କାରାଗାରରେ ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମ

 ଜଗତସିଂହପୁର  : ଜିଲ୍ଲାର ଅଗ୍ରଣୀ ସେବା ଓ ଆଧ୍ୟାତ୍ମିକ ପ୍ରଚାର ପ୍ରସାର ଧର୍ମୀ ସଂଗଠନ ବ୍ୟାସ ଫାଉଣ୍ଡେସନ ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସହଭାଗିତାରେ ଜିଲ୍ଲା କାରାଗାର ଆଳୀପିଙ୍ଗଳର ଅନ୍ତେବାସୀଙ୍କ ମାନସିକତାର ପରିବର୍ତ୍ତନ ପାଇଁ ଆନ୍ତର୍ଜାତୀକ ଗୀତା ମିଶନର ସଭାପତି ବ୍ରହ୍ମଚାରୀ ଚିଦାନନ୍ଦ ଜୀ ମହାରାଜ ଓ ମାଳିକା ପ୍ରବଚକ ବ୍ରହ୍ମଚାରୀ ଦିବାକର ଦାସ ମହାରାଜଙ୍କ ଦ୍ୱାରା ଆଧ୍ୟାତ୍ମିକ ସମାବେଶ ଅନୁଷ୍ଠିତ ହେଲା । ଉକ୍ତ ଆଧ୍ୟାତ୍ମିକ ସମାବେଶରେ ଆଇନ୍ ସେବା ପ୍ରାଧିକରଣ ସଚିବ ବି. ଡି. ଡି ଚନ୍ଦନା, କାରାଗାରର ଭାରପ୍ରାପ୍ତ ଅଧୀକ୍ଷକ ମନସ୍ୱିନୀ ପାଣିଗ୍ରାହୀ ଉପ ସହକାରୀ ଅଧୀକ୍ଷକ ଦର୍ପ ଭଞ୍ଜନ ଭୋଇ, ଆଇନ ସହାୟତା ପ୍ରତିରକ୍ଷା ଓକିଲ ଓଜଦ୍ୱିତୀ ମହାନ୍ତି, ଧୀରେନ୍ଦ୍ରନାଥ ଆଚାର୍ଯ୍ୟ, କାରାଗାର ଚିକିସôାଧିକାରୀ ଡାକ୍ତର ଶକ୍ତି ପ୍ରସାଦ ହୋତା, ଫାର୍ମାସିଷ୍ଟ ନିରଞ୍ଜନ ମାର୍ଥା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଉକ୍ତ ଆଧ୍ୟାତ୍ମିକ ଅନୁଶୀଳନରେ ସନ୍ଥ ମାନେ କହିଥିଲେ ଯେ ଅପରାଧ ପ୍ରବଣତା ଜନ୍ମଗତ ନୁହେଁ । କୁସଂଗ, କୁପରିବେଶ, କୁଚିନ୍ତନ ଯୋଗୁ ବେଳେବେଳେ ମଣିଷ ଅପରାଧ କରିବସେ । ଆମ ସଂସ୍କୃତି ପ୍ରଭାବରେ ଦସୁ୍ୟ ରନôାକର ମଧ୍ୟ ବାଲ୍ମୀକି ହୋଇ ପାରିଥିଲେ । ଜୀବନରେ ସତସଙ୍ଗ ଓ ସତ୍ ଗ୍ରନ୍ଥ ପଠନ ଦ୍ୱାରା ପରିବର୍ତ୍ତନ ଆସେ । ଏହି କାର୍ଯ୍ୟକ୍ରମରେ ସନ୍ଥମାନଙ୍କ ଦ୍ୱାରା ଶ୍ରୀମଦ୍ ଭଗବତ ଗୀତା ଓ ଅନ୍ୟାନ୍ୟ ଉପାଦେୟ ପୁସ୍ତକ ମାନ ବିତରଣ କରାଗଲା । ଜେଲ୍ ଅନ୍ତେବାସୀ ମାନେ ସନ୍ଥ ମାନଙ୍କ ବକ୍ତବ୍ୟକୁ ସାଗ୍ରହ ମନୋନିବେଶ କରି ଭବିଷ୍ୟତରେ ନିଜ ଚରିତ୍ରକୁ ସୁଧାର ଆଣିବା ପାଇଁ ମତ ବ୍ୟକ୍ତ କରିଥିଲେ । ବ୍ୟାସ ଫାଉଣ୍ଡେସନ ଓ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଏପରି ସମାଜ ମଙ୍ଗଳ କାର୍ଯ୍ୟକ୍ରମକୁ ସର୍ବସାଧାରଣରେ ପ୍ରଶଂସା କରାଯାଇଛି । ଶ୍ରୀମତୀ ଆଚାର୍ଯ୍ୟ ଅନ୍ତେବାସୀ ମାନଙ୍କୁ ଗୀତା ପଢ଼ିବା ତଥା ଅନ୍ତତଃ ପକ୍ଷେ ଦିନକୁ ଦଶ ଥର ଓଁ ନମୋ ଭଗବତେ ବାସୁଦେବାୟ ଏହି ମନ୍ତ୍ରକୁ ଉଚ୍ଚାରଣ କରିବା ପାଇଁ ପ୍ରବର୍ତ୍ତାଇଥିଲେ ।