କଫି ବଗିଚା ପରିଦର୍ଶନ କଲେ ଜଳ ବିଭାଜିକା ନିଦେ୍ର୍ଦଶକ
କେନ୍ଦୁଝର : ମୂର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିଦେ୍ର୍ଦଶକ ସୁବ୍ରତ କୁମାର ପଣ୍ଡା ଦିନିକିଆ କେନ୍ଦୁଝର ଗସ୍ତରେ ବିଭାଗ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ତଦାରଖ କରିବା ସହ ସମୀକ୍ଷା କରିଛନ୍ତି । ପ୍ରତି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଥମେ ଘଟଗାଁ ବ୍ଲକ ଗସ୍ତରେ ଯାଇ ପିପିଳିଆ ଠାରେ କରାଯାଇଥିବା କାଜୁ ବଗିଚା ପରିଦର୍ଶନ କରିଥିଲେ । ୧୦ ହେକ୍ଟର ଜମିରେ ଲାଗିଥିବା କାଜୁ ଗଛ ସଠିକ୍ ରୂପେ ତଦାରଖ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେବା ସହ ହିତାଧିକାରୀମାନଙ୍କ ସହ ଆଲୋଚନା କରି ସଠିକ୍ ଭାବେ ରକ୍ଷଣାବେକ୍ଷଣ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଘଟଗାଁ ବ୍ଲକ ରୁଟିଶିଳା ଗ୍ରାମରେ ଓମ୍ବାଡସି ଅନୁଦାନରେ କରାଯାଇଥିବା କ୍ଷେତ ପୋଖରୀ ବୁଲି ଦେଖିଥିଲେ । ଏହାପରେ ବାଂଶପାଳ ବ୍ଲକ ଗୋନାସିକା ପଂଚାୟତ ଅନ୍ତର୍ଗତ ତଳ ବୈତରଣୀ ଗ୍ରାମରେ ହୋଇଥିବା କଫି ନର୍ସରୀ ବୁଲି ଦେଖିବା ସହ ପଦ୍ମଶ୍ରୀ ଦୈତାରୀ ନାଏକ ଙ୍କ ସହ ଆଲୋଚନା କରିଥିଲେ । ତତ୍ପରେ ତରମାକାନ୍ତ ଗ୍ରାମ ପଂଚାୟତ ଜଳଡିହା ଗ୍ରାମରେ ୮ହେକ୍ଟର ଜମିରେ କରାଯାଇଥିବା କଫି ବଗିଚାକୁ ବୁଲି ଦେଖିବା ସହ ହିତାଧିକାରୀମାନଙ୍କ ସହ ଆଲୋଚନା କରି କଫି ଚାଷ କରି ପରିବେଶ ସୁରକ୍ଷା ସହ ଲାଭବାନ ହୋଇପାରିବେ ବୋଲି କହିଥିଲେ । ମୂର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ନିଦେ୍ର୍ଦଶକ ଅଶୋକ କୁମାର ସେନାପତି,ମୂର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ବନମାଳୀ ପାତ୍ର,ପ୍ରଦୀପ କୁମାର ରାଉତ ପ୍ରମୁଖ ଗସ୍ତ ଓ ସମୀକ୍ଷା ସମୟରେ ଉପସ୍ଥିତ ଥିଲେ ।