କଚ୍ଛପ ଗତିରେ ରାସ୍ତା ନିର୍ମାଣ, ସମସ୍ୟାରେ ଯାତ୍ରୀ

ବନ୍ତ : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତର ମଙ୍ଗୁଲିରୁ ଗଣିଜାଙ୍ଗ ଭାୟ ଗୋପାଳପୁର, ଆମ୍ବଗଡ଼ିଆ ଦେଇ ଯାଇଥିବା ୮.୫ କିମି ରାସ୍ତା ନିର୍ମାର କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଅଭିଯୋଗ ହୋଇଛି । ଫଳରେ ଯାତାୟାତରେ ସମସ୍ୟା ଦେଖାଦେଇଛି । ଏହି ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଥିଲା । ଦୀର୍ଘ ଦିନ ଧରି ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତା ପ୍ରତି ଗୁରୁତ୍ୱ ନଦେବାରୁ ଅଞ୍ଚଳବାସୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ବିଭିନ୍ନ ସମୟରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା  । ରାସ୍ତା ତାଡ଼ି ମେଟାଲ ପକାଇ ତା’ ଉପରେ ଡଷ୍ଟ ବିଛାଯାଇଥିଲା । ଏହି କାର୍ଯ୍ୟକୁ ପ୍ରାୟ ୧ ବର୍ଷ ବିତିବାକୁ ବସିଛି । ରାସ୍ତା ଉପରେ ପିଚୁ ପକାଇବା କାମରେ ବିଳମ୍ବା ଯୋଗୁ ବିଛା ଯାଇଥିବା ମେଟାଲଗୁଡ଼ିକ ଉପରକୁ ଉଠିଯିବା ଅନେକ ସମୟରେ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏହାକୁ ନେଇ ପୁଣି ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସଂପୃକ୍ତ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହିପରି ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି । ତେଣୁ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସାରିବା ସହ ଏହାର ସ୍ଥାୟିତ୍ୱ ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।