କାଉନସିଲର ବୈଠକରେ ରାଜସ୍ୱ ବୃଦ୍ଧିକୁ ନେଇ ଆଲୋଚନା
କଟକ: କଟକ ମହାନଗର ନିଗମ (ସିଏମସି)ର କାଉନସିଲ ବୈଠକ ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ବିଜୁ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିଗମର ରାଜସ୍ୱ କିଭଳି ବୃଦ୍ଧି କରାଯିବ ସେ ନେଇ ବିଭିନ୍ନ ପ୍ରସ୍ତାବ ଓ ଆଲୋଚନା କରାଯାଇଥିଲା । ଏଥି ସହିତ ସଫେଇ, ନାଳ ଓ ରାସ୍ତା ସମସ୍ୟା ଦୂର କରିବାକୁ ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଗତ କାଉନସିଲ ବୈଠକରେ ହୋଇଥିବା ନିଷ୍ପତ୍ତିକୁ ରିଜୋଲେସନରେ ଉଲ୍ଲେଖ ନ କରି ଭୁଲ ତଥ୍ୟ ଦିଆଯାଇଥିଲା । ଏହାକୁ ବିରୋଧ କରି କେତେକ କର୍ପୋରେଟର ଅସନ୍ତୋଷ ପ୍ରକାଶ କରିବା ସହିତ ହୋହାଲ୍ଲା କରି ବୈଠକ ଗୃହରୁ ଉଠି ପଳାଇଥିଲେ । ସୂଚନାଯୋଗ୍ୟ, ଗତ କାଉନସିଲ ବୈଠକରେ ଅଧିକାରୀମାନେ ଯୋଗ ଦେଇ ନଥିଲେ । କର୍ପୋରେଟରମାନେ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ ଓ ଯେଉଁ ଅଧିକାରୀମାନେ ୩ ବର୍ଷରୁ ଅଧିକ କାର୍ଯ୍ୟ କଲେଣି ସେମାନଙ୍କୁ ବଦଳି ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ମାତ୍ର ବିଭାଗୀୟ କର୍ତ୍ତୃପକ୍ଷ ଏହି ଘଟଣାକୁ ଉଲ୍ଲେଖ କରିନଥିଲେ । ଅନିବାର୍ଯ୍ୟ କାରଣ ବଶତଃ ବୈଠକ ବାତିଲ ହୋଇଥିବା ରିଜୋଲେସନରେ ଦର୍ଶାଇଥିଲେ । ଯାହାକୁ କିଛି କର୍ପୋରେଟର ବିରୋଧ କରିବା ସହିତ ବୈଠକରୁ ଉଠି ପଳାଇଥିଲେ । ଶେଷରେ କର୍ତ୍ତୃପକ୍ଷ ରିଜୋଲେସନକୁ ବଦଳାଇଥିଲେ । ଏହାପରେ ବୈଠକ ଆରମ୍ଭ ହୋଇଥିଲା । ସେହିପରି ଅପରାହ୍ନରେ କଂଗ୍ରେସ କର୍ପୋରେଟର ସୁବାଶିଷ ପଟ୍ଟନାୟକ ଓ ନଗରଯନ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହେବାରୁ ବୈଠକରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ବୈଠକ ଶୃଙ୍ଖଳିତ ହେବା ପରେ ବିଭିନ୍ନ ଉତ୍ସରୁ କିପରି ନିଗମର ରାଜସ୍ୱ ବୃଦ୍ଧି କରାଯିବ ତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଶେଷ କରି ବକେୟା ଟିକସ ଆଦାୟ ସହିତ ଏନଫୋର୍ସମେଣ୍ଟ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ବୈଠକରେ କମିଶନର ଅନାମ ଚରଣ ପାତ୍ରଙ୍କ ସହ ବିଭିନ୍ନ ଅଧିକାରୀ, କର୍ପୋରେଟରମାନେ ଯୋଗ ଦେଇଥିଲେ ।