କଡକିପାଣିକୁ ରାଜ୍ୟସ୍ୱ ଗ୍ରାମ୍ୟ ମାନ୍ୟତା ଦାବି
ଜୟପୁର: କୋରାପୁଟ ଜିଲ୍ଲା ବୈପାରିଗୁଡା ତହସିଲ ଅନ୍ତର୍ଗତ ଦଣ୍ଡାବାଡି ଗ୍ରାମ ପଞ୍ଚାୟତର ଅଣ ସର୍ବକ୍ଷେଣ କୃତ ଓ ଅଣ ବନେ୍ଦାବସ୍ତ ଗ୍ରାମ କଡକିପାଣିକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ଜୟପୂର ଉପଜିଲ୍ଲାପାଳ ସୁଶ୍ରୀ ଆକବରାମ ସସ୍ୟା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଗ୍ରାମସଭା କଡକିପାଣି ଠାରେ ଅନୁଷ୍ଠିତ ହୋଇଯାଇଛି । କଡକିପାଣି ଗ୍ରାମରେ ୩୦ ଗୋଟି ପରିବାର ଜଙ୍ଗଲ ଜମିରେ ବସତି ସ୍ଥାପନ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଆଦିବାସୀ ୯ ପରିବାର ଓ ଅନ୍ୟାନ୍ୟ ବର୍ଗର ୨୧ ପରିବାର ରହିଛନ୍ତି । ସରକାରଙ୍କ ପକ୍ଷରୁ ଉକ୍ତ ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ସ୍ୱତନ୍ତ୍ର ଗ୍ରାମସଭା ୨୬ ତାରିଖ ବୁଧବାର ଦିନ ଆୟୋଜିତ ହୋଇଥିଲା । ଗ୍ରାବାସୀମାନଙ୍କ ଆବଶ୍ୟକ ଅନୁସାରେ ଘର ଓ ଜମି ପାଇଁ ୨୪୭ ହେକ୍ଟର, ସର୍ବ ସାଧାରଣ ଜମି ୭୭ ହେକ୍ଟର, ସର୍କଲ ୪୭୫ ହେକ୍ଟର, ସିଆରଏଫ୍ଆର୍ ୨୨୮ ହେକ୍ଟର ସର୍ବମୋଟ ୧୦୨୭ ହେକ୍ଟର ଜମି ଯୋଗାଇଦେବା ପାଇଁ ଆଲୋଚନା ହୋଇଛି । ଏହି କ୍ରମରେ ବୈପାରିଗୁଡା ତହସିଲଦାର ସ୍ନିଗ୍ଧା ରାଣୀ ଚୌଧୁରୀ,ଏସିଏଫ୍ ଜୟପୁର ଅମିତ୍ ପ୍ରକାଶ ନାୟକ, ରାମଗିରି ରେଞ୍ଜର ରାମଚନ୍ଦ୍ର ନେପାକ, ଅତିରିକ୍ତ ତହସିଲଦାର ଝାଡେଶ୍ୱର ସୈରା,ଡବ୍ଳୁଇଓ ଚନ୍ଦ୍ରଧ୍ୱଜ ପୂଜାରି ,ଦଣ୍ଡାବାଡି ପଞ୍ଚାୟତ ନିର୍ବାହି ଅଧିକାରୀ ସନ୍ଦିପ ପଟ୍ଟନାୟକ, ସମିତି ସଭ୍ୟ ମାଧବ ଖରା, ସରପଞ୍ଚ ଭେଣ୍ଡିଆ ଖିଲ,ୱାର୍ଡ ମେମ୍ବର ସନାଇ ସାଆନ୍ତା,ଜଙ୍ଗଲ ଅଧିକାର ନିୟମ ସଂଯୋଜକ ଶୋମା ବେବର୍ତ୍ତା ବୈପାରିଗୁଡା ତହସିଲ, ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀଙ୍କ ସମେତ କଡକିପାଣି ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।