ଓଡ଼ିଆ ଭାଷାର ଶାସ୍ତ୍ରୀୟତା

ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : 
୧୯୬୦ରୁ ସାରସ୍ୱତ ସାଧନାରେ ବ୍ରତୀ ହୋଇଥିଲେ ହେଁ ୧୯୬୩ରେ ମୋର ପ୍ରଥମ ଲେଖା ମୀନାବଜାରରେ ପ୍ରକାଶିତ ହେଲା  । ୧୯୬୩ରୁ ୧୯୬୭ ପର୍ଯ୍ୟନ୍ତ ମୁଁ ମୀନାବଜାର, ସୋ÷ରଭ, ଗୋ÷ରବ ଓ ବାଇଚଢେଇ ପ୍ରଭୃତି ପତ୍ରିକାରେ ଲେଖୁଥିଲି  । ୧୯୬୭ଠାରୁ ସମାଜ, ପ୍ରଜାତନ୍ତ୍ର, ମାତୃଭୂମି ପ୍ରଭୃତି ଦୈନିକ ପତ୍ରିକା ଓ ପରବର୍ତ୍ତୀ ସମୟରେ ସହକାର, ଆସନ୍ତାକାଲି, ରାଷ୍ଟ୍ରଦୀପ, ଝଙ୍ଖାର, କୋଣାର୍କ, ଉକ୍ରଳ ପ୍ରସଙ୍ଗ ପ୍ରଭୃତି ପତ୍ରିକାରେ ଲେଖିଲି  । ୧୯୬୩ରୁ ୨୦୦୩ ପର୍ଯ୍ୟନ୍ତ ମୁଁ ଦୀର୍ଘ ଚାଳିଶବର୍ଷ ଧରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଇତିହାସ ଆଧାରିତ ଶହ ଶହ ପ୍ରବନ୍ଧ ବିଭିନ୍ନ ପତ୍ରି ପତ୍ରିକାରେ ଲେଖିଛି  । ସେସବୁ ପ୍ରବନ୍ଧ ଭିତରେ ଓଡ଼ିଆ ଭାଷା ଉପରେ କେତେକ ପ୍ରବନ୍ଧ ଥିଲେ ହେଁ ମୋ ଲେଖାରେ ମୁଁ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେଇନାହିଁ ବୋଲି ଅନୁଭବ କଲି  । ମୋ ବାପା ଓ ଜେଜେବାପା ସବୁବେଳେ କହୁଥିଲେ ଯେ ବିଭିନ୍ନ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରିଥିବା ବ୍ୟକ୍ତି ହିଁ ଯଥାର୍ଥ ପଣ୍ଡିତ  । ମୁଁ ପ୍ରଫେସର ଗୋଲୋକ ବିହାରୀ ଧଳ, ପ୍ରଫେସର ବିଜୟ ପ୍ରସାଦ ମହାପାତ୍ର, ପ୍ରଫେସର ପ୍ରହ୍ଲାଦ ପ୍ରଧାନ, ପ୍ରଫେସର ବେଣୀମାଧବ ପାଢୀ ଓ ପ୍ରଫେସର ଶ୍ରୀନିବାସ ମିଶ୍ର ପ୍ରଭୃତିଙ୍କ ଠାରୁ ଭାଷାଜ୍ଞାନ ଲାଭ କରିଥିଲେ ହେଁ ସେହି ଜ୍ଞାନକୁ ମୋ ମାତୃଭାଷା ବିକାଶରେ କାର୍ଯ୍ୟରେ ଲଗାଇନଥିବାରୁ ମନ ଦୁଃଖ ଥାଏ  । ଏହି ସମୟରେ ୨୦୦୪ ମସିହାରେ ଭାରତ ସରକାର ନୂତନ ଭାଷାନୀତି ଉଦ୍ଘୋଷଣା ପୂର୍ବକ ଅଧିସୂଚନା ପ୍ରକାଶ କଲେ  । ଏହି ଅଧିସୂଚନାରେ ଭାରତ ସରକାର ଶାସ୍ତ୍ରୀୟ ଭାଷାର ଚାରିଗୋଟି ଲକ୍ଷଣ ନିର୍ଣ୍ଣୟ କରିଥିଲେ ତଥା ଶାସ୍ତ୍ରୀୟ ଭାଷାର ପ୍ରଚାର ଓ ପ୍ରସାର, ବିଶ୍ୱର  ବିଭିନ୍ନ ସ୍ଥାନରେ ଅଧ୍ୟୟନ କେନ୍ଦ୍ର ସ୍ଥାପନ, ଅନ୍ତର୍ଦୃଷ୍ଟି ସଂପନ୍ନ ଭାଷା ଗବେଷଣା ନିମିତ୍ତ ଆନ୍ତର୍ଜାତୀୟ ପୁରସ୍କାର ଏବଂ ଶାସ୍ତ୍ରୀୟ ଭାଷାର ଉନ୍ନତି କଳ୍ପେ ବିବିଧ ଯୋଜନା ପ୍ରବର୍ତ୍ତନ କରିବେ ବୋଲି ଉଲ୍ଲେଖ ଥିଲା  ।  ଅଧିସୂଚନା ପାଠକଲା ପରେ ମୁଁ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ସ୍ୱରୂପରେ ପ୍ରତିପାଦନ କରିବାକୁ ପ୍ରୟାସ ଆରମ୍ଭ କଲା  । 
ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ନିମିତ୍ତ ଭାରତ ସରକାର ଯେଉଁ ଚାରିଗୋଟି ଲକ୍ଷଣ ନିର୍ଦ୍ଧାରଣ କରିଛନ୍ତି ତାହା ଭାଷା ବିଜ୍ଞାନ ଦୃଷ୍ଟିର ଗୁରୁତ୍ୱପୂର୍ଣ୍ଣ  । ଭାଷାର ଶାସ୍ତ୍ରୀୟତା କିଛି ନୂଆ କଥା ନୁହେଁ,  କିନ୍ତୁ ଅଧିସୂଚନା ପ୍ରକାଶିତ ହେଲା ପରେ ଅନେକ ବିଜ୍ଞ ଶାସ୍ତ୍ରୀୟତାର ପରିଭାଷା ସଂପର୍କରେ ପ୍ରଶ୍ନ ଉତ୍ଥାପନ କଲେ  । ଭାରତର ସୁଦୂର ବୈଦିକ ଯୁଗରୁ ଭାଷା ବିଜ୍ଞାନର ଆଲୋଚନା ଆରମ୍ଭ ହୋଇଛି  । ଯାସ୍କ, ଗର୍ଗ, ଶକଟାୟନ, ଆପିସିଳି, କଣକୁତ୍ସ, ବାର୍ଷଗଣ, ପାଣିନି, କାତ୍ୟାୟନ, ପତଞ୍ଜଳି ଓ ଭର୍ତ୍ତୃହରି ପ୍ରଭୃତି ଭାଷାବିଜ୍ଞାନୀବୃନ୍ଦ ଭାଷାବିଜ୍ଞାନ ଆଲୋଚନାର ଭିତ୍ତିଭୂମିକୁ ସୁଦୃଢ କରି ଯାଇଛନ୍ତି, ଯେତେବେଳେ ପୃଥିବୀର ଅନ୍ୟାନ୍ୟ ଅଞ୍ଚଳରେ କୋ÷ଣସି ଭାଷାବିଜ୍ଞାନୀ ଜନ୍ମ ନେଇନଥିଲେ  । ଆମ ଓଡ଼ିଆ ଭାଷାରେ ମଧ୍ୟ ଭାଷାବିଜ୍ଞାନ ଆଲୋଚନାର ପରମ୍ପରା ପଞ୍ଚଦଶ ଶତାବ୍ଦୀରୁ ଆରମ୍ଭ ହୋଇଅଛି  । ଓଡ଼ିଆ ଭାଷାରେ ଆଧୁନିକ ଭାଷା ବିଜ୍ଞାନର ଅଧ୍ୟୟନ ଉନବିଂଶ ଶତାବ୍ଦୀରୁ ଘଟିଛି, ତଥାପି ଅନେକ ବିଜ୍ଞ ଓ ପ୍ରାଜ୍ଞ ଭାଷାର ଶାସ୍ତ୍ରୀୟତା କଥା ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି  । ଅଗଣିତ ପାଠକଙ୍କ ନିକଟରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ଭାବରେ ପରିଚିହ୍ନିତ କରିବା ପାଇଁ ପ୍ରଥମେ ମୁଁ କେତୋଟି ପ୍ରବନ୍ଧ ସମାଜ, ସମ୍ବାଦ ଓ ସମୟ ପତ୍ରିକାରେ ଲେଖିଲି  । ଏହି ପ୍ରବନ୍ଧ ଗୁଡିକ ପାଠକ ମହଲରେ ଆଲୋଡ଼ନ ସୃଷ୍ଟି କଲା  । ଏହାପରେ ଓଡ଼ିଶା ସାହିତ୍ୟ ଏକାଡେମୀର ମୁଖପତ୍ର ‘କୋଣାର୍କ’ର ୧୫୪ ତମ ସଂଖ୍ୟାରେ ‘ଓଡ଼ିଆ ଭାଷାର ଶାସ୍ତ୍ରୀୟତା’ ଶୀର୍ଷକ ଗବେଷଣାତ୍ମକ ସନ୍ଦର୍ଭଟିଏ ପ୍ରକାଶ କଲି  । ଏହାପରେ ଭୁବନେଶ୍ୱରସ୍ଥ କେଦାରନାଥ ଗବେଷଣା ପରିଷଦ ୨୦୧୧ ଫେବୃଆରୀ ୨୫ ତାରିଖରେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ସଂପର୍କରେ ଆଲୋଚନାଚକ୍ରଟିଏ କଲେ  । ସେହି ଆଲୋଚକ୍ରରେ ମୁଁ ପାଠ କରିଥିବା ସନ୍ଦର୍ଭ ‘ଲିପତାତ୍ତ୍ୱିକ ଦୃଷ୍ଟିକୋଣରୁ ଓଡ଼ିଆ ଭାଷାର ଶାସ୍ତ୍ରୀୟତା’ ଶ୍ରୋତାଙ୍କ ମଧ୍ୟରେ ଆଲୋଡନ ସୃଷ୍ଟିକଲା  । ସେହି ସନ୍ଦର୍ଭଟି ପାଠକୀୟ ଆଦୃତି ଲାଭ କରି କୋଣାର୍କ, ସପ୍ତର୍ଷି, ମହାନଦୀ ଓ ପଞ୍ଚବଟୀ ପ୍ରଭୃତି ପତ୍ରିକା ସମେତ କେଦାରନାଥ ଗବେଷଣା ପରିଷଦର ମୁଖପତ୍ରରେ ପ୍ରକାଶିତ ହେଲା  । ଏହାପରେ ପ୍ରଫେସର ଶ୍ରୀନିବାସ ମିଶ୍ର, ପ୍ରଫେସର ଗଣେଶ୍ୱର ମହାପାତ୍ର ଓ ଡକ୍ଟର ସାତକଡି ହୋତା ପ୍ରଭୃତି ମୋତେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଉପରେ ଗ୍ରନ୍ଥଟିଏ ରଚନା କରିବାକୁ ଉପଦେଶ ପ୍ରଦାନ କଲେ  । ମୁଁ ଏଥିରେ ଉତ୍ସାହିତ ହୋଇ ‘ଓଡିଆ ଏକ ଶାସ୍ତ୍ରୀୟ ଭାଷା’ ଶୀର୍ଷକ ଗବେଷଣାତ୍ମକ ଗ୍ରନ୍ଥଟିଏ ରଚନା କଲି  । ଯାହା ୨୦୧୩ରେ ଓଡିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର ପ୍ରକାଶିତ କଲେ  । ଏହାର ହିନ୍ଦୀ ଅନୁବାଦ ମଧ୍ୟ ଦିଲ୍ଲୀରୁ ପ୍ରକାଶିତ ହୋଇଛି  ।
‘ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା’ ଗ୍ରନ୍ଥ ରଚନା କରିବାକୁ ମୋତେ ବହୁ କଷ୍ଟ ସ୍ୱୀକାର କରିବାକୁ ପଡିଛି  । ମୁଁ ସ୍ୱାଧୀନ ଭାବରେ ଯାତାୟତକ୍ଷମ ନଥିବାରୁ ମୋ ସହଧର୍ମିଣୀ ଶ୍ରୀମତୀ ଛାୟାରାଣୀ ମିଶ୍ରଙ୍କୁ ସାଥୀରେ ଧରି କଟକ, ଭୁବନେଶ୍ୱର, କୋଲକାତା, ପାଟନା, ନାଗପୁର ପ୍ରଭୃତି ସ୍ଥାନରୁ ଅନେକ ତଥ୍ୟ ସଂଗ୍ରହ କରିଛି  । ଗ୍ରନ୍ଥଟି ପାଞ୍ଚ ଅଧ୍ୟାୟ ବିଶିଷ୍ଟ  । ପ୍ରଥମ ଅଧ୍ୟାୟରେ ଓଡ଼ିଆ ଭାଷାର ପ୍ରାଚୀନତା ଓ ମୋ÷ଳିକତା ପ୍ରମାଣ କରିବା ନିମିତ୍ତ ଭାଷାର ସଂଜ୍ଞା ଓ ସ୍ୱରୂପ, ଭାଷାର ଉନ୍ମେଷ, ବିକାଶ ଓ ବିଭାଗ, ଭାରତୀୟ ଆର୍ଯ୍ୟ ଭାଷା ଶାଖାରେ ଓଡ଼ିଆ ଭାଷା ପ୍ରଦତ୍ତ  । ଦ୍ୱିତୀୟ ଅଧ୍ୟାୟରେ ଓଡ଼ିଆ ଭାଷାର ବିକାଶ ଓ ବୈଶିଷ୍ଟ୍ୟରେ ମୁଁ ବୈଦିକ ଭାଷା, ସଂସ୍କୃତ ଭାଷା, ପାଲି, ଭାଷା, ପ୍ରାକୃତ ଭାଷା ଓ ଓଡ଼ିଆ ଭାଷାର ତୁଳନାତ୍ମକ ଚିତ୍ର ସହିତ ଦ୍ରାବିଡ ଭାଷା, ଅଷ୍ଟ୍ରୋଏସୀୟ ଭାଷା, ପାରସିକ, ଆରବିକ ଓ ୟୁରୋପୀୟ ଭାଷାରୁ ଓଡ଼ିଆ ଭାଷାର ଆହରଣ, ଅଭିଲେଖରେ ଓଡ଼ିଆ ଭାଷାର କ୍ରମବିକାଶ ଧାରା ଚର୍ଯ୍ୟାଗୀତର ଭାଷାତାତ୍ତ୍ୱିକ ଅନୁଶୀଳନ,ଓଡ଼ିଆ ଭାଷା ବିକାଶରେ ସାହିତ୍ୟର ଭୂମିକା ତଥା ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ଓ ବୈଶିଷ୍ଟ୍ୟ ପ୍ରତିପାଦିତ  । ତୃତୀୟ ଅଧ୍ୟାୟରେ ଓଡ଼ିଆ ଲିପିର ପ୍ରାଚୀନତା ଓ ସ୍ୱାତନ୍ତ୍ର୍ୟରେ ଲିପିର ଉନ୍ମେଷ ଓ ବିକାଶ, ଓଡ଼ିଆ ଲିପିର କ୍ରମବିକାଶ ଏବଂ ଓଡ଼ିଶା ବର୍ଣ୍ଣମାଳା ଓ ବର୍ଣ୍ଣତତ୍ତ୍ୱ ପରିବେଶିତ  । ଚତୁର୍ଥ ଅଧ୍ୟାୟରେ ଓଡ଼ିଆ ଭାଷା ବିଜ୍ଞାନ ଆଲୋଚନାରେ ଭାଷାବିଜ୍ଞାନର ସଂଜ୍ଞା ଓ ସ୍ୱରୂପ,  ଭାଷା ବିଜ୍ଞାନ ଚର୍ଚ୍ଚାର ପରମ୍ପରା ଓ ପ୍ରବାହ, ଓଡ଼ିଆ ଲିପି, ଲିପିଧ୍ୱନି ଓ ଧ୍ୱନିବିଜ୍ଞାନ ତଥା ଓଡ଼ିଆ ଶବ୍ଦ ବିଜ୍ଞାନ, ବାକ୍ୟ ବିଜ୍ଞାନ, ରୂପବିଜ୍ଞାନ  ଓ ଅର୍ଥବିଜ୍ଞାନର ଦିଗଦିଗନ୍ତ ପରିବେଷିତ  । ଶେଷରେ ପଞ୍ଚମ ଅଧ୍ୟାୟରେ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଲକ୍ଷଣ, ଭାଷା ତାତ୍ତ୍ୱିକ ଦୃଷ୍ଟିକୋଣରୁ ଓଡ଼ିଆ ଭାଷାର ଶାସ୍ତ୍ରୀୟତା, ଭାରତୀୟ ଭାଷାନୀତିରେ ଓଡିଆ ଭାଷାର ଶାସ୍ତ୍ରୀୟତା ଆଲୋଚନା କରି ଓଡ଼ିଆ ଭାଷାକୁ ଏକ ଶାସ୍ତ୍ରୀୟ ଭାଷା ରୂପେ ପ୍ରମାଣ କରାଯାଇଛି  । ଓଡିଆ ଭାଷାର ଶାସ୍ତ୍ରୀୟତା  ପ୍ରମାଣ କରିବା ନିମିତ୍ତ ଗ୍ରନ୍ଥଟିରେ ବହୁ ଭାଷାବିତ୍, ବୈୟାକରଣ ଓ ଗବେଷକଙ୍କର ମୂଲ୍ୟବାନ ମତ ଓ ସିଦ୍ଧାନ୍ତର ଉଦ୍ଧୃତି ପ୍ରଦତ୍ତ ।
ମୁଁ ଏହି ଗ୍ରନ୍ଥ ରଚନା କରିବା ବେଳକୁ ଓଡ଼ିଶା ସରକାର ଶାସ୍ତ୍ରୀୟତା ଦାବି କରିବା ନିମିତ୍ତ କୋ÷ଣସି କମିଟି ଗଠନ କରିନଥିଲେ  । ଡକ୍ଟର ସାତକଡି ହୋତାଙ୍କ ପ୍ରଚେଷ୍ଟାରେ ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମୀୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରାଗଲା  । ସେହି କମିଟିରେ ମୋତେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବରେ ରଖାଗଲା ଏବଂ ପତ୍ର ସଂ ୨୪୫ ତା ୨୯ ।୨ ।୧୩ରିଖରେ ବଳିଷ୍ଠ ତଥ୍ୟ ଓ ପ୍ରାମାଣିକତା ସମ୍ବଳିତ ଏକ ସନ୍ଦର୍ଭ ଦାଖଲ କରିବାକୁ ଅନୁରୋଧ କରାଯାଇଥିଲା ତଥା ସେହି ପତ୍ରରେ କୁହାଯାଇଥିଲା ଯେ ମୁଁ ଦାଖଲ କରିଥିବା ସନ୍ଦର୍ଭ ଆଧାରରେ ଚୂଡାନ୍ତ ପ୍ରସ୍ତୁତି ନିମିତ୍ତ ପଦକ୍ଷେପ ଗ୍ରହଣ କରାଯିବ  । ତଦନୁଯାୟୀ ମୁଁ ତା ୬ ।୩ ।୧୩ରିଖରେ କମିଟି ବୈଠକରେ ସନ୍ଦର୍ଭ ପାଠ କରି ଏବଂ ଏହା ଉପରେ ଆଲୋଚନା କରାଯାଇ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତି ନିମିତ୍ତ ସବ୍ କମିଟି ଗଠନ କରାଗଲା  । ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତି ସମୟରେ ଶାସ୍ତ୍ରୀୟତାର ଶ୍ରେୟ ନେବାକୁ ବହୁ ବିବାଦୀୟ ଘଟଣା ଘଟିଛି  ।  ଯାହା ଏଠାରେ ଲେଖିବା ସମୀଚୀନ ବୋଧ କରୁନାହିଁ  । ଓଡ଼ିଶା ସରକାରଙ୍କ ରିପୋର୍ଟ ପାଇବା ପରେ ଭାରତ ସରକାର ଓଡ଼ିଆ ଭାଷାକୁ ତା ୧୧ ।୩ ।୨୦୧୪ରେ ଶାସ୍ତ୍ରୀୟ ଭାଷା ଉଦ୍ଘୋଷଣା କରି ବିଜ୍ଞପ୍ତି ପ୍ରକାଶ କଲେ  ।
 ମୁଁ ଅନେକ ପୁସ୍ତକ ରଚନା କରିଥିଲେ ହେଁ ‘ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା’ ଗ୍ରନ୍ଥଟି ମୋତେ ବହୁ ସ୍ନେହ, ଶ୍ରଦ୍ଧା, ସମ୍ମାନ ଓ ସ୍ୱୀକୃତି ଦେଇଛି  । ଏହାପରେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଉପରେ ପଚାଶରୁ ଊଦ୍ଧ୍ୱର୍ ସ୍ଥାନରେ ଆଲୋଚନା ମୁଁ କରିଛି  । ଏତଦ୍ବ୍ୟତୀତ ଉକ୍ରଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ, ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ, କାମାକ୍ଷାନଗର ମହାବିଦ୍ୟାଳୟ, ଆନନ୍ଦପୁର ମହାବିଦ୍ୟାଳୟ, ସାଇଁକୁଳ ମହାବିଦ୍ୟାଳୟ, ସୁକିଳ ମହାବିଦ୍ୟାଳୟ, ପରଜଙ୍ଗ ମହାବିଦ୍ୟାଳୟ, ବୋ÷ଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ନାଚୁଣୀ ମହାବିଦ୍ୟାଳୟ, ଢେଙ୍କାନାଳ ମହିଳା ମହାବିଦ୍ୟାଳୟ, ଢେଙ୍କାନାଳ ସ୍ୱାନ୍ଧ୍ୟ ମହାବିଦ୍ୟାଳୟ, ଇନ୍ଦିପୁର ସଚିଦାନନ୍ଦ ଉଚ୍ଚବିଦ୍ୟାପୀଠ, ଚିକିଟି ମହାବିଦ୍ୟାଳୟ, ସାମନ୍ତରାପଲି ଭରତ ପତି ମହାବିଦ୍ୟାଳୟ ପ୍ରଭୃତି ଶିକ୍ଷାନୁଷ୍ଠାନମାନଙ୍କରେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଉପରେ ମୁଁ ଆଲୋଚନା କରିଛି  । ପ୍ରତ୍ୟେକ ଆଲୋଚନା ସଭାରେ ମୁଁ ଓଡ଼ିଆ ଭାଷାର ସୁରକ୍ଷା, ସଂରକ୍ଷଣ ଓ ବିକାଶ ନିମିତ୍ତ ଶ୍ରୋତାଙ୍କୁ ନିବେଦନ କରିଛି  । ପ୍ରାୟ ସମସ୍ତ ସଭାରେ ଓ ଲେଖାରେ ମୁଁ କହିଛି ଯେ ଓଡ଼ିଆ ଏକ ମୋ÷ଳିକ, ସ୍ୱାତନ୍ତ୍ର୍ୟ ସମୃଦ୍ଧ, ରକ୍ଷଣଶୀଳ, ପୂର୍ଣ୍ଣାଙ୍ଗ ପ୍ରାଚୀନ ଆର୍ଯ୍ୟଭାଷା  । ଓଡ଼ିଆ ଭାଷା ସ୍ୱକୀୟ ମାଧ୍ୟାକର୍ଷଣ ଶକ୍ତି ବଳରେ ଓଡ଼ିଆ ଜାତିକୁ  ଶତାବ୍ଦୀ ଶତାବ୍ଦୀ ଧରି ଏକ ସୂତ୍ରରେ ବାନ୍ଧି ରଖିଛି  । ଓଡ଼ିଆ ସମାଜର ଚାହିଦା ବୃଦ୍ଧି ପାଇବା ସହିତ ଓଡ଼ିଆ ଭାଷାର ବିକାଶ ଘଟିଛି  । ସଂପ୍ରତି ଓଡ଼ିଆ ଭାଷା ଧୀରେ ଧୀରେ ସାମାଜିକ ପରିସରରୁ  ଅପସରି ଯିବାକୁ ବସିଲାଣି  । ଫଳରେ ତାହାର ଜୀବନଶକ୍ତି କ୍ଷୀଣ ହେବାକୁ ଆରମ୍ଭ କଲାଣି  । ସମାଜର ପ୍ରତିଷ୍ଠିତ ବ୍ୟକ୍ତିଙ୍କର ମାତୃଭାଷା ପ୍ରତି ଆଉ ମମତା ନାହିଁ  । କେବଳ ସାମାଜିକ କ୍ଷେତ୍ର ନୁହେଁ, ଶିକ୍ଷା କ୍ଷେତ୍ର, ପ୍ରଶାସନିକ କ୍ଷେତ୍ର, ବାଣିଜ୍ୟ କ୍ଷେତ୍ର ସବୁ କ୍ଷେତ୍ରରେ ଓଡ଼ିଆ ଭାଷା ଅବହେଳିତ  । ଏହି ପରିପ୍ରେକ୍ଷୀରେ ଓଡିଆ ଭାଷାର ସୁରକ୍ଷା ଓ ବିକାଶ ନିମିତ୍ତ ଯୋଜନାବଦ୍ଧ ମିଳିତ ପ୍ରୟାସ ଲୋଡ଼ା  । ମୁଁ କେବଳ ସଭା ସମିତିରେ ନିବେଦନ କରିନାହିଁ, ବିଭିନ୍ନ ପତ୍ରପତ୍ରିକାରେ ଓଡ଼ିଆ ଭାଷାର ସୁରକ୍ଷା, ସଂରକ୍ଷଣ ଓ ବିକାଶ ନିମିତ୍ତ ଅନେକ ପ୍ରବନ୍ଧ ଲେଖିଛି  । ସେହିସବୁ ପ୍ରବନ୍ଧ ଏକତ୍ର ହୋଇ ‘ଭାଷାନୁଚିନ୍ତା’ ଓ ‘ଆମ ଭାଷା ସାହିତ୍ୟ’ ଦୁଇଖଣ୍ଡ ପୁସ୍ତକରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଅଛି  ।
୨୦୧୫ ଜାନୁଆରୀ ୧୧ ତାରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବାରାଣସେୟ ଉକ୍ରଳ ସମାଜର ମିଳିତ ପ୍ରଚେଷ୍ଟାରେ କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର କେ.ଏନ. ଉଡୁପୀ ସଭାଗୃହରେ ‘ଓଡ଼ିଆ ଭାଷା, ସାହିତ୍ୟ ଓ ସାଂପ୍ରତିକତା’ ଶୀର୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା  । ସେହି ସମ୍ମିଳନୀରେ ମୁଁ ‘ ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମବିକାଶ’ ଶୀର୍ଷକ ବକ୍ତବ୍ୟ  ପ୍ରଦାନ କରିଥିଲି  । ସେଠାରେ କେତେକ ପ୍ରଫେସର, କାଶୀର କେତେକ ବିଦ୍ୱାନ ଓ ବାରଣାସୀରୁ ପ୍ରକାଶିତ ‘ସୋଚ୍ ବିଚାର’ ପତ୍ରିକାର ସଂପାଦନା ମଣ୍ଡଳୀ ମୋତେ ଓଡ଼ିଆ ଭାଷାର ଇତିହାସ ଓ ମୋ÷ଳିକ ଓଡ଼ିଆ ବ୍ୟାକରଣ ରଚନା କରିବାକୁ ଅନୁରୋଧ କଲେ  । ସେଠାରୁ ଫେରି ମୁଁ ପ୍ରଥମେ ଓଡ଼ିଆ ଭାଷାର ଇତିହାସ ରଚନା କଲି  । ଗ୍ରନ୍ଥଟି ସାତଗୋଟି ପରିଚ୍ଛେଦ ବିଶିଷ୍ଟ  । ମୋ ପୂର୍ବରୁ ପଣ୍ଡିତ ବିନାୟକ ମିଶ୍ର ୧୯୦୮ ମସିହାରେ ଓଡ଼ିଆ ଭାଷାର ଇତିହାସ ଲେଖିଥିଲେ ଏବଂ ସେହି ପୁସ୍ତକ ସେତେବେଳେ ପାଠ୍ୟପୁସ୍ତକ ଭାବରେ ପ୍ରଚଳିତ ଥିଲା  । ସେତେବେଳେ ଓଡ଼ିଆ ଭାଷା ବିଜ୍ଞାନ ଉପରେ ବିଶେଷ ଆଲୋଚନା ହୋଇନଥିଲା  । ତେଣୁ ମୁଁ ଓଡ଼ିଆ ଭାଷାବିଜ୍ଞାନ ଆଧାରରେ ଓଡ଼ିଆ ଭାଷାର ଇତିହାସ ରଚନା କଲି  । ଗ୍ରନ୍ଥଟି ୨୦୧୫ ମସିହାରେ ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ  । ଏହାପରେ ମୁଁ ୨୦୧୭ ମସିହାରେ ‘ମୋ÷ଳିକ ଓଡ଼ିଆ ଭାଷାତତ୍ତ୍ୱ’ ଓ ୨୦୨୨ ମସିହାରେ ‘ମୋ÷ଳିକ ଓଡ଼ିଆ ବ୍ୟାକରଣ’ ରଚନା କଲି  । ଏହି ଦୁଇଟି ଗ୍ରନ୍ଥ ମଧ୍ୟ  ଓଡିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଗବେଷକ ଗବେଷିକା ଓ ସାଧାରଣ ପାଠକ ପାଠିକାଙ୍କ ଦ୍ୱାରା ଆଦୃତି ଲାଭ କରିଛି  । ଶ୍ରୀଜଗନ୍ନାଥଙ୍କ କରୁଣାକୁ ସମ୍ବଳ କରି ଓଡ଼ିଆ ଧ୍ୱନି ତତ୍ତ୍ୱ, ଲିପି ବିଜ୍ଞାନ, ଶବ୍ଦ ବିଜ୍ଞାନ, ରୂପ ବିଜ୍ଞାନ, ପଦବିଜ୍ଞାନ, ବାକ୍ୟବିଜ୍ଞାନ, ଅର୍ଥ ବିଜ୍ଞାନ, ଶୈଳୀ ବିଜ୍ଞାନ, ବୁ୍ୟତ୍ପତ୍ତି ବିଜ୍ଞାନ ତୁଳନାତ୍ମକ ଭାଷାବିଜ୍ଞାନ, ବର୍ଣ୍ଣନାତ୍ମକ ଭାଷାବିଜ୍ଞାନ, ଐତିହାସିକ ଭାଷାବିଜ୍ଞାନ, ସଂରଚନାତ୍ମକ ଭାଷାବିଜ୍ଞାନ, ମନୋଭାଷାବିଜ୍ଞାନ ଓ ସମାଜ ବିଜ୍ଞାନ ପ୍ରଭୃତି ଉପରେ ବହି ଲେଖିବି ବୋଲି ଆଶା ରଖିଛି  । ସବୁ ସେହି ମହାବାହୁଙ୍କର କରୁଣା  ।
ଓଡ଼ିଆ ଭାଷା ସୁଦୀର୍ଘ ପ୍ରବହମାନ ଧାରାରେ ଓଡ୍ରବିଭାଷା, ଔଡ୍ରୀ ଅପଭ୍ରଂଶ, ପ୍ରତ୍ନ ଓଡ଼ିଆ, ପ୍ରାଚୀନ ଓଡ଼ିଆ, ମାନକ ଓଡ଼ିଆ ପ୍ରଭୃତି ସ୍ୱରୂପ ଧାରଣ କରି ପରିଶେଷରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ରୂପେ ଉଦ୍ଘୋଷିତ  । ସ୍ୱକୀୟ ମୋ÷ଳିକତା, ରକ୍ଷଣଶୀଳତା, ଆହରଣ ଦକ୍ଷତା, ଉତ୍ପାଦନ କ୍ଷମତା ଓ ପ୍ରସାରଣଶୀଳତା ଯୋଗୁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ହେଁ ସଂପ୍ରତି ଏହି ସବୁ ଉକ୍ରର୍ଷ ହରାଇସାରିଲାଣି  । ଏହାର କାରଣ ହେଉଛି ସାମାଜିକ କ୍ଷେତ୍ର, ଶିକ୍ଷାକ୍ଷେତ୍ର, ପ୍ରଶାସନିକ କ୍ଷେତ୍ର ଓ ବାଣିଜି୍ୟକ କ୍ଷେତ୍ର ପ୍ରଭୃତିରେ ଓଡ଼ିଆ ଭାଷା ବ୍ୟବହାରର ମାତ୍ରା ଆଶାତୀତ ଭାବରେ ହ୍ରାସ ପାଇଛି  । ଫଳରେ  ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ନିମିତ୍ତ ଅନ୍ତରାୟ ସୃଷ୍ଟି ହେଉଅଛି  ।  ଶାସ୍ତ୍ରୀୟ ଭାଷା ହୋଇଥିଲେ ହେଁ ଓଡ଼ିଆ ଭାଷା ସ୍ଥାଣୁ ଓ ନିଷ୍କର୍ମ ଅବସ୍ଥାରେ ରହିଛି  । ବର୍ତ୍ତମାନ ଯୋଜନାୟିତ ଭାଷାର ଯୁଗ ହୋଇଥିଲେ ହେଁ  ଓଡ଼ିଆ ଭାଷାର ବିକାଶ ନିମିତ୍ତ କୋ÷ଣସି ଯୋଜନାୟିତ ପଦକ୍ଷେପ ନିଆଯାଇପାରିନାହିଁ  । ଏହାର ସୁରକ୍ଷା ଓ ସମୃଦ୍ଧି ନିମିତ୍ତ ଜନସାଂଖି୍ୟକ, ସାମାଜିକ, ଭାଷାତାତ୍ତ୍ୱିକ ଓ ଆଇନଗତ ଦିଗରୁ ଏହାକୁ ସ୍ପଷ୍ଟ କରିବାକୁ ପଡିବ  । ଭାଷା ଶିକ୍ଷାକୁ ହିତକରୀ ଓ ଅର୍ଥକରୀ କରିବାକୁ ପଡିବ  । ଭାଷା ବିଜ୍ଞାନ ଭିତ୍ତିକ ଅଭିଧାନ, ଶବ୍ଦକୋଷଣ ମାନକୀକରଣ, ସକଳ ଆଇନ ଓ ନିୟମାବଳୀର ଓଡ଼ିଆ ଅନୁବାଦ ଏବଂ ଓଡ଼ିଆ ଭାଷାର କମ୍ପୁ୍ୟଟରୀକରଣ ପ୍ରଭୃତି କାର୍ଯ୍ୟକ୍ରମ ନିମିତ୍ତ ଆଶୁ ପଦକ୍ଷେପ ନେବାକୁ ପଡିବ  ।
ଆନନ୍ଦନଗର , କାଠଗଡା, ଢେଙ୍କାନାଳ, ୮୮୯୫୨୩୦୭୨୨