କର୍ଣ୍ଣପାତ କରୁନି ଗ୍ରାମ୍ୟ ଉନ୍ନୟନ ବିଭାଗ : ହେଉନି ବଡ଼ନାଳ ସେତୁ ଆପ୍ରୋଚ ରୋଡ
ବରୀ : ବରୀ ନିର୍ବାଚନ ମଣ୍ଡଳୀର ସୁଜନପୁର ଠାରୁ ରୁଦ୍ରପୁର ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାର ବଡନାଳ ଉପରେ ନିର୍ମାଣ ହେଇଥିବା ସେତୁର ଦୁଇ ପାର୍ଶ୍ୱର ଆପ୍ରୋଚ ରୋଡ ହେବାର ନାଁ ଗନ୍ଧ ଧରୁନି । ଯାହାଫଳରେ ଯାତାୟତ ଲାଗି ଅଞ୍ଚଳର ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏହା ଦ୍ୱରା ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ନୂତନ ସେତୁ କୁ ଲାଗି ପୁରୁଣା ସେତୁ ଉପରେ ବିପଦପୁର୍ଣ ଜନସାଧାରଣ ଗାଡି ମଟର ସହିତ ଯାତାୟତ କରୁଛନ୍ତି । ଏହି ପୁରୁଣା ସେତୁ ଦୁଇପାର୍ଶ୍ୱ ବାଡ ଭାଙ୍ଗିଯିବା ସହିତ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ପ୍ରତିଦିନ ବରୀ ଓ ଯାଜପୁର ବ୍ଲକର ବାଲିଆ, ଈଶାଣପୁର, ଗୋଲକୁଣ୍ଡ, ସ୍ୱାଇଁଖଣ୍ଡ, ରୁଦ୍ରପୁର, ଝଳପଡା, ସୁଜନପୁର, ଏରବାଙ୍କ, ଶ୍ୟାମଦାସପୁର ପଞ୍ଚାୟତର ଲୋକମାନେ ବିଭିନ୍ନ କାର୍ଯ୍ୟରେ ମେଡିକାଲ, ବ୍ୟାଙ୍କ, ହାଟ, ବଜାର, ବ୍ଲକ, ଯାଜପୁର ସଦର ମହକୁମା ଯାତାୟତ କରିଥାନ୍ତି । ଏହି ସମସ୍ୟା ପ୍ରତି ବାରମ୍ବାର ବିଭାଗକୁ ସ୍ଥାନୀୟ ଲୋକ ଜଣାଇଲେ ମଧ୍ୟ କୌଣସି ପ୍ରତିକାର ହେଉନାହିଁ । ତୁରନ୍ତ ଏହି ସମସ୍ୟା ପ୍ରତିନଜର ଦେବାକୁ ଅଂଚଳବାସୀ ଦାବି କରିଛନ୍ତି ।