ଡା.ଉମେଶ ଚନ୍ଦ୍ର ପାତ୍ର : ସପ୍ନ ଆମେ ଦେଖୁ । ସ୍ୱପ୍ନ ଦେଖିବା ଆମ ଅଧିକାର । ଯଦିଓ ତାହା ସତ ହୋଇପାରେ ଅବା ନ ହୋଇପାରେ । ତେବେ ପ୍ରଚୁର ସ୍ୱପ୍ନ, ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ଆମକୁ ଉତ୍ସାହିତ କରି ଆସିଛନ୍ତି ମୋଟିଭେସନାଲ ସ୍ପିକର, ମହାମନୀଷୀ, ଦାର୍ଶନିକମାନେ । ତେବେ ସେମାନେ ଏ ବାବଦରେ ମଧ୍ୟ ସତର୍କ, ସଚେତନ କରାଇ ଦେବାକୁ ଭୁଲି ନାହାନ୍ତି ଯେ, କେବଳ ସ୍ୱପ୍ନ ଦେଖିଲେ ହେବନାହିଁ । ତାକୁ ସାକାର କରିବାକୁ ହେଲେ କଠିନ ପରିଶ୍ରମ, କଠୋର ଅଧ୍ୟବସାୟ, ସାଧନା ଦରକାର । ପୁଣି ସାଧନାରେ, ପ୍ରୟାସରେ ଆନ୍ତରିକତା, ନିଷ୍ଠା ମଧ୍ୟ ଆବଶ୍ୟକ । ବ୍ୟକ୍ତି ବିଶେଷରେ ସ୍ୱପ୍ନ ଭିନ୍ନ ଭିନ୍ନ ହୋଇପାରେ କିନ୍ତୁ ସେହିସବୁ ସ୍ୱପ୍ନ ପଛରେ ଅନେକେ ଦଉଡୁଥାଆନ୍ତି ପାଗଳ ପରି। କେତେକ କେବଳ ଖିଆଲି ହୋଇ ଖାଲି ସ୍ୱପ୍ନ ଦେଖନ୍ତି, ତାହାକୁ ପୁରା କରିବା ପାଇଁ କୌଣସି ଆନ୍ତରିକତା ସେମାନଙ୍କର ନଥାଏ। ଆଉ କେତେକ ତ ଦିବା ସ୍ୱପ୍ନରେ ଚୁର । ସ୍ୱପ୍ନର ମାଦକତା କିନ୍ତୁ ସମସ୍ତଙ୍କୁ ସବୁକାଳେ ଘାରି ଆସିଛି, ଚୋରି କରିନେଇଛି ରାତିର ନିଦ।
ସ୍ୱପ୍ନ ଖୋଲା ଆଖିର ଅଞ୍ଜନ ମୁଦା ଆଖିର ବି । ଖୋଲା ଆଖିରେ ଆମେ ଦେଖୁ ଆଗକୁ ବଢ଼ିବାର ବିକଶିତ ହେବାର ସ୍ୱପ୍ନ, ପ୍ରତିଷ୍ଠା ପ୍ରତିପତ୍ତିର ସ୍ୱପ୍ନ । ଆଖି ବୁଜିଥିବାବେଳେ ଗଭୀର ନିଦ୍ରାର ଆଶ୍ଳେଷ ଭିତରେ ବି ଆମେ ଦେଖୁ ଭଳିକି ଭଳି ସ୍ୱପ୍ନ । ସ୍ୱପ୍ନ ଆମକୁ କେବେ ଦିଏ ଆକାଶୀ ଉଡାଣର ଚଞ୍ଚଳତା ତ କେବେ ଆମକୁ କଚାଡ଼ି ଦିଏ ମାଟିରେ । ସ୍ୱପ୍ନରେ ଆମେ ଦେଖୁ ହଠାତ ଆମ ଚାରିପାଖରେ ଧନଧାନ୍ୟର ପ୍ରାଚୁର୍ଯ୍ୟ, ନଭଶ୍ଚୁମ୍ବୀ ଅଟ୍ଟାଳିକା, ବିଳାସପୂର୍ଣ୍ଣ ଯାନ, ଘରେ ଚାକର ଚାକରାଣୀ, ନିଜେ ଆମେ ସାହେବ, ସାହେବାଣୀ ସ୍ୱପ୍ନରେ ବି ଆମେ ଦେଖୁ ଆମର ପିଲାମାନେ ଭଲ ଚାକିରି ପାଇଛନ୍ତି ସମାଜରେ ପାଞ୍ଚ ଜଣକ ମଧ୍ୟ ଜଣେ ଭାବରେ ଗଣା ହେଉଛନ୍ତି । ପୁଣି କେବେ କେମିତି ଆମେ ସ୍ୱପ୍ନରେ ଦେଖୁ ପ୍ରିୟ ଜନଙ୍କର ମୃତ୍ୟୁ, ଦୁର୍ଘଟଣା, ସେମାନଙ୍କର ଯନ୍ତ୍ରଣାକାତର ଚାହାଣୀ । ହେଲେ ନିଦ ଭାଙ୍ଗିଗଲାବେଳକୁ ଆମେ ନିଜକୁ ଠାବ କରୁ ଯେଉଁଠିକୁ ସେଇଠି । ସୁଖ ସ୍ୱପ୍ନ ହୋଇଥିଲେ ଆମେ ଆଧାରୁ ଭାଙ୍ଗି ପଡ଼ିଥିବା ସ୍ୱପ୍ନକୁ ଆଉ ଥରେ ଦେଖିବାକୁ ଚାହୁଁ । ଆଶା କରୁ ଆହାଃ ଏମିତି ଅଧା ପୁଲକିତ, ଅଧା ରୋମାଞ୍ôଚତ ଆଉ ଅଧା ଶିହରିତ କରି ସ୍ୱପ୍ନଟି ଏମିତି ଅଧା ବାଟରୁ ବାଟ ଭାଙ୍ଗି ଚାଲିଗଲା । ଆଉ ଟିକେ ଆଗକୁ ବଢ଼ିପାରିଥାନ୍ତି କି । ଆଉ ଟିକେ ଲମ୍ବା ହୋଇଥାନ୍ତାକି ନିଦ । ହେଉ ପଛେ ସ୍ୱପ୍ନରେ, ନିଜର ଶ୍ରୀ, ସମୃଦ୍ଧି ଦେଖିବାକୁ ଆମେ ଆତୁର । ଆଉ ସ୍ୱପ୍ନ ଭିତରେ ଆମେ ଯଦି ଦେଖୁ ଦୁଃଖ, ଯନ୍ତ୍ରଣା ତା ହେଲେ ବିଚଳିତ ହୋଇଯାଉ । ମୋଟାମୋଟି ସ୍ୱପ୍ନ ଆମ ଆଖିରେ ବୋଳିଦିଏ କୁହୁକ ଅଞ୍ଜନ ।
ସ୍ୱପ୍ନ ଆମକୁ କେଉଁଠି ନାହିଁ କେଉଁଠି ନେଇ ପହଞ୍ଚାଇ ଦିଏ ଦୂର ଦିଗବଳୟରୁ ଘନଜଙ୍ଗଲ ଚନ୍ଦ୍ରରୁ ମଙ୍ଗଳ । ସ୍ୱପ୍ନ ଦେଖିବାକୁ କିଏ ଅବା ଭଲ ନପାଏ । କିଏ ଅବା ସୁଖ ମଣେ ସୁନେଲି ସ୍ୱପ୍ନରେ ଆବିଷ୍ଟ ହେବା ପାଇଁ । ଅନେକ ପ୍ରେରଣାଦାୟୀ ବକ୍ତା, ମହାପୁରୁଷ କହିଯାଇଛନ୍ତି ଜୀବନରେ ବଡ଼ ବଡ଼ ସ୍ୱପ୍ନ ଦେଖ । ସ୍ୱପ୍ନହୀନ ଜୀବନ, ନାଉରି ନଥିବା ନାଆ ସଦୃଶ । ତେଣୁ ଜୀବନରେ ପ୍ରଚୁର ସ୍ୱପ୍ନ ଦେଖ । ତାହାକୁ ସାକାର କରିବାକୁ ପାରୁ ପର୍ଯ୍ୟନ୍ତତ ଚେଷ୍ଟା କର । ନିଷ୍ଠା, ଆନ୍ତରିକତା ଆଉ କଠୋର ଅଧ୍ୟବସାୟ ଥିଲେ ସ୍ୱପ୍ନ ଦିନେ ନିଶ୍ଚି ଭାବେ ସାକାର ହେବ । ଏତେ ସପନକୁ ରାତି କାହିଁ । ବୋଲି ଯାହା କୁହାଯାଏ, ଯଦି ସେହି ଅନୁସାରେ ବି ଆମେ ସ୍ୱପ୍ନକୁ ତଉଲିବା ତାହେଲେ ଅଧା ସ୍ୱପ୍ନ ସତ ହୋଇପାରେ ବାକି ଅଧକ ସ୍ୱପ୍ନରେ ହିଁ ହୁଏତ ରହିଯାଇପାରେ । ତେବେ ଏଥିରେ କାତର ହେବ ଉଚିତ ନୁହେଁ । ଗୁଡ଼ାଏ ସ୍ୱପ୍ନ ଦେଖିଥିବାରୁ ଅଧା ହୁଏତ ବାସ୍ତବ ରୂପ ନେଲା, ବାକି ଅଧିକ ସମାଧି ନେଇଗଲା ସେଇ ସ୍ୱପ୍ନ ଭିତରେ । କିନ୍ତୁ ଆମେ ଯଦି ଆଦୌ ସ୍ୱପ୍ନ ଦେଖିବା ନାହିଁ, ଆମ ଜୀବନର ନିର୍ଦ୍ଦିଷ୍ଟ ମନେହେବ ଅସାର ଓ ଅଳୀକ । ସ୍ୱପ୍ନ ବ୍ୟାପ୍ତି, ତାର ରୂପରେଖ ଭିନ୍ନ ଭିନ୍ନ ହୋଇପାରେ ବ୍ୟକ୍ତିବିଶେଷରେ । ଆର୍ଥିକ ଅସ୍ୱଚ୍ଛଳତା ଭୋଗୁଥିବା ଗରିବ ଲୋକଟିଏର ସ୍ୱପ୍ନ ଭଲରେ ଗଣ୍ଡେ ଖାଇବା, ଖଣ୍ଡେ ପିନ୍ଧିବା, ମୁଣ୍ଡ ଗୁଞ୍ଜିବା ପାଇଁ ଚାରିହାତ ଛାତ । ହଁ, ବେଳ ଅବେଳକୁ କିଛି ଟଙ୍କା ପଇସା ହାତରେ । ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାରର ମୁରବିଟିଏ ପାଇଁ ସ୍ୱପ୍ନ ଭିନ୍ନ କିଛି ମାଏନା ରଖେ । ଏଇ ଯେମିତି ପିଲାଏ ଭଲ ପାଠ ପଢ଼ନ୍ତୁ, ଭଲ ଚାକିରି ଚାକିରି କରି ସମାଜରେ ମର୍ଯ୍ୟାଦାବନ୍ତ ହୁଅନ୍ତୁ । ସହରରେ ନିଜର ବୋଲି ଦୃଶ୍ୟମାନ ଘରଟିଏ ହେଉ, ଆୟ ଅଳଙ୍କାର ବଢ଼ୁ । ଘର ଆଗରେ ଥୁଆ ହେଉ ଚକ ଚକ ଚାରିକିଆ । ସୁବିଧା ଅସୁବିଧାକୁ ଚଳେଇ ନେବା ପାଇଁ ବ୍ୟାଙ୍କ ବାଲାନ୍ସ ତ ନିହାତି ଲୋଡ଼ା । କୁହାଯାଏ ମଧ୍ୟବିତ୍ତ ଭାରତୀୟମାନେ ସବୁଠୁ ଅଧିକ ସ୍ୱପ୍ନ ଦେଖନ୍ତି । ସ୍ୱପ୍ନରେ ବୁଡ଼ି ରହିବାକୁ ଭଲ ପାଆନ୍ତି ।
ସ୍ୱପ୍ନ ପୂରଣ ହେବା ସହଜ ନୁହେଁ ଜାଣିବା ସତ୍ତେ୍ୱ ସ୍ୱପ୍ନ ବିଳାସୀ ହେବାକୁ ଭଲ ପାଆନ୍ତି । ସଫଳତାର ଗୋଟିଏ ଗୋଟିଏ ପାହାଚ ଚଢ଼ିବା ପାଇଁ ପ୍ରଥମେ ସ୍ୱପ୍ନ ଦେଖନ୍ତି, ପରେ ପ୍ରୟାସ କରନ୍ତି । କାରଣ ସ୍ୱପ୍ନ ଦେଖିଲେ ତ କାହା କିପରି ପୂର୍ଣ୍ଣାଙ୍ଗ ରୂପ ନେବ ସେଥିପାଇଁ ଚେଷ୍ଟା କରାଯିବ । ସ୍ୱପ୍ନର ଆକାର, ପ୍ରକାର, ବ୍ୟାପ୍ତି, ସ୍ଥିତି, ରୂପରେଖ ଭଳିକି ଭଳି -ବ୍ୟକ୍ତି ବିଶେଷରେ । ସ୍ୱପ୍ନ ଦେଖିବାକୁ କାହାକୁ ମନା ନାହିଁ, ଯିଏ ଯାହା ସ୍ୱପ୍ନକୁ ବାସ୍ତବରେ ପରିଣତ କରିବା ପାଇଁ ଧାଇଁଛି ଅଣନିଶ୍ୱାସୀ ହୋଇ । ସବୁ ସ୍ୱପ୍ନ ଯେ ସତ ହୁଏ ବା ସୁଖଦ ନିଦ୍ରା ସମୟରେ ମଣିଷ ଯେଉଁ ସୁନେଲି ସ୍ୱପ୍ନ ଦେଖିଥାଏ ଆଖି ଖୋଲିଲେ ମାତ୍ରେ ତାହା ନଥାଏ । କିନ୍ତୁ ଲୋକେ ଧନୀ ହେବାର ନିଜକୁ ପ୍ରତିଷ୍ଠିତ କରିବାର, ଅନ୍ୟ ମାନଙ୍କ ଠାରୁ ଭଲରେ ରହିବାର, ମନଲାଖି ଜୀବନସାଥୀ ପାଇବାର, ମନପସନ୍ଦର ନୀଡ଼ଟିଏ ଗଢ଼ିବାର, ସନ୍ତାନମାନେ ଆକାଶ ଛୁଇଁବାର ସ୍ୱପ୍ନ ଦେଖି ଚାଲନ୍ତି । ଦାର୍ଶନିକମାନେ ସ୍ୱପ୍ନକୁ ନେଇ ଭିନ୍ନ ଭିନ୍ନ ବିଶ୍ଲେଷଣ କରିଆସିଛନ୍ତତି । ମନସ୍ତାତ୍ତ୍ୱିକମାନେ ବି ସୁଖଦ ସ୍ୱପ୍ନ ଓ ଦୁଃସ୍ୱପ୍ନ ମଧ୍ୟରେ ବିଭେଦର ପ୍ରାଚୀର ତିଆରି କରିଛନ୍ତି । କିନ୍ତୁ ଗୋଟିଏ କଥାରେ କହିଲେ ସ୍ୱପ୍ନର ସୀମାରେଖା ଅସୀମ, ପରିବ୍ୟାପ୍ତ ଏହାର ରୂପରେଖ ।
ସାଧାରଣତଃ ଆମେ ସ୍ୱପ୍ନ ଦେଖୁ ରାତିରେ, ସୁକୋମଳ, ସୁଗଭୀର, ସୁନିଦ୍ରାର ସୁଷ୍ମପ୍ତିରେ ଆଦୌ ଆଖିକୁ ଆବୋରିବସେ ସ୍ୱପ୍ନ । କୁହାଯାଏ ଯେଉଁ କଥା, ବ୍ୟଥା ସମ୍ପର୍କ, ସମ୍ବନ୍ଧ, ଚାହାଣୀ, ଚଳଣି ବିଷୟରେ ଆମେ ବେଶି ଭାବିଥାଉ ଯାହାକୁ ନେଇ ବ୍ୟସ୍ତ ବିବ୍ରତ ବିଚଳିତ ହେଉ, ଯେଉଁ ଭାବନା ଆମକୁ ବାରମ୍ବାର ଆନ୍ଦୋଳିତ କରେ, ମନକୁ ଚଳଚଞ୍ଚଳ କରେ ଆମେ ଉଦବିଗ୍ନ ହେଉ, ଯେଉଁ କାମରେ ଅକୃତକାର୍ଯ୍ୟ ହେଉ ସେ ସବୁ ଆମ ମନ ଭିତରେ ବସା ବାନ୍ଧି ରହିଥାଏ । ଯେତେବେଳେ ସାରା ଦିନର ପରିଶ୍ରମ ପରେ ଆମେ ଶଯ୍ୟାରେ ନିଜ ଅବସନ୍ନ ଶରୀରକୁ ଲୋଟାଇ ଦେଉ ଆମକୁ ନିଦ ତ ଘାରେ, ସ୍ୱପ୍ନ ମଧ୍ୟ ତା ଭିତରେ ଉଙ୍କି ମାରେ । ସ୍ୱପ୍ନର ଫଳାଫଳ ଆମ ଜୀବନରେ କେବେ ପ୍ରତିଫଳିତ ହୁଏ ତ ଆଉ କେବେ ଆମେ ପାସୋରିଯାଉ । ସ୍ୱପ୍ନ ସମ୍ପର୍କରେ ମନୋଚିକିତ୍ସକ, ମନସ୍ତାତ୍ତ୍ୱବିତ, ସ୍ୱପ୍ନଶାସ୍ତ୍ରୀ ଭିନ୍ନ ଭିନ୍ନ ମତ ପୋଷଣ କରନ୍ତି । ସ୍ୱପ୍ନର ପରିଭାଷା କାହା ପାଇଁ କଣ ହୋଇପାରେ । ତେବେ ମହାନ ବୈଜ୍ଞାନିକ ମିଜାଇଲ ମ୍ୟାନ ତଥା ଲୋକଙ୍କ ରାଷ୍ଟ୍ରପତି ଭାବେ ସୁବିଦିତ ଡକ୍ଟର ଏପିଜେ ଅବଦୁଲ କଲାମ କିନ୍ତୁ ସ୍ୱପ୍ନ ସମ୍ବନ୍ଧରେ ଏକ ଖୁବ ସୁନ୍ଦର ଆପ୍ତବାକ୍ୟ କହିଯାଇଛନ୍ତି, ଯାହା ବେଶ ପ୍ରେରଣାଦାୟକ ।
ଡକ୍ଟର କଲାମଙ୍କ ମତରେ ସ୍ୱପ୍ନ ତାହା ନୁହେଁ, ଯାହା ଆମେ ବନ୍ଦ ଆଖିରେ ବା ଶୋଇଥିବାବେଳେ ଦେଖୁ । ସ୍ୱପ୍ନ ହେଉଛି ତାହା ଯାହା ଆମକୁ ଶୋଇବାକୁ ଦିଏନାହିଁ । ଆମ ଜୀବନର ଲକ୍ଷ୍ୟ, ଉଦ୍ଦେଶ୍ୟ ବାବଦରେ ଯିଏ ଆମକୁ ବାରମ୍ବାର ଚେତେଇ ଦେଉଥାଏ । ଜୀବନରେ ଉଚ୍ଚାଭିଳାଷ ପୋଷଣ କରିବା ତାହାକୁ ସାକାର କରିବା ପାଇଁ ନିଷ୍ଠାପର ଭାବେ ଉଦ୍ୟମ କରିବା ପାଇଁ ଡ.କଲାମ ପ୍ରେରିତ କରିଛନ୍ତି ଏହି ମହତବାଣୀ ମାଧ୍ୟମରେ।
ମୋ : ୯୪୩୭୦୫୧୯୫୭