ଉଚ୍ଛେଦ ବ୍ୟବସାୟୀଙ୍କୁ ଥଇଥାନ ଦାବି

ବେତନଟୀ: ବୈଶିଙ୍ଗା-ମାଣତ୍ରୀ ରାସ୍ତାର ପ୍ରଶସ୍ତିକରଣ ପାଇଁ ଆରଡି ବିଭାଗ ପକ୍ଷରୁ ଅସ୍ଥାୟୀ ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଥିବାବେଳେ ସେମାନଙ୍କୁ ଥଇଥାନ କରିବା ପାଇଁ ଦାବି କରାଯାଇଛି । ପ୍ରକାଶ ଯେ,୫୦ରୁ ଊଦ୍ଧ୍ୱର୍ ଛୋଟ ବ୍ୟବସାୟୀ ମାନେ ରାସ୍ତା ପାର୍ଶ୍ୱରେ ଦୋକାନ ଖଣ୍ଡେ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ । ମାତ୍ର ରାସ୍ତାର ପ୍ରଶସ୍ତିକରଣ ପାଇଁ ଦୋକନୀମାନଙ୍କୁ ଉଚ୍ଛେଦ କରାଯାଇଥିବା ବେଳେ ସେମାନଙ୍କୁ ତହସିଲଦାର ନିକଟରେ ଥିବା ସରକାରୀ ଜମିରେ ଥଇଥାନ ନ କରି ନିରବଦ୍ରଷ୍ଟା ସାଜିଥିବାରୁ ସେମାନେ ଏବେ ଅସହାୟ ହୋଇ ପଡ଼ିଛନ୍ତି । ସ୍ଥାନୀୟ ସରପଞ୍ଚ କିମ୍ବା ବଜାର କମିଟି, ସ୍ଥାନୀୟ ବିଧାୟକ ଏତେ ଗୁଡିଏ ଗରିବ ପରିବାର କିପରି କେଉଁଠି ଥଇଥାନ ହୋଇପାରିବେ ଏ ନେଇ କୌଣସି ପଦକ୍ଷେପ ନେଇ ନଥିବା ଯୋଗୁଁ ଅସନ୍ତୋଷ ଏବଂ ସେମାନଙ୍କ ଭବିଷ୍ୟତକୁ ନେଇ ପ୍ରତିକ୍ରିୟା ଦେଖା ଦେଇଥିଲେ ବି ସହାୟତାର ହାତ କେହି ବଢ଼ାଇ ନାହାନ୍ତି ।  ଏହି କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ବୈଶିଙ୍ଗା ଗ୍ରାପ ଅଧିନସ୍ଥ କୁଆଶୋଳ ମୌଜାର ଖାତା ନଂ ୧୧୦ ପ୍ଲଟ ନଂ ୨୭୭ରୁ ଉଚ୍ଛେଦ କରାଯାଇଥିବାବେଳେ ଏହି ପ୍ଲଟକୁ ଲାଗି ୨୭୮ନମ୍ବର ପ୍ଲଟ ଟି ଏ୦୩୮ ଡେମି ସମ୍ପୂର୍ଣ୍ଣ ସରକାରୀ ଜମି ରହିଛି । ଯେଉଁଠାରେ କି ଏହି ବିସ୍ଥାପିତ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଭବିଷ୍ୟତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପର୍ଯ୍ୟନ୍ତ ଥଇଥାନ କରାଯାଇ ପାରିବ । ମାତ୍ର ଏହି ବିସ୍ଥାପିତ ଦୋକାନୀମାନେ ସ୍ଥାନୀୟ କିଛି ରାଜନୈତିକ ଓ ପ୍ରଭାବଶାଳୀ ନେତାଙ୍କ ଚକ୍ରାନ୍ତର ଶିକାର ହୋଇଥିବା ହେତୁ ସେମାନଙ୍କୁ ଥଇଥାନ କରାଯିବା ନେଇ ସମସ୍ୟା ସୃଷ୍ଟି କରାଯାଉଥିବାର ଅଭିଯୋଗ ହୋଇଛି । ତେବେ ଏହି ୨୭୮ ନମ୍ବର ପ୍ଲଟରୁ କିଛି ଅଂଶ ମଧ୍ୟ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ନିଜ ଦଖଲରେ ରଖିଥିବା ହେତୁ ସେମାନଙ୍କ ପକ୍ଷରୁ ଏହି ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କୁ ଥଇଥାନ କରାଇ ନ ଦେବା ପାଇଁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ ଉପରେ ଚାପ ସୃଷ୍ଟି କରାଯାଉଥିବା ଗଣମାଧ୍ୟମ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି । ଏଣୁ ଏହି ବିସ୍ଥାପିତ କ୍ଷୁଦ୍ର ବ୍ୟବସାୟୀମାନେ ରାସ୍ତା ପ୍ରଶସ୍ତିକରଣକୁ ବିରୋଧ ନ କରି ନିଜେ ନିଜେ ଅପସାରିତ ହୋଇଯାଇଥିଲେ ହେଁ ପ୍ଲଟ ୨୭୮ ନମ୍ବର ସରକାରୀ ଖୋଲା ଜମିରେ ଥଇଥାନ ହେବା ପାଇଁ ସେମାନେ ଚାହୁଁଥିବା ହେତୁ ବେତନଟୀ ତହସିଲଦାରଙ୍କ ପକ୍ଷରୁ ଏହା ସମ୍ବେଦନଶୀଳ ପ୍ରସଙ୍ଗ ଓ ସମସ୍ୟା ହୋଇଥିବାରୁ ହସ୍ତକ୍ଷେପ କରାଯିବାକୁ ବ୍ୟବସାୟୀ ସଂଘ ପକ୍ଷରୁ ନିବେଦନ କରାଯାଇଛି । ଅନ୍ୟପକ୍ଷରେ ଏହି ବିସ୍ଥାପିତ ବ୍ୟବସାୟୀମାନଙ୍କୁ ଥଇଥାନ କରାନଗଲେ ସେମାନେ ଏ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡିଛି ।