କାମ କରୁନି ପଲିଥିନ ନିଷେଦ୍ଧ ଆଇନ : ବୁଲା ପଶୁଙ୍କ ପାଇଁ ସାଜିଛି ବିପଦ 

 ନିଆଳି : ପରିବେଶର ସୁରକ୍ଷା ଲାଗି ରାଜ୍ୟ ସରକାର ସମ୍ପୂର୍ଣ ପଲିଥିନ୍ ନିଷେଦ୍ଧ କରିବା ସତ୍ୱେ ମଧ୍ୟ ନିଆଳି ବଜାର ତଥା ଏହାର ଅଖପାଖ ଅଞ୍ଚଳରେ ପଲିଥିନର ବହୁଳ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଥିବା ଲକ୍ଷ କରାଯାଉଛି । ପଲିଥିନର ବହୁଳ ବ୍ୟବହାର ଯୋଗୁ ପରିବେଶ ଦୂଷିତ ହେବା ସହିତ ମାଟିର ଉର୍ବରତା ମଧ୍ୟ ନଷ୍ଟ ହେବାରେ ଲାଗିଛି । ଏହା ସହ ନିଆଳି ବଜାରକୁ ଲାଗିକି ଥିବା କେନାଲ ପ୍ରାଚୀ ଓ ହାଟ ଗାଡିଆ ପୋତି ହେବାର ମୁଖ୍ୟ କାରଣ ସାଜିଛି । ନିଆଳିର ଗଳି କନ୍ଦିରେ ଖାଦ୍ୟ ଅନ୍ୱେଷଣରେ ବୁଲୁଥିବା ପଶୁମାନେ ଖାଦ୍ୟ ସାମଗ୍ରୀରେ ଲାଗିଥିବା ପଲିଥିନ ଖାଦ୍ୟ ଖାଇ ନାନା ପେଟ ରୋଗର ଆକ୍ରାନ୍ତ ହେଉଛନ୍ତି । ନିଆଳି ବଜାରରେ ଏକ ହଜାରରୁ ଅଧିକ ଦୋକାନ ରହିଥିବା ବେଳେ, ପ୍ରତେକ ଦୋକାନୀ ପଲିଥିନ ବ୍ୟବହାର କରିବାରେ ଅଭ୍ୟସ୍ତ ହୋଇଗଲେଣି । ପଲିଥିନ ଦୋକାନ ଗୁଡିକ ଉପରେ କୌଣସି ଚଢ଼ଉ କି ଜୋରିମାନା ଆଦାୟ କରାଯାଉ ନଥିବାରୁ ବେପାରୀମାନେ ପଲିଥିନ ଗୁଡିକୁ ଖୁଲମଖୁଲା ବିକ୍ରି କରୁଛନ୍ତି ଯାହାଫଳରେ ପଲିଥିନର ବହୁଳ ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ସରକାର ପଲିଥିନର ବ୍ୟବହାର ଓ ବିକ୍ରି ଉପରେ ନିଷେଦ୍ଧା ଦେଶ ଜାରି କରିଥିଲେ ବି ତାହା ନିଆଳି ଅଞ୍ଚଳରେ ପ୍ରହସନରେ ପରିଣତ ହୋଇଛି । ଘଟଣାକୁ ନେଇ ସଚେତନ ନାଗରିକ, ପରିବେଶବିତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ନିଆଳି ଅଞ୍ଚଳରେ ପଲିଥିନର ବହୁଳ ବ୍ୟବହାର ଓ କାରବାରକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।