କପିଳାସ ପୀଠରେ ଲକ୍ଷାଧିକ କାଉଡିଆଙ୍କ ସମାଗମ
ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ କପିଳାସରେ ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର ପାଳିରେ ବାବା ଚନ୍ଦ୍ରଶେଖରଙ୍କ ଠାରେ ଜଳାଭିଷେକ କରିବା ପାଇଁ ଲକ୍ଷାଧିକ କାଉଡିଆଙ୍କର ସମାଗମ ଦେଖିବାକୁ ମିଳିଥିଲା । ଶନିବାର ଠାରୁ ଆରମ୍ଭ କରି ରବିବାର ରାତ୍ରି ପର୍ଯ୍ୟନ୍ତ କାନ୍ଧରେ ପାଣିଭାର ଧରି ପୁରୁଷ ଓ ମହିଳା ତଥା ଛୋଟଛୋଟ ପିଲାମାନେ ରାସ୍ତାରେ ହରେ ହରେ ବମ ବୋଲ ବମ ଧ୍ୱନୀ ଦେଇ କପିଳାସ ଅଭିମୁଖେ ଆଗେଇ ଯାଉଥିବାର ଦେଖିବାକୁ ମିଳିଥିଲା । ପ୍ରତିବର୍ଷ ପରି ଚଳିତ ବର୍ଷ ସ୍ଥାନୀୟ ଅଞ୍ଚଳ ଠାରୁ ଆରମ୍ଭ କରି ପଡୋଶୀ ବ୍ଲକ ଭୁବନ କାମାକ୍ଷାନଗର ଓଡାପଡା ସଦର ବ୍ଲକ ଢେଙ୍କାନାଳ ସହର ସହିତ ପାଖ ଜିଲ୍ଲା ଯଥା ଯାଜପୁର କଟକ କେନ୍ଦୁଝର ଅନୁଗୋଳ କେନ୍ଦ୍ରାପଡ଼ା ଓ ରାଜଧାନୀ ଭୁବନେଶ୍ୱର ଆଦି ଅଞ୍ଚଳମାନଙ୍କରୁ କାଉଡିଆ ଭକ୍ତମାନେ କାନ୍ଧରେ ପାଣିଭାର ଧରି ଅସୁଥୁବାର ଦେଖିବାକୁ ମିଳିଛି । ବିଶେଷ କରି ରବିବାର ସକାଳ ଠାରୁ ଗଁଦିଆ ଭୁବନ, ଗଁଦିଆ ଛଡେଇଧରା ଓ କପିଳାସ ଟାଙ୍ଗୀ, ଢେଙ୍କାନାଳ କପିଳାସ ରାସ୍ତା ମାନଙ୍କରେ ମଧ୍ୟ ରାତ୍ରି ପର୍ଯ୍ୟନ୍ତ କାଉଡିଆ ଭକ୍ତମାନଙ୍କର ଗହଳି ଲାଗି ରହିଥିଲା । ଦ୍ୱିତୀୟ ପାଳିର ଗହଳିକୁ ନଜରରେ ରଖି ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯଇଥିଲା । ଯେପରି ଭକ୍ତମାନେ ଶୃଙ୍ଖଳାର ସହିତ ଠାକୁରଙ୍କ ଠାରେ ନିଜର ମାନସୀଙ୍କ ପୂରଣ ପାଇଁ ପାଣି ଢାଳିବେ, ସେଥିପାଇଁ ସିଂହଦ୍ୱାରା ଠାରୁ ଲମ୍ବା ଧାଡିରେ ଭକ୍ତମାନେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା । ଭିଡକୁ ଦେଖି ମନ୍ଦିର ପ୍ରଶାସନ ପକ୍ଷରୁ ଭୋର ୩.୩୦ସମୟରୁ ମନ୍ଦିର ଖୋଲା ଯାଇ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ଭିଡ ନିୟନ୍ତ୍ରଣ ପାଇଁ ଗଦିଆ ତହସିଲଦାର ସୁଧାଂଶୁ ଶେଖର ସଓଙ୍କ ସହିତ ଥାନଅଧିକାରୀ ସଲିଳ କୁମାର ପ୍ରଧାନ ଓ ନିହାଲ ପ୍ରସାଦ, ଥାନା ଅଧିକାରୀ କାଶୀନାଥ ହାଁସଦା ସହ ପୋଲିସ ବାହିନୀ ମୁତୟନ ରହିଥିଲେ ।