ଡ୍ରେନ୍ ଉପରେ ଦୋକାନ
ସହରାଞ୍ଚଳ ଗୁଡ଼ିକରେ ପେଟ ପୋଷିବା ଗ୍ରାମାଞ୍ଚଳ ଅପେକ୍ଷା ସହଜ । କିଛି ନହେଲେ ବି ୫ ହଜାର ଟଙ୍କା ପୁଞ୍ଜି ଲଗାଇ ରାସ୍ତା କଡରେ ବରା, ପିଆଜି, ପକଡ଼ି ଛାଣି ବିକ୍ରି କରି ଜଣେ ପେଟ ପୋଷି ପାରିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସାରା ସବୁ ଆଡ଼େ ଅସ୍ଥାୟୀ ଦୋକାନ ସବୁ ଡ୍ରେନ୍ ଉପରେ ଗଢ଼ି ଉଠିଲାଣି । ସହରାଞ୍ଚଳରେ ଡ୍ରେନ୍ ଉପରେ ସ୍ଲାବ୍ ପକାଯାଇଛି । ବର୍ତ୍ତମାନ ଏହି ସ୍ଲାବ୍ ଗୁଡ଼ିକ ହେଉଛି ସବୁଠାରୁ ପରିଷ୍କାର ସ୍ଥାନ । ତାରି ଉପରେ ଦୋକାନ ଖୋଲିବା ପାଇଁ ଭଲ ଜାଗା ଆଉ କିଛି ନାହିଁ । ଏବେ ଏହି ପଦ୍ଧତିକୁ ଆପଣେଇ ନେଇଛନ୍ତି ପ୍ରଥମେ ରାଜଧାନୀର ଛୋଟ ଛୋଟ ଦୋକାନୀମାନେ । ହଟେଇବାକୁ କେହି ନାହିଁ, ପରିମଳ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବାକୁ କେହି ନାହିଁ । ଯାହା କିଛି ଆବର୍ଜନା ବାହାରିବ ଡ୍ରେନ୍ ଭିତରେ ଗଳେଇ ଦେବାର ସୁବିଧା ଅଛି । ନିର୍ବିଚାର ଭାବରେ ଖାଦ୍ୟ ପଦାର୍ଥ ଖାଇବାର ଗ୍ରାହକଙ୍କ ଅଭାବ ମଧ୍ୟ ନାହିଁ । ଏଇଟା କେବଳ ରାଜଧାନୀର ଚିତ୍ର ନୁହେଁ; ବରଂ ସାରା ଓଡ଼ିଶାର ସବୁ ସହରାଞ୍ଚଳର ଚିତ୍ର ।
ରାଜଧାନୀରେ ତ ମାଛ ହାଟ ଛକ ଉପରେ ବସେ । ସୌଭାଗ୍ୟ ନଗର, ଡ଼ମଣା ଭଳି ଅଞ୍ଚଳରେ ଟ୍ରାଫିକ୍ ଛକ ଉପରେ ମାଛ ହାଟ ବସେ । ଆଉ ସବୁଠାରୁ ଉଲ୍ଲେଖନୀୟ କଥା ହେଲେ ସେସବୁ ଡ୍ରେନ୍ ଉପରେ ପଡ଼ିଥିବା ସ୍ଲାବ୍ ଉପରେ ହିଁ ବସେ । ଲୋକେ ରାସ୍ତା ଉପରେ ଯାନବାହାନ ଥୋଇ ଘଣ୍ଟା ଘଣ୍ଟା ଧରି ଛକ ଗୁଡ଼ିକୁ ଜାମ୍ କରିଦିଅନ୍ତି । ଟ୍ରାଫିକ୍ ନିୟନ୍ତ୍ରଣ ଦାୟିତ୍ୱରେ ଅନେକ କର୍ମଚାରୀ ଅଛନ୍ତି । ହେଲେ ଡ୍ରେନ୍ ଉପରୁ ହାଟ ହଟାଇବା କାମ୍ ବିଏମ୍ସିର । ସମଗ୍ର ରାଜ୍ୟରେ ଆମର ଏହିଭଳି ବ୍ୟବସ୍ଥା । କୌଣସି ବିଭାଗ ସହିତ କୌଣସି ବିଭାଗର ଲେଶମାତ୍ର ସମନ୍ୱୟ ନାହିଁ । ତେଣୁ ଆଜି ଜବରଦଖଲ ହଟିଲେ କାଲି ପୁଣି ଉଇହୁଙ୍କା ଭଳି ଗଢ଼ି ଉଠୁଛି । ସହରାଞ୍ଚଳର ସବୁ ଡ୍ରେନ୍ ଉପରେ ଆଜି ମାଳମାଳ ଦୋକାନ । ଏହି ବଜାରର ଯେତେକ ବର୍ଜ୍ୟବସ୍ତୁ ସେସବୁକୁ ଫୋପାଡ଼ିବା ପାଇଁ ସମସ୍ୟା ବୋଲି କିଛି ନାହିଁ । ଦୁଇ ସ୍ଲାବ୍ ମଝିରେ ଥିବା ଫାଙ୍କରେ ସବୁତକ ଅଳିଆ ଡ୍ରେନ୍ ଭିତରକୁ ପକେଇ ଦେଇ ଉପରକୁ ଚହଟ ଚିକ୍କଣ ଦେଖାଇବାରେ ସମସ୍ତେ ଲାଗି ପଡ଼ିଛନ୍ତି । ଖରା ସରୁ ସରୁ ଆଗକୁ ବର୍ଷା ଋତୁ ଆସୁଛି । ଡ୍ରେନ୍ ଫାଙ୍କରେ ଗଳେଇ ଦେଇଥିବା ଅଳିଆର ପରିଣାମକୁ ବି ଭୋଗିବାକୁ ପଡ଼ିବ । ବିଶେଷ କରି ଯେଉଁଠି ଡ୍ରେନ୍ ଉପରେ ମାଛ ହାଟ ବସୁଛି, ସେଠାରେ ପ୍ରତିଦିନ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛକାତି, ପୁଣ୍ଟି ଭଳି ବର୍ଜ୍ୟବସ୍ତୁ ସବୁ ଡ୍ରେନ୍ ଭିତରେ ଗଳେଇ ଦିଆଯାଉଛି ।
ଏଣେ ସହରାଞ୍ଚଳ ଗୁଡ଼ିକରେ ପରିମଳ ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଘର ଘର ବୁଲି ଅଳିଆ ସଂଗ୍ରହ କରାଯାଉଛି । ଏହି ଅଳିଆ ସଂଗ୍ରହ କରିବାର ଉଦେ୍ଦଶ୍ୟ ହେଲା ବର୍ଷାଜଳର ପଥକୁ ଏସବୁ ଅବରୋଧ ନକରି ସମସ୍ୟା ସୃଷ୍ଟି କରିବ ନାହିଁ ଏବଂ ଅଳିଆରୁ କମ୍ପୋଷ୍ଟ୍ ଖତ ତିଆରି କରାଯିବ । ଏଣେ ଡ୍ରେନ୍ ଉପରେ ବଜାର । ସାରା ରାଜ୍ୟରେ କୌଣସି ବି ସହରାଞ୍ଚଳ ପ୍ରଶାସନ ଏ ଦୃଶ୍ୟକୁ ଏ ପର୍ଯ୍ୟନ୍ତ ନଜରକୁ ଆଣିନାହାନ୍ତି । ଓଲଟି ସହରାଞ୍ଚଳର ନବ୍ୟ, ସଭ୍ୟ ଓ ଭବ୍ୟ ବ୍ୟକ୍ତିବିଶେଷ ମାନେ ରାସ୍ତା ଉପରେ ଗାଡ଼ି ଥୋଇ ଦେଇ ଡ୍ରେନ୍ ଉପରେ ବସିଥିବା ବଜାରରୁ ପରିବା, ମାଛ ସବୁ କିଣୁଛନ୍ତି । ଏ କ୍ଷେତ୍ରରେ ଅପ୍ରିୟ ଏବଂ ନିରାଟ ସତ୍ୟ ହେଲା ଡ୍ରେନ୍ର ଜବରଦଖଲ ହେଉ କି ଡ୍ରେନ୍ ଉପରେ ବଜାର ବସୁ ପ୍ରତ୍ୟେକ ବ୍ୟବସାୟୀ କୌଣସି ନା କୌଣସି ସଂପୃକ୍ତ ବିଭାଗୀୟ କର୍ମଚାରୀମାନଙ୍କୁ ବଟି ଦିଅନ୍ତି । ଏହି ଦୁର୍ନୀତି ହିଁ ସହରାଞ୍ଚଳ ବନ୍ୟାର ମୁଖ୍ୟ କାରଣ । ସମସ୍ୟା ଗୁଡ଼ିକୁ ଟିକିଏ ତଳେଇ ଦେଖିବା ଉଚିତ୍ ।