କଳିଙ୍ଗା ଘାଟିରେ ଭୂସ୍ଖଳନ
ଘୁ.ଉଦୟଗିରି: ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନରେ କଳିଙ୍ଗା ଘାଟିର ଅନ୍ଧାର କୋଟ ନିକଟରେ ପ୍ରାୟ ୨୦ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୂସ୍ଖଳନ ହୋଇଛି । ପାହାଡ଼ରୁ ବିରାଟ ପଥର ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇ ରହିବା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ବସ୍, ଟ୍ରକ୍, କାର ଅଟକି ରହିଥିବା ବେଳେ ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି ।
ପଥର ମାଟି ଅତଡା ଖସିବା ଫଳରେ ରାସ୍ତା ବନ୍ଦ ହୋଇଯିବା ଯୋଗୁଁ ଗଞ୍ଜାମ ଜିଲ୍ଲାରୁ କନ୍ଧମାଳ ସହ ପଶ୍ଚିମ ଓଡିଶାର ବିଭିନ୍ନ ସହରକୁ ଯାତାୟତ ଠପ ହୋଇଯାଇଛି । ଏହି ରାସ୍ତାରେ ଯାତାୟାତ କେତେବେଳେ ସ୍ୱାଭାବିକ ହେବ କହିବା ସମ୍ଭବପର ନୁହେଁ । ପ୍ରବଳ ବର୍ଷା ଯୋଗୁଁ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ରହିଛି । ବିପଦପୂର୍ଣ୍ଣ ଅବସ୍ଥାରେ ଏହି ରାସ୍ତା ଥିବାବେଳେ ଏହି ସ୍ଥାନରୁ ମାଟି ପଥର କାଢ଼ିବା କଷ୍ଟକର ହୋଇପଡିଛି । ଏହି ସଂକୀର୍ଣ୍ଣ ରାସ୍ତା ପୂରା ମାଟି ପଥର ଭରି ହୋଇରହିଛି । ସୌଭାଗ୍ୟବଶତଃ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଖବର ପାଇ ସ୍ଥାନୀୟ ପୁଲିସ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏହି ଭୂସ୍ଖଳନ ଦ୍ୱାରା ରାଞ୍ଚି-ବିଜୟୱାଡ଼ା କରିଡରରେ ଯାତାୟାତ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି ।