ଚେତାବନୀ ଦେଲା ମୁନିଗୁଡା ପ୍ରଗତି ମଞ୍ଚ : ଭୂତଳ ରାସ୍ତା କାର୍ଯ୍ୟ ଆରମ୍ଭ ନହେଲେ ହଙ୍ଗର ଷ୍ଟ୍ରାଇକ୍

ଭୁବନେଶ୍ୱରରୁ ରାଜୀବ ପଣ୍ଡା: 

ମୁନିଗୁଡା ପ୍ରଗତି ମଞ୍ଚ ତରଫରୁ ଭୂତଳ ରାସ୍ତା ପାଇଁ ସୋମବାର ହେବାକୁ ଥିବା ରିଲେ ହଙ୍ଗର ଷ୍ଟ୍ରାଇକ ସ୍ଥଗିତ କରାଯାଇଥିବା ବେଳେ କାର୍ଯ୍ୟ ଆରମ୍ଭ ନିମନ୍ତେ ଏକ ମାସ ସମୟ ସିମା ଦିଆଯାଇଥିବା ବେଳେ କାର୍ଯ୍ୟ ନହେଲେ ଆନେ୍ଦାଳନ ଜୋରଦାର ପାଇଁ ଚେତାବନୀ ଦିଆଯାଇଥିବା ମଞ୍ଚ ପକ୍ଷରୁ କୁହାଯାଇଛି  । ଏନେଇ ପ୍ରଗତି ମଞ୍ଚ ତରଫରୁ ସଭାପତି ସିଏଚ ଗଣେଶ୍ୱର ରାଓ ଓ ସମ୍ପାଦକ ସିମାଞ୍ଚଳ ପଣ୍ଡାଙ୍କ ମିଳିତ ନେତୃତ୍ୱରେ ସଦସ୍ୟ ମାନଙ୍କ ତରଫରୁ ସମ୍ବଲପୁର ରେଳ ଡିଆରଏମଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ସ୍ଥାନୀୟ ଏଡିଇଏନଙ୍କ ଜରିଆରେ ପ୍ରଦାନ କରାଯାଇଛି  । 
ଉକ୍ତ ସ୍ମାରକପତ୍ରରେ ମୁନିଗୁଡ଼ାର ବସଷ୍ଟାଣ୍ଡ ନିକଟ ବ୍ୟସ୍ତ ବହୁଳ ରେଲୱେ ଫାଟକ ନିକଟରେ ଭୁତଳ ରାସ୍ତା ନିର୍ମାଣ ନିମନ୍ତେ ମୁନିଗୁଡା ଅଞ୍ଚଳବାସୀଙ୍କ ତରଫରୁ ଦୀର୍ଘ ଦିନ ଧରି ଦାବୀ ହେଉଥିଲେ ସୁଦ୍ଧା ରେଳ ବିଭାଗ କେବଳ ଆଲୋଚନା କରି ଚାଲିଛି  । ଏନେଇ ପ୍ରଗତି ମଞ୍ଚ ତରଫରୁ ଗତ ୨୨-୧୧- ୨୦୨୪ରେ ମୁନିଗୁଡ଼ା ପ୍ରଗତି ମଞ୍ଚ ନେତୃତ୍ୱରେ ମୁନିଗୁଡ଼ା ବ୍ୟବସାୟୀ ସଂଘ, ନାଗରିକ ମଞ୍ଚ,ପ୍ରେସ କ୍ଲବ ଏବଂ ଅନେକ ସାମାଜିକ ଅନୁଷ୍ଠାନ ମାନଙ୍କ ସହିତ ମୁନିଗୁଡ଼ା ରେଳ ଷ୍ଟେସନ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଥିଲେ । ଫଳରେ ସମ୍ବଲପୁର ରେଳ ଡିଭିଜନ ଡିଆରଏମଙ୍କ ତରଫରୁ ଏକ ଉଚ୍ଚ  ଅଧିକାରୀ ଦଳ ଓ ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ମଞ୍ଚକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ  । ପରେ ସାତ ଦିନ ମଧ୍ୟରେ ପ୍ରଗତି ମଞ୍ଚ ସହ ମିଶି ଭୂତଳ ରାସ୍ତା ନିମନ୍ତେ ସର୍ଭେ କରିବା ଏବଂ କାର୍ଯ୍ୟର ଇସ୍ଟିମେଟ କରି  ଏହାକୁ କାର୍ଯ୍ୟକ୍ଷମ ନିମନ୍ତେ ବିଭାଗକୁ ପଠାଇ ଦିଆଯାଇଛି ବୋଲି ଏଡିଇଏନ ପ୍ରକାଶ କରିଥିଲେ  । ଏହାକୁ ସାତ ମାସ ବିତି ଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇନାହିଁ  । ତେଣୁ ବାଧ୍ୟ ହୋଇ ପ୍ରଗତି ମଞ୍ଚ ମୁନିଗୁଡା ରେଳ ବିଭାଗ ଏଡିଇଏନ କାର୍ଯ୍ୟାଳୟ ପରିସରରେ ରିଲେ ହଙ୍ଗର ଷ୍ଟ୍ରାଇକ ନିଷ୍ପତି ନେଇଥିଲା  । କିନ୍ତୁ ପ୍ରଗତି ମଞ୍ଚ ପୁଣି ରେଳ ବିଭାଗକୁ କାର୍ଯ୍ୟ ଆରମ୍ଭ ନିମନ୍ତେ ଏକ ମାସର ସମୟ ଦେଇ କାର୍ଯ୍ୟ ଆରମ୍ଭ ନିମନ୍ତେ ଅନୁରୋଧ କରିଥିବା ମଞ୍ଚ ପକ୍ଷରୁ କୁହାଯାଇଛି  ।  ଉକ୍ତ ସ୍ମାରକପତ୍ର ପ୍ରଦାନ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଗତି ମଞ୍ଚର ସହ ସମ୍ପାଦକ ମନୋରଞ୍ଜନ ଦଳାଇ, ଉପ ସଭାପତି ରାଜୀବ ଲୋଚନ ଦାସ,କୋଷାଧ୍ୟକ୍ଷ ନନ୍ଦକିଶୋର ପଟ୍ଟନାୟକ,ବଣିକ ସଙ୍ଘର ସଭାପତି ଚିନ୍ତାମଣି ସାହୁ,ବଳରାମ ନାୟକ, ସମ୍ପାଦକ ମଞ୍ଚର ଉପଦେଷ୍ଟା ପ୍ରଦୀପ ପରିଚ୍ଛା, ଜଗନ୍ନାଥ ନୁନ୍ଦ୍ରୁକା, ଏମଡି. ଆୟୁବ, କାର୍ଯ୍ୟକାରିଣୀ ସଦସ୍ୟ ସୁଦାମ ପଣ୍ଡା ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ  ।