ଉକ୍ରଳୀୟ ପରମ୍ପରାରେ ଦଣ୍ଡନାଚ
ଡକ୍ଟର ଲକ୍ଷ୍ମଣ ସାହୁ : ଓଡ଼ିଶାର ଦଣ୍ଡନାଚ ଏକ ପ୍ରାଚୀନ ଓ ପାରମ୍ପରିକ ନାଚ । ବିଶେଷ କରି ଏହା ଗଞ୍ଜାମ ଜିଲ୍ଲାର ଏକ ଲୋକ ପର୍ବ । ଏହା ଗ୍ରାମାଞ୍ଚଳରେ ଏହା କାମନା ଦଣ୍ଡ ଭାବେ ପରିଚିତ । ଏହି ନୃତ୍ୟ ଦ୍ୱାରା ଧର୍ମୀୟ ଧାରଣା ଓ ଈଶ୍ୱର ବିଶ୍ୱାସ ଜାଗ୍ରତ ହୋଇଥାଏ । ଆଦି ନାଟକର ସୃଷ୍ଟି ରହସ୍ୟମୟ । ତାହା କେବେ ଆରମ୍ଭ ହୋଇଥିଲା ଯଥାର୍ଥ ଉତ୍ତର ନାହିଁ , ବିବାଦୀୟ ହୋଇ ରହିଛି । ତଥାପି ଆଧୁନିକ ନାଟକ ସୃଷ୍ଟିର ବହୁ ପୂର୍ବରୁ ଲୋକନାଟକଗୁଡ଼ିକ ସୃଷ୍ଟି ହୋଇଥିବା ବିଷୟକୁ ଅସ୍ୱୀକାର କରିହେବ ନାହିଁ । କାରଣ ବେଦ, ଭରତମୁନିଙ୍କ ନାଟ୍ୟଶାସ୍ତ୍ର,ବୌଦ୍ଧ ନିକାୟ, ପାଣିନି, କୃଶାଶ୍ୱ ଓ ବିଭିନ୍ନ ପୌରାଣିକ ଗ୍ରନ୍ଥରୁ ଲୋକନାଟକ ସମ୍ପର୍କରେ ସଂକେତ ମିଳିଥାଏ । ଲୋକନାଟକ ବହିର୍ଲକ୍ଷ୍ୟ ଓ ଅନ୍ତର୍ଲକ୍ଷ୍ୟ ହେଉଛି ଶିକ୍ଷା ପ୍ରଦାନ କରିଥାଏ । ଜନଜୀବନର କାହାଣୀକୁ ବିଶ୍ୱସ୍ତ ଭାବେ ଉପସ୍ଥାପିତ କରିବା ଲୋକନାଟକର ଲକ୍ଷ୍ୟ । ନାଟକ ହେଉଛି ଦୃଶ୍ୟକାବ୍ୟ ଓ କାବ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ । ନାଟକର ସ୍ରଷ୍ଟା ନାଟ୍ୟ ଶିଳ୍ପିର ମାୟାଜାଲ ବିସ୍ତାର କରି ଦର୍ଶକର ଚିତ୍ତ ବିନୋଦନ ସହିତ ସତ୍ୟ ,ଶିବ ଓ ମଙ୍ଗଳର ଜୟଗାନ କରିଥାନ୍ତି । ଲୋକ ନାଟକର କାରଣ ହେଉଛି -ପ୍ରକୃତି ପ୍ରଭାବ, ଧର୍ମ ଚିନ୍ତନ, କୃଷି ସଭ୍ୟତା, ସାମରିକ ପରମ୍ପରା, କାରୁକଳା, ଆଦିବାସୀ ଓ ଓଡଶୀ ନୃତ୍ୟ । ଦଣ୍ଡ ନାଟ୍ୟର ଉତ୍ପତ୍ତି ଓ ବିଶ୍ୱାସ ପୁରାଣ ସମ୍ବଳିତ କଥାକୁ ନେଇ । ଥରେ ଦକ୍ଷ ପ୍ରଜାପତି ଯଜ୍ଞର ଆୟୋଜନ କରି ନିଜ କନ୍ୟା ସତୀ ଓ ଜାମାତା ଶିବଙ୍କୁ ଛାଡି ଅନ୍ୟ ଦେବତାମାନଙ୍କୁ ଆମନ୍ତ୍ରିତ କରିଥିଲେ । ନିମନ୍ତ୍ରିତ ନଥିବାରୁ ସତୀ ଯଜ୍ଞସ୍ଥଳକୁ ଯିବାରୁ ଦକ୍ଷ ତାଙ୍କୁ ଭସôର୍ନା କରିବା ସହ ଶିବଙ୍କୁ ଚରମ ଅପମାନ ଦେଲେ । ଏହା ସହି ନ ପାରି ସତୀ ଯଜ୍ଞକୁଣ୍ଡରେ ଝାସଦେଇ ପ୍ରାଣତ୍ୟାଗ କଲେ । ଏହି ଦୁଃଖଦ ଖବର ପାଇ ଶିବ କ୍ରୋଧାନ୍ୱିତ ହୋଇ ଦକ୍ଷଙ୍କର ଶିରଚ୍ଛେଦ କରିଥିଲେ । ତାଙ୍କର ଉଗ୍ରରୂପକୁ ଶାନ୍ତ କରିବାପାଇଁ ଦକ୍ଷ ପନôୀ ଅର୍ଘ୍ୟ ଦେଇ ବନ୍ଦାପନା କରିବାକୁ ଆସିବା ବେଳେ ଶିବଙ୍କର ଦିଗମ୍ବର ରୂପକୁ ଦେଖି ତାଙ୍କୁ ଲିଙ୍ଗରୂପରେ ପୂଜା ପାଇବାକୁ ଅଭିଶାପ ପ୍ରଦାନ କଲେ । ସେହି ଅଭିଶାପରେ ଶିବଲିଙ୍ଗ ଭୂପତିତ ହେଲା ଓ ଆଦିଶକ୍ତି ଉଭା ହୋଇ ଏହି ଲିଙ୍ଗକୁ ଧାରଣ କଲେ । ସେହିଦିନଠାରୁ ଶିବଶକ୍ତି ଦଣ୍ଡ ଓ ଘଡ଼ି ରୂପରେ ପୂଜା ପାଉଛନ୍ତି । ବ୍ରହ୍ମା ଏହି ଦଣ୍ଡ-ଘଡ଼ି ପୂଜା କରିବାକୁ ଚଢେଇଆକୁ ଦେବା ଦିନ ଠାରୁ ଦଣ୍ଡଯାତ୍ରାର ଆରମ୍ଭ ଘଟିଛି । ସେଭଳି ଅନ୍ୟ ଏକ ପୌରାଣିକ କାହାଣୀ ରହିଛି । ବ୍ରହ୍ମାଙ୍କ ପାଞ୍ଚ କୁମାର ମରୀଚି, ପୁଲହ, ପୁଲସ୍ତ୍ୟ, କ୍ରତୁ ଓ ଅଙ୍ଗିରା ଇନ୍ଦ୍ରଙ୍କ ପାଞ୍ଚ ପୁଅ ଜୟନ୍ତ, ପାକଶାସ୍ତ୍ରୀ, ସୁବସô, ସୁରସେନ, ଗନ୍ଧର୍ବସେନ ଓ କୁବେରଙ୍କ ତିନିପୁତ୍ର ନଳ, ମଣିଭଦ୍ର, ସୁକୁବେର ସତ୍ୟ ଯୁଗରେ ଦେବଗୁରୁ ବୃହସ୍ପତିଙ୍କଠାରୁ ବିଦ୍ୟାଶିକ୍ଷା କରି ଫେରୁଥିବା ସମୟରେ ପିତୃଲୋକଙ୍କୁ ଜଳଦାନ କରୁଥିବା ଋଷି କର୍ତ୍ତୃଙ୍କୁ ଦେଖି ହସିବାରୁ ଶାପିତ ହୋଇ କୁଷ୍ଠରୋଗାକ୍ରାନ୍ତ ହେଲେ । ଏଥିରୁ ମୁକ୍ତି ପାଇବାକୁ ସେମାନେ ମହାଦେବ ଶିବଙ୍କ କୃପାପ୍ରାର୍ଥୀ ହେଲେ । ତେବେ ମହାଦେବ ସ୍ୱୟଂ ଆଦିଶକ୍ତିଙ୍କୁ ସ୍ମରଣ କରୁଥିଲେ । ଏ ସମୟରେ ମା କାଳୀ ଆବିର୍ଭୂତା ହୋଇ ୧୩ ଦିନ ରୁଦ୍ରକାଳୀ ଦଣ୍ଡବ୍ରତ ପାଳନ କରିବାକୁ କହିବାରୁ ଦଣ୍ଡଯାତ୍ରାର ଆରମ୍ଭ ହୋଇ ଆସୁଛି । ଆଉ ଏକ ପୌରାଣିକ କାହାଣୀ ହେଉଛି ତରଣୀ ଋଷିଙ୍କର ୧୪ ଜଣ ଉଦ୍ଧତ ପୁଅ ଅନେକ ଅନ୍ୟାୟ ଅତ୍ୟାଚାର କରୁଥିଲେ । ସେମାନଙ୍କ ଭିତରୁ ଜଣେ ଅଭକ୍ଷ୍ୟ ଭକ୍ଷଣ କରି ମୃତୁ୍ୟବରଣ କଲା ଓ ଅନ୍ୟମାନଙ୍କୁ ବ୍ରହ୍ମା ଉଇହୁଙ୍କା ପାଲଟି ଯିବାକୁ ଅଭିଶାପ ଦେଇଥିଲେ । ସେହି ତେରଜଣଙ୍କ ଭିତରୁ ଜଣେ ଶିବଙ୍କ ଶରଣାପନ୍ନ ହୋଇ ଦଣ୍ଡ ପାଳନ କରି ବ୍ରହ୍ମାଙ୍କୁ ତୁଷ୍ଟ କରିବାରୁ ତେରଭାଇ ଶାପମୁକ୍ତ ହୋଇଥିଲେ । ଏହି ତେର ଋଷିପୁତ୍ରଙ୍କୁ ନେଇ ତେର ଦଣ୍ଡନାଟର ଆରମ୍ଭ ବୋଲି ବିଶ୍ୱାସ ରହିଛି । ଭିନ୍ନ ଏକ ପୌରାଣିକ କିମ୍ବଦନ୍ତୀ ହେଉଛି ଅଷ୍ଟାବକ୍ର ଋଷିଙ୍କର କୁରୂପ ଶରୀରକୁ ଦେଖି ବୃହସ୍ପତି, ଇନ୍ଦ୍ର ଓ କୁବେରଙ୍କର ୧୩ ପୁତ୍ର ପରିହାସ କରିବାରୁ ଋଷିଙ୍କ ଅଭିଶାପରେ ସେମାନେ ଚଢେୟା ଶବର ଭାବେ ପୃଥିବୀ ପୃଷ୍ଠରେ ଜନ୍ମ ହେଲେ । ଥରେ ନିଷିଦ୍ଧ ଅଞ୍ଚଳରେ ପକ୍ଷୀ ଶିକାର କରିବାରୁ ପକ୍ଷୀମାନେ ଗରୁଡ଼ଙ୍କୁ ନିଜର ଦୁଃଖ ଜଣାଇଲେ । ଫଳତଃ ଗରୁଡ଼ଙ୍କ ଆଦେଶରେ ଶିବଙ୍କର ସର୍ପ ଦଂଶନ କରି ମାରିଦେଲେ । ସେମାନଙ୍କ ପନôୀ ମା କାଳୀଙ୍କୁ ପ୍ରାର୍ଥନା କରିବାରୁ ସେ ୧୩ ଜଣ ଚଢେୟାଙ୍କୁ ଜୀବଦାନ ଦେଲେ । ତେଣୁ ଏହି ମହିମାକୁ ପ୍ରଚାର କରିବାପାଇଁ ୧୩ ଜଣ ଦଣ୍ଡୁଆ ଦଣ୍ଡକାଳୀ ବ୍ରତ ଧାରଣ କରିବାର ପ୍ରଥା ରହିଛି । ନିଷ୍ଠା ଓ ବିଶ୍ୱାସ ଅଛି ଯେ ଏହି ଦଣ୍ଡନାଚରେ ପ୍ରଭା, ନାଗ, ଫାସ, ଦଣ୍ଡ, ଗୌରୀବେତ, ମୟୂରଚନ୍ଦ୍ରିକା, ଚମ୍ପାବର, ଗୁଆ, କଷାୟବସ୍ତ୍ର, ପତାକା ଓ ବେତ ଏକାନ୍ତ ଆବଶ୍ୟକ । ଗୌରୀବେତରେ ସ୍ୱୟଂ ଶିବ ବିରାଜମାନ କରିଥିବା ବିଶ୍ୱାସ ଅଛି । ଏହି ପର୍ବ ପ୍ରାଚୀନ କାଳରୁ ଓଡ଼ିଶାରେ ଚଳି ଆସୁଛି । ଏପରିକି ଓଡ଼ିଶା ବାସୀଙ୍କର ନୂଆ ବର୍ଷ ଦିନ ଅର୍ଥାତ୍ ମହାବିଷୁବ ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି ଦିନ ଏହା ଉଦଯାପିତ ହୁଏ । ଦଣ୍ଡନାଚରେ ଉଭୟ ଭଗବାନ ଶିବ ଓ ମା କାଳୀଙ୍କୁ ଉପାସନା କରାଯାଏ । ଏହା ବୈଶାଖ ମାସରେ ଆରମ୍ଭ ହୋଇ ୧୩ ଦିନ ପର୍ଯ୍ୟନ୍ତ ପାଳନ ହୁଏ । ୧୩ ଦିନ ଶେଷର ଦିନକୁ ମେରୁ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି କୁହାଯାଏ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହି ଦଣ୍ଡପୂଜା ହୋଇ ଆସୁଛି । କଟକ, ଢେଙ୍କାନାଳ, ଗଂଜାମ, ନୟାଗଡ଼ ଆଦି ଜିଲାରେ ଦଣ୍ଡ ପୂଜା ବହୁ ପୁରୁଷ ଧରି ଚାଲିଛି । ଦଣ୍ଡନାଚର ପାଳନରେ ଭିନ୍ନତା ପରିଲକ୍ଷିତ ହୋଇଥାଏ । ଶୈବ ଧର୍ମରୁ ଏହାର ଉତ୍ପତ୍ତି । ରଣ ଶିବ ସକଳ ନାଟ୍ୟପ୍ରକଟ ଶାସ୍ତ୍ର ମୂଳ ଦେବତା । କୋଠର ନିୟମରେ ରହି ଶିବ ପାର୍ବତୀଙ୍କ କଥା ପ୍ରଚାର କରିବା ଦଣ୍ଡ ନାଟର ଲକ୍ଷ୍ୟ । ମାନସିକ ପୂରଣ ପାଇଁ ସାଧାରଣତଃ ଏହା କରାଯାଏ । ଏହାର ସୃଷ୍ଟି ସମ୍ପର୍କରେ ଶିବ ପୁରାଣରେ ବର୍ଣ୍ଣନା ଅଛି । ଚୈତ୍ର ବୈଶାଖ ମାସ ଶିବଶକ୍ତି ଉପାସନା ପାଇଁ ଉପଯୁକ୍ତ ସମୟ । ଏହି ଦଣ୍ଡ ବ୍ରତ ୧୩ କିମ୍ବା୨୧ ଦିନ ଧରି ଆରମ୍ଭ ହୋଇ ପଣା ସଂକ୍ରାନ୍ତି ଦିନ ଶେଷ ହୁଏ । ପାରିବାରିକ କଷ୍ଟ ଦୂରୀକରଣ, କୃଷିର ଉନ୍ନତି ବା ମନସ୍କାମନା ପୂର୍ତ୍ତିର ଫଳ ସ୍ୱରୂପ ଶରୀରକୁ କଷ୍ଟ ଦେଇ ୧୩, ୧୮ ବା ୨୧ ଦିନ ପର୍ଯ୍ୟନ୍ତ ମା' ଦଣ୍ଡକାଳୀ ଓ ରୁଦ୍ର ମହାଦେବଙ୍କୁ ଧ୍ୟାନ କରି ଚୈତ୍ରମାସ ପୂର୍ଣ୍ଣିମା ପରଠାରୁ ଭକ୍ତମାନେ ରହିଥାନ୍ତି ।
ପାରମ୍ପରିକ ବିଧି ଅନୁସାରେ ୨୧ ଦିନ ପର୍ଯ୍ୟନ୍ତ ଆମିଷ, ମଦ୍ୟ, ନାରୀସଂସର୍ଗ ପରିହାରର ସଂକଳ୍ପ କରି ୧୩ ଜଣ ଦଣ୍ଡୁଆ ବା ଭୋକ୍ତା ଗେରୁଆ ବସ୍ତ୍ର ପିନ୍ଧି କାମନା ମନ୍ଦିର ପୀଠରେ ଯାତ୍ରା ଆରମ୍ଭ ଦିନର ମଧ୍ୟରାତ୍ରରେ ଏକାଠି ହୁଅନ୍ତି । କାମନା ଘଟ ସ୍ଥାପିତ ହୁଏ ଓ ତା ପରେ ଦୁଇଟି ବେତକୁ ଶିବ ଓ ଗୌରୀଙ୍କ ପ୍ରତୀକରୂପେ ସ୍ଥାପନ କରାଯାଏ । ଦଳର ମୁଖ୍ୟ ପାଟ ଦଣ୍ଡୁଆ ଓ ଅନ୍ୟ ଦଣ୍ଡୁଆମାନେ ଉପବୀତ ଧାରଣ ପୂର୍ବକ ବାଉଁଶକାଠକୁ ଘର୍ଷଣ କରି ଶିବାଗ୍ନି ବାହାର କରନ୍ତି । ଏଥିରେ ନଡ଼ାରେ ତିଆରି ରମ୍ପାବରକୁ ପ୍ରଜ୍ଜ୍ୱଳିତ କରାଯାଏ ଯାହା ୧୩ ଦିନ ପର୍ଯ୍ୟନ୍ତ ଜଳିରହେ । କାଳୀଙ୍କ ଚିତ୍ରପଟ, ମହାଦେବଙ୍କ ପ୍ରତୀକ ନାଗ ମୂର୍ତ୍ତି, ମୟୁରପୁଚ୍ଛ, ପତାକା ପୂଜାପରେ ଦଣ୍ଡନାଟ ଆରମ୍ଭ ହୁଏ । ଢୋଲ, ମହୁରୀ, ସାହାନାଇ, ଘଣ୍ଟ, ଶଙ୍ଖ,କାହାଳୀ, ଝାଞ୍ଜ, ଘୁଙ୍ଗୁର, ଘାଗୁଡ଼ି, ଦାସକାଠି, ରାମତାଳି, ଘୁଡୁକୀ, ଖଞ୍ଜଣୀ ପ୍ରଭୃତି ପାରମ୍ପାରିକ ବାଦ୍ୟର ତାଳେ ତାଳେ ଦଣ୍ଡନାଟ ପ୍ରଥମେ କାମନା ମନ୍ଦିର ପରିସରରେ ଆରମ୍ଭ ହୋଇ ପରେ ମାନସିକଧାରୀ ଭକ୍ତମାନଙ୍କ ଗୃହ ସମ୍ମୁଖରେ ଅନୁଷ୍ଠିତ ହୋଇଥାଏ । ଏପରି ୧୩, ୧୮, ୨୧ ଦିନ ବୁଲିବାପରେ ଦଣ୍ଡଦଳ ବିଷୁବ ସଂକ୍ରାନ୍ତି ଦିନ କାମନା ମନ୍ଦିର ପାଖରେ ରୁଣ୍ଡ ହୁଅନ୍ତି । ସେଠାରେ ମେରୁଯାତ୍ରା ଅନୁଷ୍ଠିତ ହୁଏ । ଅନ୍ୟଏକ ଜାଗାରେ ମେରୁକୁଣ୍ଡର ଦୁଇପାଖରେ ବେଲକାଠଦ୍ୱାରା ଦୁଇଟି ଖୁଣ୍ଟ ପୋତାଯାଏ । ସେ ଦୁଇଟି ଗୋଟିଏ କାଠଦ୍ୱାରା ସଂଯୁକ୍ତ ହୋଇଥାଏ । ମୁଖ୍ୟ ଦଣ୍ଡୁଆ ସ୍ନାନସାରି ଓଦାବସ୍ତ୍ରରେ ପ୍ରଭୁଙ୍କୁ ଦର୍ଶନ କରନ୍ତି । ତାଙ୍କ ଦେହରେ କାଳୀ ଲାଗିଲା ପରେ କେତକ ଲୋକ ମିଶି ତାଙ୍କୁ ନିୟନ୍ତ୍ରଣ କରନ୍ତି । ପରେ ତାଙ୍କୁ ସେହି କାଠରେ ଓଲଟା ଲଟକାଇ ଦିଆଯାଏ । ତଳେ ଝୁଣା ଧୂଆଁର ଝାସରେ ତାଙ୍କ ନାସାରୁ ତିନିଟୋପା ରକ୍ତ ପଡ଼ିବାପରେ ସେ ଅଚେତ ଅବସ୍ଥାରେ ସେଥିରେ ଝୁଲି ରହନ୍ତି । ତାଙ୍କୁ ନିକଟସ୍ଥ ଜଳାଶୟକୁ ନେଇ ତାଙ୍କ ଚେତା ଫେରାଇ ଆଣିବାପରେ ଦଣ୍ଡନାଚ ଶେଷ ହୁଏ । ଏହି ପର୍ବରେ ମିଶିଥିବା ଭକ୍ତଙ୍କୁ ଦଣ୍ଡୁଆ ବା ଭୋକ୍ତା କୁହାଯାଏ । ଭୋକ୍ତାମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥିବାରୁ ଏହାକୁ ଦଣ୍ଡନାଚ କୁହାଯାଏ । ଦଣ୍ଡ ନାଟରେ ମିଶିବାଦ୍ୱାରା ମା'କାଳୀଙ୍କ କୃପାରୁ ପାପ ଓ ଦୁଖ ଦୂର ହୋଇ ମାନବ ଶାନ୍ତି ଓ ଧନ ପ୍ରାପ୍ତ ହୁଏ ବୋଲି ବିଶ୍ୱାସୀ ଓଡ଼ିଆ ଏହି ପର୍ବକୁ ପାଳନ କରେ । ଦଣ୍ଡନାଚରେ ୧୩ଜଣ ମୁଖ୍ୟଭୋକ୍ତା ଥାଆନ୍ତି । ଏହି ୧୩ଜଣ ତେର ବର୍ଷ ପାଇଁ ଅଂଶଗ୍ରହଣ କରିବାକୁ ବାଧ୍ୟ । ସେମାନଙ୍କ ମଧ୍ୟରେ ଜଣେ ପାଟଭୋକ୍ତା ଥାଆନ୍ତି । ଭୋକ୍ତାମାନଙ୍କ ପାଇଁ କଠିନ ଆଚରଣ, ନିଷ୍ଠା ଓ ତ୍ୟାଗର ବିଧିବିଧାନ ରହିଛି । ଭୋକ୍ତାମାନେ ଯେଉଁ ୧୬ପ୍ରକାର ଦଣ୍ଡ ପରମ୍ପରା ଅନୁସାରେ ଗ୍ରହଣ କରନ୍ତି । ସେଗୁଡ଼ିକ ମଧ୍ୟରେ ଆହାର, ଉଜାଗର (ନିଦ୍ରା), ମୈଥୁନ ତ୍ୟାଗ, ଗୃହତ୍ୟାଗ, ପଦଗମନ, ଶ୍ମଶାନ, ନୃତ୍ୟ, ଧୂଳି, ପାଣି, ଅଗ୍ନି, ଗୃହଦଣ୍ଡ, ଅଙ୍ଗବଳୀ, ମେରୁପଟା (କଣ୍ଟା ଫୋଡ଼ିବା), ଶୁଦ୍ଧିକ୍ରିୟା, କୁଳଭୋଜି ଓ ଅଗ୍ନି ପରୀକ୍ଷା (ଅଗ୍ନିରେ ଚାଲିବା) ଆଦି ।
ଲିଆ, ପଣା ତଥା ମୁଗସିଝା ଏମାନଙ୍କର ଖାଦ୍ୟ । ଭୋକ୍ତାମାନେ ଶିବ, ପାର୍ବତୀ, କାଳୀ, କଳସ, ବେତ, ଛତ୍ର, ବାନା, ଆଲଟ, ଚାମର, ଘଣ୍ଟ, ଢୋଲ, ମହୁରୀ, ଶଙ୍ଖ, ତୁରୀ ଧରି ଗାଁକୁ ଗାଁ ବୁଲନ୍ତି । ମାନସିକ କରିଥିବା ବ୍ୟକ୍ତି ସେମାନଙ୍କୁ ନିମନ୍ତ୍ରଣ କରନ୍ତି । ଷୋହଳ ସୁଆଙ୍ଗ ଦଣ୍ଡନାଚର ମୁଖ୍ୟ ଆକର୍ଷଣ । ଯଜମାନଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରି ପାଣିଦଣ୍ଡ, ଧୂଳି ଦଣ୍ଡ, ବଜ୍ର ଦଣ୍ଡ, ଅଗ୍ନି ଦଣ୍ଡ, ନୃତ୍ୟ ଦଣ୍ଡ ଆଦି ବରଣ କରନ୍ତି । ପ୍ରଚଣ୍ଡ ଖରାରେ ତତଲା ବାଲି ଉପରେ ଗଡ଼ି, ପିରାମିଡ଼ କରି ଭୋକ୍ତାମାନେ ପାଣିଦଣ୍ଡ ନୃତ୍ୟ ପରିବେଷଣ କରନ୍ତି । ଶିବ ପାର୍ବତୀ, ଯୋଗିଯୋଗିଆଣୀ, କେଳା କେଳୁଣୀ, ଶବର ଶବରୁଣୀ, ହାଡ଼ି ହାଡ଼ିଆଣୀ, ଚଢେୟା ଚଢେୟାଣୀ, ବୀଣାକାର ଇତ୍ୟାଦି ସୁଆଙ୍ଗ ଦର୍ଶକମାନଙ୍କୁ ଆକୃଷ୍ଟ କରେ । ସୁଆଙ୍ଗବେଳେ ଚରିତ୍ରକୁ ଚାହିଁ ବେଶ ପୋଷାକ ପିନ୍ଧିଥାନ୍ତି ।
ବାସ୍ତବରେ ପୌରାଣିକ, କୃଷିଭିତ୍ତିକ ଓ ସାଧାରଣ ଜୀବନ ଦର୍ଶନର ପ୍ରଭାବ ଦଣ୍ଡନାଟରେ ଦେଖିବାକୁ ମିଳିଥାଏ । ଏଥିରେ ଅତି ସରଳ ଗ୍ରାମୀଣ ଭାଷା ବ୍ୟବହାର କରାଯାଇଥାଏ । ବିଷୁବ ସଂକ୍ରାନ୍ତି ଦିନ ଦଣ୍ଡନାଚ ଶେଷ ହୁଏ । ଏହି ଶେଷଦିନକୁ ମେରୁ ପୂଜା କୁହାଯାଏ । ପ୍ରଜ୍ଜ୍ୱଳିତ ଅଗ୍ନି ଉପରେ ମେରୁ ଖୁଣ୍ଟରେ ଝୁଲି ପାଟଭୋକ୍ତା ଭକ୍ତମାନଙ୍କ ପାଇଁ ଶାରିରୀକ କଷ୍ଟ ଗ୍ରହଣ କରନ୍ତି । ଘଣ୍ଟ, ଝାଞ୍ଜ ଓ ଢୋଲ ଇତ୍ୟାଦି ବାଦ୍ୟଯନ୍ତ୍ର ବାଜୁଥିବା ବେଳେ ଭୋକ୍ତାମାନଙ୍କ କଳାରୁଦ୍ରମଣିକି ଭଜ ହେ ଧ୍ୱନି ଶ୍ରଦ୍ଧାଳୁଙ୍କ ମନରେ ଭୟ ମିଶ୍ରିତ ଭକ୍ତି ଭାବ ସୃଷ୍ଟି କରିଥାଏ । ଏହାର ପରଦିନ କୁଳଭୋଜି ହୁଏ । ସମସ୍ତେ ଏକାଠି ବସି ଖାଆନ୍ତି ଓ ନିଜ ନିଜର ଶୁଦ୍ଧିକ୍ରିୟା କରି ଭୋକ୍ତାମାନେ ଘର ବାହୁଡ଼ା କରନ୍ତି । ବୈଦିକ ଯୁଗରୁ ଏହି ଲୋକ ନାଟକ ସୃଷ୍ଟି ଘଟିଛି । କିନ୍ତୁ ଏବେ ଏହା ଲୋକ ସମାଜରେ ମୁମୂର୍ଷୁ ଅବସ୍ଥାରେ ବଞ୍ଚିରହିଛି । ପୁନରୁଦ୍ଧାର ପାଇଁ ସମଗ୍ର ବିଶ୍ୱ ପ୍ରୟାସ ରଖିଛି । କାରଣ ବିଶ୍ୱରେ ନାନା ପ୍ରକାରର ଲୋକନାଟକ ପ୍ରଚଳିତ । ଚୀନ, ଆମେରିକା, ଲୋହିତ ଭାରତୀୟ , ଆଫ୍ରିକାର ଆଦିବାସୀ, ୟୁରୋପର ଅନୁନ୍ନତ ଅଞ୍ଚଳ ତଥା ଭାରତର ବିଭିନ୍ନ ପ୍ରଦେଶରେ ବିଭିନ୍ନ ପ୍ରକାରର ଲୋକନାଟ୍ୟ ଦେଖିବାକୁ ମିଳେ...!!!
କଟକ -୪
ମୋ: ୯୦୪୦୧୫ ୧୪୭୫