କାଗଜପତ୍ରରେ ଚାଲିଛି ମଣ୍ଡି : ଧାଡ଼ିିରେ ଧାନ ରଖି ଅପେକ୍ଷାରେ ଚାଷୀ

 ରାଜନଗର: ରାଜନଗର ବ୍ଲକରେ ୧୪ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ମଧ୍ୟରୁ ୧୩ଟି ସେବା ସମବାୟ ସମିତିର ୧୪ଟି ସ୍ଥାନରେ ଧାନମଣ୍ଡି ଖୋଲିଛି । ଏହି ବ୍ଲକର ରାଜନଗର, ତାଳଚୁଆ ଓ ରଙ୍ଗଣୀ , ଭାଟପଡା, ନୋଧାବସନ୍ତ, କୁରୁଂଟି, ଡାଙ୍ଗମାଳ, ବଡନାଉକୋଣା, ଗୋପାଳପୁର, ଚାନ୍ଦିବାଉଁଶମୂଳ, ବାଲିସାହିପାଟଣା, ଓସ୍ତିଆ, କୋଇଲିପୁର ଓ ଡେରା ସମବାୟ ସମିତିରେ ଧାନମଣ୍ଡି କାଗଜକଲମରେ ଚାଲିଥିବା ପରିଲକ୍ଷିତ ହୋଇଛି ।
 ସମବାୟ ସମିତି ନିକଟରେ ନାମକୁ ମାତ୍ର କିଛି ଧାନବସ୍ତା ରଖି ସମ୍ପାଦକମାନେ ଚିରାଚରିତ ଢଙ୍ଗରେ ମଣ୍ଡି ଚାଲିଥିବା ପ୍ରଦର୍ଶନ କରୁଥିବା ବେଳେ, ବାସ୍ତବ କ୍ଷେତ୍ରରେ ଚାଷୀମାନେ ମିଲକୁ ଧାନ ଆଣି ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଏହାର ନିଛକ ଉଦାହରଣ ଦେଖିବାକୁ ମିଳିଛି ରାମଚଣ୍ଡୀ ରାଇସ ମିଲ ସମ୍ମୁଖରେ । ଏହି ମିଲ ସମ୍ମୁଖରେ ଶହଶହ ଟ୍ରାକ୍ଟର, ପିକଅପ, ମିନିଟ୍ରକ ଓ ଟ୍ରକରେ ଧାନ ବୋଝଇ ହୋଇ ଧାଡିବାନ୍ଧି ଏକ କିଲୋମିଟରରୁ ଦୁଇ କିଲୋମିଟର ଯାଏଁ ଲମ୍ବି ରହିଛି । ମିଲ୍ ମାଲିକମାନେ ଧାନ ଖରାପ କହି ଗାଡି ପିଛା କ୍ୱିଣ୍ଟାଲରୁ ଦେଢ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଧାନ କାଟୁଥିବା ବେଳେ ସମବାୟ ସଂପାଦକମାନେ ୫ ରୁ ୭କେଜି ଧାନ କାଟି ନେଉଥିବା ଅଭିଯୋଗ ହେଉଛି । ରାଇସମିଲ ଆଗରେ ଧାନଗାଡି ରଖି ୨/୩ ଦିନ ପର୍ଯ୍ୟନ୍ତ ଭୋକ ଓପାସରେ ଜଗି ରହୁଛନ୍ତି ଚାଷୀ । ଯୋଗାଣ ବିଭାଗ ଅଧିକାରୀ ସବୁ ଜାଣି ନୀରବ ରହୁଥିବା ଅଭିଯୋଗ ହେଉଛି । 
ସବୁଠାରୁ ବଡକଥା ହେଉଛି, ସମବାୟ ସମିତି ସଂପାଦକ ଟାର୍ଗେଟ ନାହିଁ କହି ଚାଷୀଙ୍କୁ ଫେରାଇ ଦେଉଛନ୍ତି । ବ୍ଲକ ଯୋଗାଣ ଅଧିକାରୀ, ବ୍ଲକ ନୋଡାଲ ଅଫିସର ଓ ମଣ୍ଡି ଦାୟିତ୍ୱରେ ଥିବା ନୋଡାଲ ଅଫିସରମାନେ ଧାନମଣ୍ଡି ପରିଦର୍ଶନ ନକରି କାଗଜପତ୍ରରେ ସବୁ କାମ ସାରିଦେଉଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ରବିନ୍ଦ୍ର ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମିଲ୍ ମାଲିକମାନେ ମଣ୍ଡିରୁ ଧାନ ଉଠାଉ ନଥିବା ନୋଡାଲ ଅଫିସର ଓ ସମ୍ପାଦକମାନେ ଜଣାଉନାହାନ୍ତି ବୋଲି କହିଥିଲେ । ମିଲ୍ ଆଗରେ ଗାଡି ଧାଡିରେ ଛିଡା ହେବା କଥାକୁ ସ୍ୱୀକାର କରିଛନ୍ତି । ଯୋଗାଣ ଅଧିକାରୀ ଶ୍ରୀ ସେଠୀଙ୍କ କହିବାନୁଯାୟୀ, ରାଜନଗର ବ୍ଲକ୍କୁ ୧ ଲକ୍ଷ ୭୦ହଜାର ୨୫୦ କ୍ୱିଣ୍ଟାଲ ଧାନ ଟାର୍ଗେଟ ଆସିଥିବା ବେଳେ, ୧ଲକ୍ଷ ୬୪ହଜାର ୫୧୨କ୍ୱିଣ୍ଟାଲ ୯୫କେଜି ଧାନ ଉଠି ସାରିଛି ବୋଲି ସୂଚନା ଦେଇଛନ୍ତି ।