ସୁଖର ସନ୍ଧାନେ
ଇଂ.ସଚ୍ଚିଦାନନ୍ଦ ନନ୍ଦ : ମଣିଷ ସୁଖୀ ହେବାକୁ ଚାହେଁ କିନ୍ତୁ ସବୁ କ୍ଷେତ୍ରରେ ସବୁ ଦୃଷ୍ଟିରୁ ସର୍ବଭୋଭାବେ ସୁଖୀ ହୋଇପାରେ ନାହିଁ । ମଣିଷ ଯାହା ଚାହୁଁଛ ତାହା ହାସଲ କରିବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛି । ତେବେ ସୁଖୀ ହୋଇପାରିବ ନାହିଁ କାହିଁକି ? କ'ଣ ତ ଚାହିଁବାଟା ଦୁର୍ବଳ ଚାହିଁବା ବା ବାରମ୍ବାର ବିଫଳ ହୋଇସାରିବା ପରେ ତା'ର ମନବଳ ଭାଙ୍ଗି ଯାଉଛି । ବିଫଳ ହେବା ମଧ୍ୟ ଗୋଟିଏ ଭଲ ଶିକ୍ଷା । ସେ ଜାଣିପାରୁଥିବ ଯେ ସୁଖୀ ହେବା ତା'ହାତ ମୁଠାରେ ନାହିଁ । ଏବେ ଅନ୍ତତଃ ପକ୍ଷେ ସେ ଅନୁସନ୍ଧାନ କୁ ଯେ ବିଫଳତାର କାରଣ କ'ଣ ?
ଏ ସମୟର ସର୍ବୋଚ୍ଚ ଜ୍ଞାନ ସମ୍ପନ୍ନ ଅବତାର ଶ୍ରୀ ସତ୍ୟସାଇ ବାବାଙ୍କର ଉତ୍ତର ପୁରାପୁରି ଠିକ୍ ଭଳି ମନେହୁଏ । ତାଙ୍କ ଶିକ୍ଷାକୁ କାମରେ ଲଗାଇଲେ ତାହା କେତେ ପ୍ରଭାବଶାଳୀ ଆମେ ଉପଲବ୍ଧି କରିପାରିବା । ମଣିଷ ଭାବିଥାଏ ସେ ଯାହା ଚାହିଁଛି ତାହା ପାଇଗଲେ ସେ ଖୁସି ହେବ । ସେ କିଛି ପାଏ ନାହିଁ ବୋଲି କହି ହେବନାହିଁ । ଆମର ଇଛା କିଛି ହେଲେ ପୂରଣ ହୋଇନାହିଁ ବୋଲି ଆମେ କେବେ କହିପାରିବା ନାହିଁ । ନିଶ୍ଚିତ ଭାବେ କିଛି ଇଛା ପୂରଣ ହୋଇଛି । ତଥାପି ଜଣେ ନିଜକୁ ସୁଖୀ ବୋଲି ଘୋଷଣା କରିପାରେ ନାହିଁ । କାରଣ କିଛି ଇଛା ପୂରଣ ହୋଇଗଲା ମାତ୍ରେ ଖୁସିରେ ଆଉ ସେତିକି ଇଛା ପୂରଣ ହେବା ଆଶାରେ ତିଆରି ହୋଇଯାଆନ୍ତି ।
ମଣିଷ ଯାହା ସବୁ ଇଛା ସେଗୁଡ଼ିକ ଶାଶ୍ୱତ ବସ୍ତୁ ବା ପଦାର୍ଥ ନୁହେଁ । ତାହା କିପରି ଆମକୁ ଶାଶ୍ୱତ ସୁଖ ଦେଇପାରନ୍ତା ? ତେଣୁ ସେଗୁଡ଼ିକ ମିଳିଗଲେ ମଧ୍ୟ କ୍ଷଣିକ ସୁଖ ପ୍ରଦାନ କରି ଅତିଶୀଘ୍ର ନିଜର ସାମାନ୍ୟ ସାମର୍ଥ୍ୟର ପରିଚୟ ପ୍ରଦାନ କରି ଉଭେଇଯାଆନ୍ତି । ମଣିଷକୁ ପୁନଶ୍ଚ ଅସୁଖୀ କରି ଦିଅନ୍ତି । ମଣିଷ ଏହା ଉପଲବ୍ଧି କରେ ଏବଂ କୌଣସି ଦୀର୍ଘସ୍ଥାୟୀ ସୁଖପ୍ରଦାନ କଲାଭଳି ବସ୍ତୁ ବା ପଦାର୍ଥ ଆଶାରେ ଜୀବନ ବିତାଏ । କିଛି ଦିନ ପରେ ସେ ଅନୁଭବ କରେ ଯେ ଦୀର୍ଘସ୍ଥାୟୀ ସୁଖଟା, ଚିରସ୍ଥାୟୀ । ସେତେବେଳେ ସେ ଭାବେ ଚିରସ୍ଥାୟୀ ବସ୍ତୁ ହିଁ ଚିରସ୍ଥାୟୀ ସୁଖ ପ୍ରଦାନ କରିପାରେ । ଧୀରେ ଧୀରେ ତାହାର ଜ୍ଞାନ ଉଦୟ ହୁଏ ଏବଂ ସେ ବୁଝିପାରେ ଯେ ସଂସାରରେ ଦେଖାଯାଉଥିବା କୌଣସି ପଦାର୍ଥ ଚିରସ୍ଥାୟୀ ସୁଖ ଦେଇପାରନ୍ତି ନାହିଁ କାରଣ ସେଗୁଡ଼ିକ ନିଜେ ଚିରସ୍ଥାୟୀ ନୁହନ୍ତି । ଏହିଭଳି ଅନୁସନ୍ଧାନ କରୁ କରୁ ସେ ଜାଣିପାରେ ସେ ସ୍ଥାୟୀ ସୁଖ ଖୋଜିବା ଏକ ବ୍ୟର୍ଥ ପ୍ରୟାସ । କିନ୍ତୁ କେତେକ ଉଚ୍ଚତର ଜ୍ଞାନ ସମ୍ପନ୍ନ ବ୍ୟକ୍ତି ଅଛନ୍ତି ଯେଉଁମାନେ କହନ୍ତି, ନା, ନା ଏଥିରେ ହତାଶ ହେବାର ନାହିଁ । ଚିରସ୍ଥାୟୀ ସୁଖ ମିଳିବାର ଉପାୟ ଅଛି । ତାହାକୁ ଆପଣାଇଲେ ସୁଖ ସମ୍ଭବ । ଗୀତାଜ୍ଞାନ ଅନୁସାରେ "ଅନିତ୍ୟଂ ଅସୁଖଂ ଲୋକେ ମେମ୍ ପ୍ରାପ୍ୟ ଭଜସ୍ୱ ମାସ୍' । ଅର୍ଥାତ୍ ଏ ସଂସାରଟା ଅନିତ୍ୟ ଓ ଅସୁଖପୂର୍ଣ୍ଣ, ଯଦି ସୁଖ ଚାହୁଁଛ ଭଗବାନଙ୍କୁ ଭଜ ବା ଖୋଜ । କାରଣ ଏଠାରେ ନିତ୍ୟ ବା ଚିରସ୍ଥାୟୀ ବସ୍ତୁ ଏକମାତ୍ର ଭଗବାନ । ଭଗବାନଙ୍କୁ ଖୋଜାଯାଏ ନିରବତା ମାଧ୍ୟମରେ । ନିରବପର ଗଭୀରତମ ପ୍ରଦେଶରେ ଭଗବାନଙ୍କ କଣ୍ଠସ୍ୱର ଶୁଣାଯାଇଥାଏ । ତାଙ୍କ ନିଦେ୍ର୍ଦଶ ମିଳିଥାଏ । ସେ ଯେହେତୁ ସମସ୍ତ ସୁଖର ଗନ୍ତାଘର ତାଙ୍କୁ ଜୀବନର କେନ୍ଦ୍ର କରିପାରିଲେ ପ୍ରକୃତ ସୁଖ, ଶାଶ୍ୱତ ସୁଖ ଓଝ ଜନ୍ମଜନ୍ମାନ୍ତରର ସୁଖ ପ୍ରାପ୍ତ ହେବାର ଆଶା ସୃଷ୍ଟି ନିଶ୍ଚିତ ହୋଇଯାଏ ।
ଭଗବାନ ଶ୍ରୀସତ୍ୟସାଇ ବାବା କହନ୍ତି, କାମନାବାସନା ହିଁ ଦୁଃଖର କାରଣ । ସେଗୁଡ଼ିକୁ କମାଇ ପାରିଲେ ଦୁଃଖ ହ୍ରାସ ପାଇବ ଓ ସୁଖାନୁଭୂତି ଲାଭ ହେବ । ମଣିଷର ଯାହା ଆବଶ୍ୟକତା ତାହା ପୂରଣ ହେବ ଦରକାର ସେଥିପାଇଁ ଚେଷ୍ଟା କରିବା ଦରକାର । କିନ୍ତୁ କାମନାବାସନା ଜନିତ ବା ଲୋଭର ବଶବର୍ତ୍ତୀ ହୋଇ ମଣିଷ ଯାହାସବୁ କରିବସେ ତାହାର ଫଳ ସମସ୍ତଙ୍କୁ ଜଣା ତାହା ସବୁ ସୁଖ ନିର୍ବାପକ ବ୍ୟବସ୍ଥା । ଭଗବାନ ବାବାଙ୍କ ଅନ୍ୟତମ ଶିକ୍ଷା ହେଉଛି "ଅନ୍ୟକୁ ସୁଖ ଦେଇପାରିଲେ ମଣିଷ ନିଜେ ସୁଖ ପାଇପାରିବ । ଏହା ପୁରାପୁରି ଠିକ୍ କଥା । ଆମ ଶାସ୍ତ୍ରମାନେ କହିଛନ୍ତି ଯାହା ଦେଇଥିବ ତାହାହିଁ ପାଇବ । ଅନ୍ୟ ଅର୍ଥରେ ଆମର ଯାହା ଦରକାର ତାହା ଅନ୍ୟକୁ ଦେଲେ ଆମେ ପାଇଥାଉ । ଯଦି ସୁଖ ପାଇବାର ଆମର ଲକ୍ଷ୍ୟ ତେବେ ଅନ୍ୟକୁ ସୁଖ ଦେବା ହିଁ ଏକ ନିଶ୍ଚିତ ମାର୍ଗ । ଦେବାକୁ ହେବ ସବୁକଥା ଆମ ଶକ୍ତି ବା କ୍ଷମତା ଭିତରେ ରହିବା ଉଚିତ । ଅନ୍ୟଜଣେ ସୁଖି ହେବାକୁ ଯଦି ଲକ୍ଷ ଲକ୍ଷ ଟଙ୍କା ମାଗୁଥାଏ, କେତେଜଣ ତାହା କରିପାରିବେ ? ବାବାଙ୍କ ଭାଷାରେ ପରୋପକାର ମାଧ୍ୟମରେ ଜଣେ ସୁଖୀ ହୋଇପାରେ । ପରର ଆତ୍ମା ସନ୍ତୁଷ୍ଟ ହେଲେ ପରମାତ୍ମା ସନ୍ତୁଷ୍ଟ । ସେଥିପାଇଁ ଦରକାର ସନ୍ତୁଷ୍ଟ ବ୍ୟବହାର ଓ ମୂଲ୍ୟବାନ ପରାମର୍ଶ । ଅସହାୟ ବ୍ୟକ୍ତି ଲୋଡ଼ୁଥିବା ସେବା ସହାୟତା ପରର ଆତ୍ମାକୁ ତୃପ୍ତି ଦେଇଥାଏ । ଏହି କର୍ମରେ ନିୟୋଜିତ ହେବାକୁ ହେଲେ ସେବାକୁ ସାମାନ୍ୟ ଅଧିକ ନିଃସ୍ୱାର୍ଥପର ହେବାକୁ ପଡ଼ିଥାଏ । ନିଜ ସୁଖ କମାଇ ଅନ୍ୟର ସୁଖପାଇଁ ବ୍ୟବସ୍ଥା କରିବାରେ ପ୍ରକୃତ ସୁଖ ନିହିତ । ମହାପୁରୁଷମାନେ ସମ୍ପୂର୍ଣ୍ଣ ନିଃସ୍ୱାର୍ଥ ଜୀବନ ଯାପନ କରନ୍ତି ଏବଂ ତାଙ୍କ ସମ୍ବଳ ଉପଯୋଗ କରି ଦରିଦ୍ର ଅସହାୟ ମାନଙ୍କ ସେବା କରି ସୁଖ ଓ ଆନନ୍ଦ ପାଇଥାନ୍ତି ।
ଅନ୍ୟ ଏକ ମାର୍ଗ ଅଛି ଅବଶ୍ୟ ସଦାସର୍ବଦା ସନ୍ତୁଷ୍ଟ ରହିବାରେ ସୁଖ ଥାଏ । ଯାହାକୁ ଯାହା ମିଳିଛି ସେଥିରେ ଅସନ୍ତୁଷ୍ଟ ନ ହୋଇ ନିଜ କର୍ମକୁ ଦୋଷାରୋପ ନକରି, ଅନ୍ୟମାନଙ୍କ ସୌଭାଗ୍ୟ ସହ ନିଜ ଅବସ୍ଥାକୁ ତୁଳନା ନକରି, ଯାହା ମିଳିଛି ତାହାକୁ ଭଗବାନଙ୍କ ଉପହାର ମନେକରି ଯିଏ ସନ୍ତୁଷ୍ଟ ରହିପାରେ ସେ ସୁଖୀ ହୁଏ । ଅବଶ୍ୟ ଯାହା ମିଳିଛି ସେଥିରେ ସନ୍ତୁଷ୍ଟ ହୋଇ କୌଣସି ପରିଶ୍ରମ ନକରିବା, ଆଳସ୍ୟରେ ଜୀବନ ବିତାଇବା ଦ୍ୱାରା ଭଗବାନଙ୍କ ମୂଳ ଉପହାରକୁ ବଞ୍ଚାଇ ପାରିବାନାହିଁ । କର୍ମକୁ ହେଳା କରିବା, କର୍ମର ମହତ୍ତ୍ୱ ନ ବୁଝିବା, ଜୀବନ ଓ କର୍ମ ମଧ୍ୟରେ ଥିବା ସମ୍ପର୍କକୁ ମର୍ଯ୍ୟାଦା ନଦେବା ଠିକ୍ ନୁହେଁ । ସୁଖ ପାଇବା ଦିଗରେ ଇନ୍ଦି୍ରୟ ସଂଯମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ନୈତିକ ଜୀବନ ବିନା ସୁଖ ସୁଦୂର ପରାହତ ହୋଇଯିବ । ଭଗବାନ ଶ୍ରୀସତ୍ୟସାଇ ବାବା କହନ୍ତି କୌଣସି ପଦାର୍ଥର ଅପଚୟ ମଣିଷକୁ ସୁଖ ଦେଇପାରିବ ନାହିଁ । ତେଣୁ କିଛି ବି ଅପଚୟ କରନାହିଁ । ବିଶେଷକରି, ଖାଦ୍ୟ, ଧନ, ସମୟ ଓ ଶକ୍ତି କେବେହେଲେ ନଷ୍ଟ ହେବା ଉଚିତ ନୁହେଁ । ବର୍ତ୍ତମାନ ସୁଖରେ ଥିବା ବ୍ୟକ୍ତି ଯଦି ଏଗୁଡ଼ିକର ଅପଚୟ କରେ ତେବେ ସେ ଅବିଳମ୍ବେ ଅସୁଖୀ ହୋଇଯିବ । ଏହାର ସଦ୍ବ୍ୟବହାରରେ ହିଁ ସୁଖ ଏଗୁଡ଼ିକ ନଷ୍ଟ ହେବା ଅର୍ଥ ନିଜର ସୁଖ ନଷ୍ଟ ହେବା । ସୁଖର ସଂଜ୍ଞା ଦେବାକୁ ଯାଇ ଭଗବାନ ବାବା କହନ୍ତି "ଭଗବାନଙ୍କ ସହ ସଂଯୁକ୍ତ ହେବା ହିଁ ସୁଖ' । ଏହା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ, ସାଧକ ମାନଙ୍କ ପକ୍ଷେ ବି କଷ୍ଟକର । ତଥାପି ସଫଳତାର ଆଶା ଅଛି । ଭଗବାନଙ୍କ ସହ ସଂଯୁକ୍ତ ହେବାର ମାର୍ଗରେ ଚାଲିଲେ ଯଥେଷ୍ଟ, ପରିଶେଷରେ ତାହା ଆମକୁ ନେଇ ଗନ୍ତବ୍ୟ ଲକ୍ଷ୍ୟରେ ପହଞ୍ଚାଇ ଦେବ । ସେ ମାର୍ଗରେ ଥିବା ବିଭିନ୍ନ ସୋପାନ ଗୁଡ଼ିକ ନବଧାଭକ୍ତି । ମୁଖ୍ୟତଃ ଭଜନ, କୀର୍ତ୍ତନ, ଦାସ୍ୟଭାବ, ସେବକ ଭାବେ ଜୀବନ ଯାପନକରୁ କରୁ ସାଧାରଣ ବ୍ୟକ୍ତି ସାଧକ ପାଲଟି ଯିବ ଓ ସାଧକ ମୁମୂର୍ଷୁ ଓ ମୁମୂର୍ଷୁ ଜୀବନର ଲକ୍ଷ ସୁଖଶାନ୍ତି ପ୍ରାପ୍ତି ହୋଇପାରିବ ।
ମୋ: ୯୩୩୭୨୪୨୯୫୫