ଓଡ଼ିଶା ଦିବସ ପାଳିତ

 କେନ୍ଦୁଝର : ଓଡିଶା ଦିବସ ସମାରୋହ ଗତ ମଙ୍ଗଳବାର କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ ଠାରେ  ଓଡିଆ ଅସ୍ମିତାର ଜୟଗାନ କରି ମାତୃଭୂମି ଓ ମାତୃଭାଷାକୁ ଭଲ ପାଇବାକୁ ଆହ୍ୱାନ ଜଣାଇଛନ୍ତି । ଜିଲ୍ଲାପାଳ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ  ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ଗଣେଶରାମ ସିଂଖୁଣ୍ଟିଆ ଉଦ୍ବୋଧନ ଦେଇ ଓଡିଆ ଜାତିର ସ୍ୱାଭିମାନକୁ ସର୍ବଦା ବଜାୟ ରଖିବା ନିମନ୍ତେ ପ୍ରତ୍ୟେକ ଓଡିଆ ସଂକଳ୍ପ ନେବାକୁ ଆହ୍ୱାନ ଜଣାଇଥିଲେ । ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ ରାଜ୍ୟର ପୂର୍ବ ସୁରୀଙ୍କୁ ମନେ ପକାଇ ସମସ୍ତଙ୍କୁ ସେହିଭଳି ନିଃସ୍ୱାର୍ଥପରତା ଭାବ ରଖି ରାଜ୍ୟ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପାଟଣା ବିଧାୟକ  ଅଖିଳ ଚନ୍ଦ୍ର ନାଏକ ଓଡିଶା ଦିବସ ଅବସରରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ଜିଲ୍ଲା ତଥା ରାଜ୍ୟର ଉନ୍ନତି ଦିଗରେ ଓଡିଶା ଦିବସ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ସେହିପରି ଜିଲ୍ଲାପାଳ ବିଶାଲ ସିଂହ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ୨୦୩୬ ମସିହାରେ ଓଡ଼ିଶା ପ୍ରତିଷ୍ଠା ହେବାର ଶତବାର୍ଷିକୀ ଅବସରରେ ଭଲ କାମ କରି ସମାଜରେ ପ୍ରତିଷ୍ଠିତ ହେବା ପାଇଁ ଆହ୍ୱାନ କରିଥିଲେ । ଏହାକୁ ଅଧିକ ଋଦ୍ଧିମନ୍ତ କରିବାକୁ ପ୍ରତ୍ୟେକ ବ୍ୟକ୍ତି ପ୍ରତିବଦ୍ଧତା ରଖିବା ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ସିଂହ କହିଥିଲେ । ସମାରୋହରେ ସମ୍ମାନିତ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍ଡି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଏସିଏଫ ଏସ୍ ନାଗରାଜୂ, ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ରାୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ସଂଚାଳନା କରିଥିଲେ । ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ/କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି, ଶିକ୍ଷକ/ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ, ଶିଳ୍ପୀ କଳାକାର ତଥା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।