କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

 ଜଟଣୀ: ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ଠାରେ ଅବସ୍ଥିତ ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟ ଠାରେ ରନିଙ୍ଗ ଷ୍ଟାଫ ମାନଙ୍କ ପ୍ରତି ପ୍ରଶାସନ ଦ୍ୱାରା ଅମାନୁଷିକ ଅତ୍ୟାଚାର ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ମଣ୍ଡଳ ସଂଯୋଜକ ସୁନୀଲ ଭଞ୍ଜ କେନ୍ଦ୍ରୀୟ ପଦାଧିକାରୀ ପ୍ରମୋଦ ସାହାଣୀ, ଏମଜିକେ ରାଓ, ସୁବ୍ରତ ପଣ୍ଡା, ଶରତ ପଣ୍ଡା, ଶାଖା ସମ୍ପାଦକ ଏଲ ଡି ମହାନ୍ତି, ଜୟନ୍ତ ସାମଲ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ ରନିଙ୍ଗ ଷ୍ଟାଫଙ୍କ ବିଭିନ୍ନ ପ୍ରସଙ୍ଗ ନେଇ ଗତ ମାର୍ଚ୍ଚ ମାସ ୨୬ ତାରିଖରେ ଲିଖିତ ଦାବି ଜଣାଇଥିଲେ । ରେଳ ବୋର୍ଡ ଆଦେଶକୁ ଅମାନ୍ୟ କରି ପୂର୍ବତଟ ରେଳ ପ୍ରଶାସନ ଆଞ୍ଚଳିକ ଆଦେଶ ଦ୍ୱାରା ରନିଙ୍ଗ ଷ୍ଟାଫଙ୍କ ବଞ୍ଚିବା ମୁସ୍କିଲ କରିସାରିଲେଣି, ଯେପରିକି ସର୍ବନିମ୍ନ ୧୨୦ କିମି ମାଇଲେଜ ଦେବା, ପୂର୍ବଭଳି ଡୁ୍ୟଟି ପ୍ରସ୍ତୁତି ସମୟ ୧୫ ମିନିଟ ପରିବର୍ତ୍ତେ ୩୦ ମି ରଖିବା, ନ ଘଣ୍ଟାରୁ ଉର୍ଦ୍ଧ ସମୟ ଡିଉଟି ନ ଦେବା ।  ବର୍ତ୍ତମାନ ନ ଘଣ୍ଟାରୁ ଉର୍ଦ୍ଧ କାର୍ଯ୍ୟ ପାଇଁ ଓଭେର ଟାଇମ୍ ଦେୟରୁ ବର୍ତ୍ତିବା ପାଇଁ ପ୍ରଶାସନ ଛଳନାତ୍ମକ ଢଙ୍ଗରେ ଏକ ଆଞ୍ଚଳିକ ଆଦେଶ ଦ୍ୱାରା ମଝିରେ ଡୁ୍ୟଟି ଆୱାର୍ସ ଭଙ୍ଗ କରିବାକୁ ନିର୍ଦ୍ଧାରିତ ରନିଙ୍ଗରୁମ ବଦଳରେ ଛୋଟ ଛୋଟ ଷ୍ଟେସନ ମାନଙ୍କରେ ଥିବା ପରିତ୍ୟକ୍ତ ଗୃହରେ ଏକଘଣ୍ଟା ଦଶ ମିନିଟ ନାମକୁ ମାତ୍ର ବିଶ୍ରାମ ଦେଇ ସେଠାରୁ ହେଡ଼ କ୍ୱାର୍ଟରକୁ ଫେରିବା ପାଇଁ ଡୁ୍ୟଟି ଦେବା ପରିବର୍ତ୍ତେ ପୁନଃ ଆଗକୁ ଗାଡି ଚଳାଇବାକୁ ବାଧ୍ୟ୍ୟ କରିବା ଦ୍ୱାରା ନିଜ ଘରକୁ ଫେରିବା ପାଇଁ କର୍ମଚାରୀମାନଙ୍କୁ ୭୨ ଘଣ୍ଟାରୁ ଅଧିକ ସମୟ ଲାଗୁଚି । ସୁରକ୍ଷା ଦୃଷ୍ଟିରୁ ଲଗାତାର ଚାରି ରାତି ଗାଡି ଚାଳନା ବନ୍ଦ କରିବା ଭଳି ରେଳ ବୋର୍ଡ ଆଦେଶ ପାଳନ ପୂର୍ବକ  ଆସନ୍ତା ୧୮ ଏପ୍ରିଲ ସୁଧା ଆଞ୍ଚଳିକ ଆଦେଶ ପ୍ରତ୍ୟାହୃତ ନହେଲେ ଆମରଣ ଅନଶନ କରାଯିବ ବୋଲି ସଂଯୋଜକ ଶ୍ରୀ ଭଞ୍ଜ ଓ ଅନ୍ୟ ନେତୃବର୍ଗ ଚେତାବନୀ ଦେଇଛନ୍ତି ।