ଔଷଧ ଦୋକାନୀଙ୍କ ମାଡ଼ରେ ଗ୍ରାହକ ଗୁରୁତର
ବ୍ରହ୍ମବରଦା : ମଙ୍ଗଳବାର ସନ୍ଧ୍ୟାରେ ଏହି ଥାନା ଅନ୍ତର୍ଗତ ବ୍ରହ୍ମବରଦା ବ୍ରାହ୍ମଣସାହି ଛକ ନିକଟରେ ଥିବା ରାଜା ମେଡିସିନ ଷ୍ଟୋରର ମାଲିକ ଓ କର୍ମଚାରୀଙ୍କ ମାଡରେ ଜଣେ ଗ୍ରାହକ ଗୁରୁତର ଆହତ ହୋଇ ଧର୍ମଶାଳା ମେଡିକାଲରେ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଛି । ଆହତ ଗ୍ରାହକ ଜଣଙ୍କ ବ୍ରହ୍ମବରଦା ପଞ୍ଚାୟତ ଢିଅସାହି ଗ୍ରାମର ଅକ୍ଷୟ ବେହେରା (୪୫) ବୋଲି ଜଣାପଡିଛି । ଘଟଣାକୁ ନେଇ ଗ୍ରମାରେ ଉତ୍ତେଜନା ଲାଗି ରହିଥିବା ବେଳେ ବ୍ରହ୍ମବରଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଔଷଧ ଦୋକାନୀଙ୍କୁ ଏକ ଘରେ ପୁରାଇ ସୁରକ୍ଷା ପ୍ରଦାନ କରିଥିବା ଜାଣିବାକୁ ମିଳିଛି । ସୂଚନାନୁଯାୟୀ ଅକ୍ଷୟ ଉକ୍ତ ରାଜା ମେଡିସିନ ଷ୍ଟୋରକୁ ମେଡିସିନ ଆଣିବାକୁ ଯାଇଥିବା ସମୟରେ ନିଜ ବାଇକ ଟିକୁ ସେହି ଦୋକାନ ଆଗରେ ରଖିଥିଲେ । ସେହି ସମୟରେ ମେଡିସିନ ଦୋକାନୀର ଅନ୍ୟଜଣେ କର୍ମଚାରୀ ଏଠି ଦୋକାନ ସାମ୍ନାରେ ବାଇକ କାହିଁକି ରଖିଛ ବୋଲି କହି ଅକ୍ଷୟକୁ ଧକ୍କା ପକାଇବା ସହିତ ଏକ ବାଇକ ଚାବିରେ ଅକ୍ଷୟଙ୍କ ଛାତିକୁ ଫୁଟାଇ ଦେଇଥିଲା । ଫଳରେ ଅକ୍ଷୟଙ୍କ ଛାତିରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସେହି ସମୟରେ ଦୋକାନୀଙ୍କ ଅନ୍ୟ ୫ଜଣ ସହଯୋଗୀ ଆସି ଅକ୍ଷୟଙ୍କୁ ନିର୍ଦ୍ଧୁମ୍ ମାରିଥିଲେ । ଯାହାଦ୍ୱାରା ଏଥିରୁ ଅକ୍ଷୟ ସମ୍ପୂର୍ଣ୍ଣ ଗୁରୁତର ହୋଇପଡିଥିଲେ । ଅକ୍ଷୟଙ୍କୁ ମାଡ ମାରୁଥିବା ସମୟରେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଢିଅ ସାହି ଗ୍ରାମର କୁଲିଆ ବିଶ୍ୱାଳ ମଧ୍ୟ ମେଡିସିନ ଦୋକାନୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ସ୍ଥାନୀୟ ଲୋକେ ଅକ୍ଷୟଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ତାରେ ଉଦ୍ଧାର କରି ଧର୍ମଶାଳା ମେଡିକାଲକୁ ନେଇଯାଇଥିଲେ । ଉକ୍ତ ରାଜା ମେଡିସିନ ଷ୍ଟୋର ବହୁ ନକଲି ମେଡିସିନ ବିକ୍ରୟ କରୁଥିବା ନେଇ ମଧ୍ୟ ସ୍ଥାନୀୟ ଲୋକେ କହୁଥିବା ବେଳେ ଦୋକାନୀ ମାଲିକ ପୂର୍ବରୁ ଏମିତି ବହୁ ଗ୍ରାହକଙ୍କୁ ମାଡ ମାରିବା ସହିତ ଗ୍ରାହକଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଖବର ଲେଖା ହେବା ବେଳକୁ ଏନେଇ ବ୍ରହ୍ମବରଦା ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।