ଆଇନଶୃଙ୍ଖଳା ପରିଚାଳନା ବୈଠକ

 ଢେଙ୍କାନାଳ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ଆଇନଶୃଙ୍ଖଳା ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାର ଆଇନଶୃଙ୍ଖଳା ପରିଚାଳନା ସମ୍ପର୍କରେ ସମୀକ୍ଷା କରିଥିଲେ । ବ୍ରୋକେନ ୱିଣ୍ଡୋ ସିଦ୍ଧାନ୍ତ ସମ୍ପର୍କରେ ଆଲୋକପାତ କରି ଜିଲ୍ଲାପାଳ କହିଥିଲେ, ଯଦି ଆମେ କୌଣସି ଏକ ଅପରାଧିକୁ ଛୋଟ ଅପରାଧ କରିବା ପାଇଁ ନ ଅଟକାଇବା ତେବେ ଆଗାମୀ ଦିନରେ ସେ ବଡ ଅପରାଧ ଘଟାଇବାକୁ ସାହସ ପାଇବ  । ଏଣୁ ଆରମ୍ଭରୁ ଅପରାଧିମାନଙ୍କ ଉପରେ ରୋକ୍ ଲଗାଇଲେ ବଡବଡ ଅପରାଧକୁ ରୋକାଯାଇପାରିବ ଏବଂ ଅପରାଧିଙ୍କ ସଂଖ୍ୟା ବି ହ୍ରାସ ପାଇବ ବୋଲି ମତପ୍ରକାଶ କରିଥିଲେ । ଆଇନଶୃଙ୍ଖଳା ପରିଚାଳନାରେ ପୁଲିସର ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ପ୍ରଶାସନର ଭୂମିକା ମଧ୍ୟ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ । ଉଭୟ ମିଳିତ ଭାବେ କାର୍ଯ୍ୟ କଲେ ଆଇନଶୃଙ୍ଖଳା ପରିଚାଳନା ଶୃଙ୍ଖଳିତ ଓ ବ୍ୟବସ୍ଥିତ ହୋଇପାରିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ବୈଠକରେ ପ୍ରକାଶ କରିଥିଲେ ।  ବର୍ତ୍ତମାନ ପରିସ୍ଥିତିରେ ଯୁବ ସମାଜରେ ଘଟୁଥିବା ବିଭିନ୍ନ ପ୍ରକାରର ଅପରାଧିକ କାର୍ଯ୍ୟକୁ ନିୟନ୍ତ୍ରଣକୁ ଆଣିବାକୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ଉପରେ ଆଲୋଚନା କରାଯାଇଥିଲା । ବିଶେଷ କରି ଶିକ୍ଷାନୁଷ୍ଠାନରେ ଏସବୁ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ଗୁରୁତ୍ୱରୋପ କରିଥିଲେ । ମହିଳା ତଥା ଛାତ୍ରୀଙ୍କ କ୍ଷେତ୍ରରେ ଘଟୁଥିବା ସମ୍ବେଦନଶୀଳ ମାମଲାରେ ସେମାନଙ୍କୁ ନିରାଶ ନ କରି ପ୍ରଥମେ ସେମାନଙ୍କ ମନବଳ ବଢାଇବା ସହ ଅଭିଯୋଗକୁ ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । ପ୍ରଶାସନିକ କ୍ଷେତ୍ରରେ ଉପଖଣ୍ଡସ୍ତରରେ ଉପଜିଲ୍ଲାପାଳଙ୍କର ଭୂମିକା ଗୁରୁତ୍ୱ ବହନ କରେ । ଏଣୁ ପ୍ରତି ମାସରେ ଉପଖଣ୍ଡସ୍ତରରେ ପୁଲିସ ଓ ପ୍ରଶାସନ ମିଳିତ ଭାବେ ବୈଠକ କରି ସ୍ଥାନୀୟ ସମସ୍ୟା ଦିଗରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)  ରମେଶଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଲଳିତ ମୋହନ ବେହେରା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ  ଦିପ୍ତିରଞ୍ଜନ ସେଠୀ, କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣୀ ନାୟକ, ହିନେ୍ଦାଳ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ଏସଡିପିଓ ଓ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ ।