ଆକ୍ରମଣ ସହ ହତ୍ୟା ଧମକ, ଥାନାରେ ଏତଲା 

ହିଞ୍ଜିଳିକାଟୁ : କୌଣସି କାରଣରୁ ଗ୍ରାମର ୨ ଯୁବକ ମାରପିଟ୍ ହେଉଥିବା ବେଳେବେଳେ ଉଭୟଙ୍କୁ ବୁଝାସୁଝା କରିବା ବେଳେ ଉତ୍ତ୍ୟକ୍ତ ଯୁବକ ଓ ତାଙ୍କ ବାପା ମିଶି ବୁଝାସୁଝା କରୁଥିବା ଯୁବକଙ୍କୁ ଆକ୍ରମଣ କରିବା ସହ ହତ୍ୟା ଧମକ ଦେବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଶନିବାର ହିଞ୍ଜିଳି ଥାନା ରାଳବ ଗ୍ରାମରେ ଘଟିଛି । ଅଭିଯୋଗ ପ୍ରକାରେ, ଗତ ଶନିବାର ଅପରାହ୍ନରେ ହିଞ୍ଜିଳି ଥାନା ରାଳବ ଗ୍ରାମର ୨ ଯୁବକ ଶିବଶଙ୍କର ବରଡ ଓ ଓମ୍ ବରଡଙ୍କ ମଧ୍ୟରେ ଗ୍ରାମ ଦାଣ୍ଡରେ ଗଣ୍ଡଗୋଳ ଚାଲିଥିଲା । ସଂପୃକ୍ତ ଗ୍ରାମର ବୁଲୁ ପ୍ରଧାନ ଘଟଣା ସ୍ଥଳକୁ ଆସି ଉଭୟଙ୍କୁ ଗଣ୍ଡଗୋଳ ନ କରିବା ପାଇଁ ବୁଝାସୁଝା କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଓମ୍ ବରଡ ଓ ତାଙ୍କ ବାପା ଭୀମ ବରଡ ମିଶି ହଠାତ୍ ବୁଲୁଙ୍କୁ ତୁମେ କାହିଁକି ଏଥିରେ ହସ୍ତକ୍ଷେପ କରୁଛ ବୋଲି କହିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଆକ୍ରମଣରେ ବୁଲୁ ଆହତ ହୋଇ ଘଟଣା ସ୍ଥଳରୁ ଖସି ଘରକୁ ଫେରି ଆସିଥିଲେ । ଶନିବାର ରାତିରେ ଓମ୍, ତାଙ୍କ ବାପା ଭୀମ ଓ ସହଯୋଗୀ ସୁଧିର ପାଣ୍ଡି ବୁଲୁଙ୍କ ଘରକୁ ଆସି କବାଟ ଖୋଲିବାକୁ କହିଥିଲେ । ବୁଲୁଙ୍କ ସମ୍ପର୍କୀୟ ଝୁଲଣା ସାହୁ ଓ ତାଙ୍କ ସ୍ୱାମୀ ସଞ୍ଜୟ ସାହୁ କବାଟ ଖୋଲି ଘଟଣା ସମ୍ପର୍କରେ ପଚାରିବାରୁ ୩ ଜଣ ମିଲି ମହିଳାଙ୍କୁ ଟଣାଓଟରା କରିବା ସହ ସଞ୍ଜୟଙ୍କୁ ଏକ ଶାବଳରେ ଆକ୍ରମଣ କରିଥିଲେ । ଘଟଣା ନେଇ ଥାନାରେ ଅଭିଯୋଗ କଲେ ହତ୍ୟା କରିବାକୁ ଧମକ ଦେଇଥିଲେ ବୋଲି ବୁଲୁଙ୍କ ସ୍ତ୍ରୀ ଝିଲି ପ୍ରଧାନ ରବିବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩୨୦/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ଘଟଣାକୁ କେନ୍ଦ୍ର କରି ଗ୍ରାମର ୨ ଗୋଷ୍ଠୀ  ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି ।