ଫୋନ୍ କରି ଲୁଟିନେଲେ ୨ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା
ଅସ୍ତରଙ୍ଗ: ଫୋନ୍ କରି ଲୁଟିନେଲେ ୨ଲକ୍ଷ ୫୧ ହଜାର ୪୫୬ଟଙ୍କା । ଏଭଳି ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ଥାନା ଅଞ୍ଚଳରେ । କେଦାରନାଥ ଜେନାଙ୍କ ଅଭିଯୋଗକ୍ରମେ ପୁଲିସ୍ ତଦନ୍ତ ଆରମ୍ଭ କରିଛି । ସୂଚନାନୁସାରେ ଅସ୍ତରଙ୍ଗ ପଞ୍ଚାୟତ ବସ୍ତଡିହ ମୌଜାର କେଦାରନାଥ ଜେନାଙ୍କୁ ୨୩ ତାରିଖ କେହି ଜଣେ ତାଙ୍କୁ ଫୋନ୍ କରିଥିଲା । ଆଉ କହିଥିଲା ତୁମର ଆଧାର ନମ୍ବର ବନ୍ଦ ହୋଇଯାଇଛି ଓଟିପି ଦେଲେ ତାହା ଆକ୍ଟିଭେଟ୍ ହେବ । ଓଟିପି ନଦେଲେ ତୁମ ମୋବାଇଲ୍ ସିମ୍ ଓ ଆଧାର ନମ୍ବର ବ୍ଲକ ହୋଇ ଯିବ । ଏହା ଶୁଣି କେଦାର ବାବୁ କାକଟପୁର ସ୍ଥିତ ଜିଓ ମୋବାଇଲ୍ ଅଫିସକୁ ଯାଇଥିଲେ । ସେଠାରେ ସିମ୍ ଆକ୍ଟିଭେସନ୍ ନିମନ୍ତେ ଆଧାର ନମ୍ବର କାମ ନଦେବାରୁ ସେ ଅସ୍ତରଙ୍ଗ ଆଧାର କେନ୍ଦ୍ରରେ ଆଧାର ଅପଡେଟ୍ କରିନେଇଥିଲେ । ତାଙ୍କ ଘର କାମ ପାଇଁ ଅର୍ଥ ଆବଶ୍ୟକ ଥିବାରୁରୁ ୨୮ ନଭେମ୍ବରରେ ସେ କାକଟପୁର ଷ୍ଟେଟ୍ ବ୍ୟାଙ୍କ ଯାଇ ଟଙ୍କା ଉଠାଇବାକୁ ଯାଇଥିଲେ । ହେଲେ ସେଠାରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଆକାଉଣ୍ଟ୍ ଖାଲି ହୋଇଯାଇଛି । ତା’ପରେ କାକଟପୁର ସ୍ଥିତ ଏଚ୍ଡିଏଫ୍ସି ବ୍ୟାଙ୍କକୁ ଯାଇ ଅନ୍ୟ ଏକ ଆକାଉଣ୍ଟ୍ ଯାଞ୍ଚ କରିବାରୁ ସେହି ଆକାଉଣ୍ଟରୁ ମଧ୍ୟ ୨ ଲକ୍ଷ ୫୧ ହଜାର ୪୫୬ ଟଙ୍କା ନଥିବା ଜାଣିବାକୁ ପାଇଥିଲେ । ଏ ବାବଦରେ ସେ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଜଣାଇଥିଲେ । ଏ ବାବଦରେ ବ୍ୟାଙ୍କ ଶାଖା ପରିଚାଳକ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । କେଦାର ଅସ୍ତରଙ୍ଗ ଥାନାରେ ଏ ବିଷୟରେ ଲିଖିତ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ପୁଲିସ୍ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।