରିତାପର ବିଷୟ ପାଲଟିଛି । ଅନ୍ୟପକ୍ଷରେ ଉକ୍ତ ସଂସ୍ଥାରେ ନିୟୋଜିତ ଭାରିଜାନ ଚଳାଚଳରେ ଚିତ୍ରୀ-କୋଳଥପଦା ରାସ୍ତାରେ ବଡବଡ ଗାତ ସୃଷ୍ଟି ହୋଇଥିବା ବେଳେ, ସମ୍ପୃକ୍ତ ସଂସ୍ଥା ଏଥିପ୍ରତି ମଧ୍ୟ ଦୃଷ୍ଟି ନଦେବା କାରଣରୁ ରାସ୍ତାରେ ଦୈନିକ ଦୁର୍ଘଟଣା ଘଟୁଛି । ଏହି ସଂସ୍ଥାର ଏହିପରି ଅସୁରକ୍ଷିତ କାର୍ଯ୍ୟ ପାଇଁ ୨୦୨୩ ମସିହା ଜୁନ ୬ ତାରିଖରେ ବାଙ୍ଗରକୋଟା ଠାରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ଥ ହୋଇ ନଚ୍ଛିପୁରା ଗ୍ରାମର ଗୋପିନାଥ ସାହୁ(୫୧)ଙ୍କ ମୃତୁ୍ୟ ହୋଇଥିଲା । ପ୍ରଶାସନ ସବୁ ଜାଣି ଚୁପ୍ ରହିବା ଘଟଣା ପରିତାପର ବିଷୟ ପାଲଟିଛି । ତେବେ ପ୍ରଶାସନ ତଦନ୍ତ କରି ରାସ୍ତାରେ ସୁରକ୍ଷା ବାଡ ନିର୍ମାଣ ସହ ବିପର୍ଯ୍ୟସ୍ଥ ରାସ୍ତା ମରାମତି ଓ ନିୟୋଜିତ ଶ୍ରମିକଙ୍କ ସୁରକ୍ଷା ପ୍ରତି ଉଦ୍ୟମ କରି ସମ୍ପୃକ୍ତ ଠିକାସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।